ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ୍‌ ଦବଙ୍ଗ  ସଲମାନ ଖାନ୍‌ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ର ଟ୍ରେଲର ରିଲିଜ୍‌ ହୋଇଛି। ୩.୧୧ ମିନିଟ୍‌ ବିଶିଷ୍ଟ ଏହି ଟ୍ରେଲରରେ ସଲମାନ ବିଭିନ୍ନ ରୂପରେ ନଜର ଆସିଛନ୍ତି। ‘ଭାରତ’ରେ ସଲମାନ୍‌ ଖାନ୍‌ ଜଣେ ଷ୍ଟଣ୍ଟମ୍ୟାନ୍‌, ନାଭି ଅଫିସର ଏବଂ ଶେଷରେ ଜଣେ ବୃଦ୍ଧ ବ୍ୟକ୍ତି ଭୂମିକାରେ ଅଭିନୟ କରିଛନ୍ତି।

‘ଭାରତ’ ଫିଲ୍ମର କାହାଣୀ ଆମ ଦେଶ ସ୍ୱାଧୀନତା ପାଇବା ପରଠୁ ଆରମ୍ଭ ହୋଇ ୨୦୧୦ ପର୍ଯ୍ୟନ୍ତ ଥିବା ଟ୍ରେଲରରୁ ଜଣା ପଡ଼ିଛି। ଏହି ସମୟରେ ସଲମାନଙ୍କ ଜୀବନର ସମସ୍ତ ଘଟଣାକୁ ଦର୍ଶା ଯାଇଛି।

‘ଭାରତ’ ଫିଲ୍ମରେ ସଲମାନ୍‌ଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଅଭିନେତ୍ରୀ କଟ୍ରିନା କୈଫ୍‌। ଏମାନଙ୍କୁ ବାଦ୍‌ ଦେଲେ ଫିଲ୍ମରେ ଦିଶା ପଟାନୀ, ଜ୍ୟାକି ସ୍ରଫ୍‌, କମେଡି ଷ୍ଟାର ସୁନିଲ ଗ୍ରୋଭର ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମରେ ସଲମାନଙ୍କ ନାଁ ‘ଭାରତ’ ରହିଛି।

ଅଲ୍ଲୀ ଅବାସ୍‌ ଜାଫର ‘ଭାରତ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ସଲମାନ ଖାନ୍‌ ଫିଲ୍ମ ବ୍ୟାନରରେ ଏହି ଫିଲ୍ମଟି ନିର୍ମାଣ କରାଯାଇଛି। ତେବେ ଇଦ୍‌ ଅବସରରେ ଆସନ୍ତା ଜୁନ୍‌ ୫ରେ ‘ଭାରତ’ ଫିଲ୍ମ ବଡ଼ ପରଦାରେ ରିଲିଜ୍‌ ହେବ।

Comment