ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦେଶ ବିଦେଶରେ ରହୁଥିବା ଓଡ଼ିଆ ଯୁବପିଢ଼ିଙ୍କୁ ନବୀନଙ୍କ ଆଦର୍ଶ ସହ ଯୋଡ଼ିବା ପାଇଁ ଏକ ନୂଆ ଉଦ୍ୟମ ଆରମ୍ଭ ହୋଇଛି। ଏହାର ନାଁ ରହିଛି ‘ନବୀନ ୟୁବା’। ଦେଶ ବିଦେଶରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଓଡ଼ିଆ ଯୁବ ବ୍ୟକ୍ତିତ୍ୱମାନଙ୍କୁ ଏଥିରେ ସାମିଲ କରାଯାଇଛି।

ଓଡ଼ିଶା ବାହାରୁ ପ୍ରାୟ ୫୫ ଜଣ ଯୁବ ବ୍ୟକ୍ତିତ୍ୱ ଓଡ଼ିଶା ଆସିଛନ୍ତି। ଏମାନଙ୍କୁ ନେଇ ଭୁବନେଶ୍ୱରରେ ତିନି ଦିନିଆ କାର୍ଯ୍ୟକ୍ରମ ଚାଲିଛି।

ଏହି ଯୁବ ବ୍ୟକ୍ତିତ୍ୱମାନେ ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ନବୀନଙ୍କ ସହ ସେମାନେ ସଂକ୍ଷିପ୍ତ ଆଲୋଚନା କରିଥିଲେ।

ଏହି ଯୁବ ବ୍ୟକ୍ତିତ୍ୱମାନଙ୍କୁ ବିଭିନ୍ନ ନିର୍ବାଚନମଣ୍ଡଳୀକୁ ପଠା ଯାଉଛି। ବିଜେଡି ପ୍ରାର୍ଥୀମାନଙ୍କ ସହ ଏମାନେ ଯୋଡ଼ି ହେଉଥିବା ଦେଖିବାକୁ ମିଳୁଛି। ଏହାସହ ତୃଣମୂଳ ସ୍ତରର ଲୋକଙ୍କୁ ଏମାନେ ଭେଟୁଛନ୍ତି।

ପ୍ରଥମ ଦିନ ଏମାନେ କେନ୍ଦ୍ରାପଡ଼ାରେ ଅନୁଭବଙ୍କ ସହ ଯୋଡ଼ି ହୋଇଥିଲେ ଏବଂ ଆସନ୍ତା କାଲି ଏମାନେ ପୁରୀ ଯାଇ ପିନାକୀ ମିଶ୍ରଙ୍କ ସହ ଯୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି।

ଯୁବ ବ୍ୟକ୍ତିତ୍ୱମାନଙ୍କୁ ନେଇ ଶୁକ୍ରବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା।

ନବୀନ ୟୁବା କାର୍ଯ୍ୟକ୍ରମର ଆୟୋଜନ ଏବଂ ପ୍ରୋତ୍ସାହନ ପଛରେ ବିଜେଡିର କିଛି ପ୍ରମୁଖ ନେତା ରହିଥିବା କୁହାଯାଉଛି। ସେମାନଙ୍କ ଭିତରେ କିଟ୍ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନାଁ ଆଗରେ ରହିଛି।

୨୦୧୯ ନିର୍ବାଚନରେ ବିଜେଡିରେ ନୂଆ କଥା ଦେଖିବାକୁ ମିଳୁଛି। ଏହା ମଧ୍ୟରୁ ‘ନବୀନ ୟୁବା’ ହେଉଛି ଅନ୍ୟତମ। ନବୀନଙ୍କ ଆଦର୍ଶ ସହ ଦେଶ ବିଦେଶର ଯୁବପିଢ଼ିଙ୍କୁ ଯୋଡ଼ିବା ଲାଗି ‘ନବୀନ ୟୁବା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ନିର୍ବାଚନ ସମୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଗକୁ କ’ଣ ହେଉଛି ତାହା ଦେଖିବାର କଥା।

Comment