ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇରାନଠୁ ତେଲ କିଣିବା ଯୋଗୁ ଖପ୍ପା ଥିବା ଆମେରିକା ଭାରତ ସମେତ ପାଞ୍ଚଟି ଦେଶ ଉପରେ ପ୍ରତିବନ୍ଧକ ଲଗାଇଛି। ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମେ’ ମାସରୁ ଭାରତ ଇରାନଠୁ ତେଲ କିଣି ପାରିବ ନାହିଁ। ଯାହାଫଳରେ ଭାରତ ସହିତ ଚୀନ ବିଶେଷ ଭାବେ ପ୍ରଭାବିତ ହେବ। ଅନ୍ୟ ତିନି ଦେଶ ଜାପାନ, ଦକ୍ଷିଣ କୋରିଆ ଏବଂ ତୁର୍କି ମଧ୍ୟ ଏଥିରେ ସାମିଲ ଅଛନ୍ତି।

ଗତବର୍ଷ ନଭେମ୍ବରରେ ଭାରତ ସମେତ ୮ଟି ଦେଶକୁ ତେଲ କିଣିବା ପାଇଁ ୬ ମାସର ମହଲତ ଦେଇଥିଲା ଆମେରିକା। ଏହାରି ଭିତରେ ତେଲ କିଣିବା ପାଇଁ ଅନ୍ୟ ବିକଳ୍ପ ଖୋଜିବାକୁ ସମୟ ଦେଇଥିଲା। ଏହି ଅବଧି ଆସନ୍ତା ମେ’ ୨ ତାରିଖରେ ସରୁଛି। ଡେଡଲାଇନ ପୂର୍ବରୁ ୟେନମ୍, ଇଟାଲୀ ଏବଂ ତାଇୱାନ ଇରାନଠୁ ତେଲ କିଣିବା ବନ୍ଦ କରିଦେଇଛନ୍ତି।

ଅପରପକ୍ଷରେ ତେଲ ଆମଦାନୀ କରୁଥିବା ୫ଟି ଦେଶ ଯଦି ପ୍ରତିଶ୍ରୁତି ପାଳନ ନକରି ଇରାନଠୁ ତେଲ କିଣନ୍ତି ଆମେରିକାର କଡ଼ା ପଦକ୍ଷେପ ନେବ ବୋଲି କହିଛନ୍ତି ୱାଶିଂଟନ ବୈଦେଶିକ ମନ୍ତ୍ରୀ। ଏପରିକି ଦ୍ୱିପାକ୍ଷିକ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯାହାର ପ୍ରଭାବ ବାଣିଜ୍ୟିକ ଭଳି ଅନ୍ୟ କ୍ଷେତ୍ରରେ ପଡ଼ିବ। ଅନ୍ୟପଟେ ଇରାନଠୁ ତେଲ ଆମଦାନୀ ପାଇଁ ଯେଉଁ ସମୟ ଥିଲା ତାହା ସରି ଆସୁଥିବାରୁ ଏହାର ପ୍ରଭାବ ସେୟାର ବଜାର ଉପରେ ମଧ୍ୟ ପଡ଼ିଛି।

Comment