ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ପାଇଁ ‘ବୀର ଚକ୍ର’ ଉପାଧି ସୁପାରିଶ କରିଛି ଭାରତୀୟ ବାୟୁସେନା। ପାକିସ୍ତାନ ଏଫ୍-୧୬ ଯୁଦ୍ଧ ବିମାନକୁ ଆକାଶମାର୍ଗରେ ଧ୍ୱଂସ କରିବାରେ ସମର୍ଥ ହୋଇଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବା ପାଇଁ ବାୟୁସେନା ପକ୍ଷରୁ କୁହାଯାଇଛି।

ଯୁଦ୍ଧକାଳୀନ ସାମରିକ ସମ୍ମାନ ମଧ୍ୟରେ ବୀର ଚକ୍ର ହେଉଛି ତୃତୀୟ ଶ୍ରେଷ୍ଠ ସମ୍ମାନ। ଏହା ଉପରେ ‘ପରମବୀର ଚକ୍ର’ ଏବଂ ‘ମହାବୀର ଚକ୍ର’ ରହିଛି।

ଏହାସହ ସୁରକ୍ଷା ଦୃଷ୍ଟିରୁ ଅଭିନନ୍ଦନଙ୍କୁ କଶ୍ମୀରରୁ ପାକିସ୍ତାନ ସୀମାବର୍ତ୍ତି ପଶ୍ଚିମାଞ୍ଚଳରେ ନିୟୋଜିତ କରାଯାଇଛି।

ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନରେ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ଜବାବରେ ପାକିସ୍ତାନ ଯୁଦ୍ଧ ବିମାନ ଭାରତ ସୀମାକୁ ପ୍ରବେଶ କରିଥିଲା। ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଆକାଶପଥରେ ପାକିସ୍ତାନ ଯୁଦ୍ଧ ବିମାନ ସହ ଲଢ଼ିବାର ଦୁଃସାହସ ଦେଖାଇଥିଲେ। ଏଥିରେ ସେ ସଫଳ ହେବା ସହ ନିଜେ ଉଡ଼ାଉଥିବା ମିଗ୍-୨୧ ବିମାନ ପାକିସ୍ତାନ ସୀମାରେ ଖସିପଡ଼ିଥିଲା।

ପାକିସ୍ତାନ ସେନା ଅଭିନନ୍ଦନଙ୍କୁ ବନ୍ଦୀ କରିଥିଲା। ଜେନେଭା ଚୁକ୍ତି ଏବଂ ଅନ୍ତରାଷ୍ଟ୍ରୀୟ ରାଷ୍ଟ୍ର ସମୂହର ଚାପ ଯୋଗୁଁ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡ଼ିଥିଲା।

Comment