ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାର ତଦାରଖ କରିବେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାର ତଦନ୍ତ କେନ୍ଦ୍ରାଞ୍ଚଳ ଆଇଜି କରିବେ ବୋଲି ଡିଜିପି ବିଜୟ ଶର୍ମା ସୂଚନା ଦେଇଛନ୍ତି।

ଏହି ମାମଲାର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚର ୪ଟି ଟିମ୍ ଗଠନ କରାଯାଇଛି। ସାଇବର୍ ସେଲ୍, ଫୋରେନ୍ସିକ୍ ଟିମର ସହାୟତା ନିଆଯାଇଛି।

ମଙ୍ଗୁଳି ଜେନା ହତ୍ୟାକାଣ୍ଡର ତଦନ୍ତ ପାଇଁ ଟିମ ଗଠନ ପରେ ଖୋର୍ଦ୍ଧା ଥାନା ଆଗରେ ଚାଲିଥିବା ଧାରଣା ପ୍ରତ୍ୟାହୃତ ହୋଇଛି। ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ଆଜି ସକାଳେ ଖୋର୍ଦ୍ଧା ଥାନା ଆଗରେ ଧାରଣାରେ ବସିଥିଲେ ବିଜେପି କର୍ମୀ।

ଖୋର୍ଦ୍ଧା ୯ ନମ୍ବର ଜୋନର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ହତ୍ୟା କରିଥିବା ସୂଚନା ମିଳିଛି। ତେବେ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ।

ରବିବାର ରାତି ପାଖାପାଖି ସାଢ଼େ ୧୧ଟା ବେଳେ ମଙ୍ଗୁଳି ନବନୀବାଗରେ ଥିବା ବିଜେପି କାର୍ଯ୍ୟାଳୟକୁ ଯାଇଥିଲେ। ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ସହ ଆଲୋଚାନ କରି ସେ ଫେରୁଥିଲେ। ଏହି ସମୟରେ ହଠାତ୍ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଉପରକୁ ଗୁଳି ମାଡ଼କରି ଫେରାର ହୋଇଯାଇଥିଲେ। ଦୁଇଟି ଗୁଳି ତାଙ୍କ ବାମପଟେ ଛାତିରେ ବାଜିଥିଲା। ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comment