ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଉପକୂଳ ଓଡ଼ିଶାର ସବୁଠୁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଭାବେ ପରିଚିତ ପିପିଲିରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି। ଭୋଟର ଶୃଙ୍ଖଳାର ସହ ବିଭିନ୍ନ ବୁଥରେ ଭୋଟ ଦେଇଛନ୍ତି। ମତଦାନର ଦିନକ ପୂର୍ବରୁ ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ନିର୍ବାଚନ କମିଶନଙ୍କ ସ୍କ୍ୱାଡ୍ ଟିମ ଉପରେ ଆକ୍ରମଣ କରିବା ଅଭିଯୋଗ ଜେଲ ଯାଇଥିବାରୁ ଭୋଟ ଦିନ ପିପିଲିରେ କ’ଣ ହେବ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା।

ପିପିଲିରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବିଭିନ୍ନ ସମ୍ବେଦନଶୀଳ ବୁଥରେ ଆଗରେ ପୋଲିସ ଛାଉଣୀ କରାଯାଇଥିଲା। ଭୋଟର ଆସିଥିଲେ ଏବଂ ଇଭିଏମରେ ସୁଇଚ ଟିପି ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ।

ନିର୍ବାଚନ ଆସିଲେ ପିପିଲି ଅଶାନ୍ତ ହୋଇଯାଏ। ବୁଥ୍ ରିଗିଂଠାରୁ ଆରମ୍ଭ କରି ବୋମା ମାଡ଼ ଭଳି ଘଟଣା ପିପିଲିରେ ଦେଖିବାକୁ ମିଳିଥାଏ। ହେଲେ ମହାରଥୀ ଏଥର ଜେଲ ଯାଇଥିବାରୁ ପିପିଲିରେ ବଡ଼ ଧରଣର ହିଂସାକାଣ୍ଡ ଘଟିପାରେ ବୋଲି ଚର୍ଚ୍ଚା ହେଉଥିଲା। ଏହାସହ ପିପିଲିରେ ନିର୍ବାଚନ ପରିଚାଳନା ପ୍ରଶାସନ ପାଇଁ ବିରାଟ ଚାଲେଞ୍ଜ ସୃଷ୍ଟି କରିଥିଲା।

ପିପିଲିରେ ନିର୍ବାଚନ ପରିଚାଳନାରେ କିଛି ଅସୁବିଧା ହେବ ନାହିଁ ବୋଲି ପୁରୀ ଏସପି ଉମାଶଙ୍କର ଦାସ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଥିଲେ। ମତଦାନ ପାଇଁ ପ୍ରଶାସନ ପୂରା ସଜାଗ ରହିଥିଲା।

ଗତ ୨୨ ତାରିଖରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଥିଲା ପିପିଲି ପୋଲିସ। ରବିବାର ବିଳମ୍ବିତ ରାତିରେ ମହାରଥୀଙ୍କ ଫାର୍ମ ହାଉସରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଚଢ଼ାଉ କରିଥିଲା। ହେଲେ ମହାରଥୀଙ୍କ ଉପସ୍ଥିତିରେ ଫ୍ଲାଇଂ ସ୍କ୍ୱାଡ୍ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହାକୁ ନେଇ ପିପିଲି ଥାନାରେ ଏତଲା ଦିଆଯାଇଥିଲା। ମହାରଥୀ ଗିରଫ ହୋଇଥିଲେ।

ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ମହାରଥୀଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇ ନଥିବାରୁ ତାଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଛି। ୨୪ରେ ଜାମିନ ଆବେଦନ ଉପରେ ଶୁଣାଣି ହେବ।

Comment