ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱ ରହିଛି। ପ୍ରଚଣ୍ଡ ରୈାଦ୍ରତାପ, ଝାଞ୍ଜି ପବନ, ଗୁଳୁଗୁଳି, ବିଜୁଳି କାଟ ଓ କମ୍ ଭୋଲଟେଜ ସମସ୍ୟାରେ ସହରବାସୀ ଅତିଷ୍ଠ ହୋଇପଡ଼ୁଛନ୍ତି। ସୋମବାରଠାରୁ ସହରର ତାପମାତ୍ରା କ୍ରମାଗତ ଭାବେ ବଢ଼ି ଚାଲିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହରର ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି।

ସକାଳ ୧୦ଟା ପରେ ସହରର ଜନସାଧାରଣ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ମଧ୍ୟାହ୍ନ ବେଳକୁ ସହରର ରାସ୍ତାଘାଟ, ଦୋକାନ ବଜାର ଜନଶୂନ୍ୟ ହୋଇପଡୁଛି। ପାଦତଳେ ପିଚୁର ତାତି ଓ ମୁଣ୍ଡ ଉପରେ ପ୍ରଚଣ୍ଡ ଖରା ପଥଚାରୀଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି କର୍ମଜୀବୀ ମହିଳା ଓ କଲେଜ ପଢୁଆ ଛାତ୍ରଛାତ୍ରୀମାନେ ଆଖିରେ ସନ୍ ଗ୍ଲାସ୍, ହାତରେ ଗ୍ଲୋବସ୍ ଓ ମୁଣ୍ଡରେ ସ୍କାର୍ପ ବାନ୍ଧି ପଦାକୁ ବାହାରୁଛନ୍ତି। କେବଳ ସହରରେ ଥିବା ଥଣ୍ଡା ପାନୀୟ ଦୋକାନ, ଆଖୁରସ ଗାଡି, ଆଇସକ୍ରୀମ୍ ଷ୍ଟଲ, ତରଭୂଜ ଦୋକାନ ଓ ସର୍ବତ ଷ୍ଟଲ ସବୁଥିରେ ଲୋକମାନଙ୍କର ଭିଡ ଦେଖିବାକୁ ମିଳୁଛି।

କେବଳ କାଁ ଭାଁ ସ୍ଥାନକୁ ଛାଡିଦେଲେ ସହରର ଅଧିକାଂଶ ସ୍ଥାନରେ ଜଳଛତ୍ର କେନ୍ଦ୍ର ଖୋଲାଯାଇନାହିଁ।

ସମ୍ଭାବ୍ୟ ଅଂଶୁଘାତକୁ ଦଷ୍ଟିରେ ରଖି ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଦିବା ୧୧ ଘଟିକାଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ସହରବାସୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । କେବଳ ମଣିଷ ନୁହେଁ ଜୀବଜନ୍ତୁମାନେ ମଧ୍ୟ ଗରମରେ ଛଟପଟ ହେଉଛନ୍ତି। ସେମାନଙ୍କ ପାଇଁ କିଛି ସ୍ଥାନରେ ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଛି।

ଅସହ୍ୟ ତାତିରେ ଜନସାଧାରଣ ଛଟପଟ ହେଉଥିବା ବେଳେ ବିଦ୍ୟୁତ ଜନିତ ସମସ୍ୟା ସେମାନଙ୍କ କଷ୍ଟକୁ ଦ୍ୱିଗୁଣିତ କରି ପକାଉଛି। ଅଘୋଷିତ କିମ୍ବା ବିଭିନ୍ନ ଆଳ ଦେଖାଇ ହେଉଥିବା ବିଦ୍ୟୁତ କାଟ ଯୋଗୁ ଜନସାଧାରଣ ଗରମରେ ଅସ୍ତବ୍ୟସ୍ତ ହେଉଛନ୍ତି।

ଖରାର ତାତିରୁ ରକ୍ଷା ପାଇବା ପାଇଁ ଛତାର ବ୍ୟବହାର କରିବା ସହିତ ସାଙ୍ଗରେ ଥଣ୍ଡା ପାଣି ବୋତଲ ନେବାକୁ କଦାପି ଭୁଲନ୍ତି ନାହିଁ ବୋଲି କର୍ମିଜୀବୀ ମହିଳା ଅର୍ଚ୍ଚନା ସାହୁ କହିଛନ୍ତି। ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବହୁତ କଷ୍ଟ ଦେଉଛି ଓ ଏହି ସମୟରେ ପରିବାରର ଛୋଟ ପିଲାମାନେ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ବୋଲି ରବୀନ୍ଦ୍ର ପଣ୍ଡା କହିଛନ୍ତି।

ପ୍ରଚଣ୍ଡ ଖରା ପାଇଁ ସହରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏଭଳି ଗ୍ରୀଷ୍ମ ପ୍ରବାହ ଆଉ କିଛି ଦିନ ଜାରି ରହିବ ବୋଲି ଆଶଙ୍କା କରାଯାଉଛି।

Comment