ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗୁରୁବାର ଦିନ ବରଗଡ଼ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥର ନିର୍ବାଚନଟି ଏଠାରେ ଅତ୍ୟନ୍ତ କୌତୁହଳଜନକ ହୋଇଛି। ଅତୀତରେ ବରଗଡ଼ ବହୁ ଆଶ୍ଚର୍ଯ୍ୟ ଦେଇଥିଲା। ଏଥର ବି ସେୟା ଦେଖାଯାଉଛି। ଚଳିତ ନିର୍ବାଚନରେ ସବୁ ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀଙ୍କୁ ବଦଳାଇଛନ୍ତି।

ଗତ ଥର ବିଜେଡି ଟିକେଟରେ ଲଢ଼ି ପ୍ରାୟ ୪ ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିବା ପ୍ରଭାସ ସିଂହଙ୍କ ସ୍ଥାନରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ବିଜେପି ତାର ପ୍ରାର୍ଥୀ ବଦଳାଇବା ଫଳରେ ଦଳ ଭିତରେ ବିଦ୍ରୋହ ସୃଷ୍ଟି  ହୋଇଥିଲା। ଟିକେଟ ନମିଳିବା ଫଳରେ ସୁବାସ ଚୌହାନ ଦଳ ଛାଡ଼ିଛନ୍ତି ଓ ତାଙ୍କ ସ୍ଥାନରେ ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ନେତା ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଠିକ୍ ସେହିଭଳି କଂଗ୍ରେସ ପ୍ରଥମେ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଶ୍ରମିକ ନେତା ପ୍ରଦୀପ ଦେବତାଙ୍କୁ ଦଳ ଠିଆ କରିଛି।

ସବୁଠାରୁ ବଡ଼ କଥା ହେଉଛି ଏହି ଲୋକସଭା ଆସନ ଅଧୀନରେ ଆସୁଥିବା ବିଜେପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରାର୍ଥୀ ହୋଇଛନ୍ତି। ଏଠାକାର ନିର୍ବାଚନର ଗୁରୁତ୍ୱ ଦୃଷ୍ଟିରୁ ନବୀନ ଦୁଇ ଦିନ ଧରି ମାରାଥନ ପ୍ରଚାର କରିଥିଲେ ଓ କାଳିଆ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ।

ବରଗଡ଼ ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନଜନକ ଲଢେଇ ହୋଇଥିବାରୁ ଲୋକେ କାହାକୁ ନିର୍ବାଚିତ କରୁଛନ୍ତି ଦେଖିବା କଥା। ତେବେ ଏଥର ନିର୍ବାଚନରେ ସୁବାସ ଚୌହାନଙ୍କ ଅନୁପସ୍ଥିତି ବିଜେପି ପାଇଁ  କ୍ଷତି ସାଧନ କରିପାରେ ବୋଲି ଆଲୋଚନା ହେଉଛି। ବାସ୍ତବ କ୍ଷେତ୍ରରେ,ବରଗଡ଼ ଲୋକସଭା ନିର୍ବାଚନରେ ପ୍ରସନ୍ନ ଆଚାର୍ଯ୍ୟ ହାରିଲେ ଯେତିକି ଫରକ ପଡ଼ିବ ନାହିଁ ତା ଠାରୁ ଅଧିକ ଫରକ ପଡ଼ିବ ଯଦି ସୁରେଶ ପୂଜାରୀ ପରାଜିତ ହୁଅନ୍ତି।

Comment