ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ପାଇଁ ସରଗରମ ହୋଇଯାଇଛି ରାଜ୍ୟ ରାଜନୀତି। ତିନି ପ୍ରମୁଖ ଦଳର ହେଭିଓ୍ୱେଟ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଲାଗିପଡ଼ିଛନ୍ତି। ମଇଦାନରେ ନିର୍ବାଚନୀ ପ୍ରଚାର ଜମୁଥିବା ବେଳେ ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଏବଂ ଜଣେ ପୋଲିସ ଅଧିକାରୀଙ୍କ ଭିତରେ କଥା କଟାକଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଧର୍ମେନ୍ଦ୍ର ଉତ୍ତ୍ୟକ୍ତ ହୋଇ ପୋଲିସ ଅଧିକାରୀଙ୍କ ଉପରେ ବର୍ଷୁଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଧର୍ମେନ୍ଦ୍ର ପୋଲିସ ଅଧିକାରୀଙ୍କ ଉପରେ କାହିଁକି ରାଗିଲେ ତାକୁ ନେଇ ଚର୍ଚ୍ଚା ଚାଲିଛି।

ଧର୍ମେନ୍ଦ୍ରଙ୍କ ହେଲିକପ୍ଟର ସୋମବାର ଦିନ ବୁର୍ଲାସ୍ଥିତ ଏମସିଏଲ ହେଲିପ୍ୟାଡରେ ଅବତରଣ କରିଥିଲା। ଏହି ସମୟରେ ପୋଲିସ ଅଧିକାରୀ ହେଲିକପ୍ଟର ଯାଞ୍ଚ କରିବାକୁ ଆସିଥିଲେ। ଏହାକୁ ନେଇ ଧର୍ମେନ୍ଦ୍ର ଏବଂ ପୋଲିସ ଅଧିକାରୀଙ୍କ ଭିତରେ କଥା କଟାକଟି ହୋଇଥିଲା।

ଧର୍ମେନ୍ଦ୍ର ଉତ୍ତେଜିତ ହୋଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରାଯାଉଛି କି? ଯାଞ୍ଚ କରିବାକୁ କିଏ ଅନୁମତି ଦେଇଛି ବୋଲି ପୋଲିସ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର।

କିଛି ସମୟ ଧରି ପୋଲିସ ଅଧିକାରୀ ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଯୁକ୍ତି ତର୍କ ଲାଗିଥିଲା। ଏହାପରେ ଘଟଣାସ୍ଥଳକୁ ଆସିଥିଲେ ବୁର୍ଲା ଏସଡିପିଓ। ଧର୍ମେନ୍ଦ୍ରଙ୍କୁ ବୁଝାଇଥିଲେ ସେ। ନିର୍ବରଚନ କମିଶନଙ୍କ ଗାଇଡ ଲାଇନ ଅନୁସାରେ ଯାଞ୍ଚ କରାଯାଉଥିବା ଏସଡିପିଓ କହିଥିଲେ। ଏଥିରେ ସହଯୋଗ କରିବାକୁ ସେ ଧର୍ମେନ୍ଦ୍ରଙ୍କୁ ବୁଝାଇଥିଲେ।

Comment