ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆପଣ ଗୋଟିଏ ପାହାଡ଼କୁ ଘୁଞ୍ଚେଇ ଦେଇପାରିବେ କିନ୍ତୁ ଭୁବନେଶ୍ୱରବାସୀଙ୍କୁ ଭୋଟ କେନ୍ଦ୍ରକୁ ଆଣିପାରିବେ ନାହିଁ। ଭୋଟ୍ ଦେବାର ଆବଶ୍ୟକତା, ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଉଚିତ ଆଦି ଯେତେ ପ୍ରକାର ପ୍ରଚାର ଓ ସଚେତନତା ସୃଷ୍ଟି କରନ୍ତୁ ଭୁବନେଶ୍ୱର ଲୋକଙ୍କ ଉପରେ ତାହାର କୌଣସି ପ୍ରଭାବ ଦେଖିବାକୁ ମିଳେ ନାହିଁ। ନିର୍ବାଚନ ଦିନ ଭୋଟ ଦେବା ପାଇଁ ଛୁଟି ଦିଆଯାଇଥାଏ। କିନ୍ତୁ ଭୋଟ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ଭୁବନେଶ୍ୱର ଲୋକେ ପସନ୍ଦ କରନ୍ତି ନାହିଁ। ସବୁ ଥର ଭଳି ଏଥର ମଧ୍ୟ ରାଜଧାନୀ ଭୋଟରଙ୍କଠାରୁ ଏ ବାବଦକୁ ନିରାଶ ହେବାକୁ ପଡ଼ିଛି।

ମଙ୍ଗଳବାର ଦିନର ମତଦାନରେ ପ୍ରକୃତରେ କେତେ ପ୍ରତିଶତ ଭୋଟ ଭୁବନେଶ୍ୱରର ବିଭିନ୍ନ ବୁଥରେ ପଡ଼ିଛି ତାହାର ହିସାବ ମିଳିନାହିଁ। କିନ୍ତୁ ଏହା ଯଥେଷ୍ଟ କମ୍ ନିଶ୍ଚିତରେ। ଭୁବନେଶ୍ୱରର ସମସ୍ତ ତିନୋଟି ବିଧାନସଭା ଆସନ ବ୍ୟତୀତ ଅନ୍ୟ ୪ଟି ଆସନ ପାଇଁ ୨୩ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା। ଅପରାହ୍ନ ୫ଟା ସୁଦ୍ଧା କିନ୍ତୁ ମାତ୍ର ୪୦ ପ୍ରତିଶତ ମତଦାନ ହୋଇଥିଲା। ହୁଏତ ଭୋଟ ଶେଷ ହେବା ବେଳକୁ ଆଉ କିଛି ଭୋଟ୍ ପଡ଼ିଥାଇପାରେ। କିନ୍ତୁ ଏହା ୫୦ ପ୍ରତିଶତରୁ ଅଧିକ ହେବା କଷ୍ଟ।

୨୦୧୪ ନିର୍ବାଚନ ଓ ତା ପୂର୍ବବର୍ତ୍ତୀ ନିର୍ବାଚନରେ ମଧ୍ୟ ସେୟା ହୋଇଥିଲା। ୨୦୧୪ରେ ୫୮ ପ୍ରତିଶତ ଭୋଟଦାନ ହୋଇଥିବା ବେଳେ ୨୦୦୯ରେ ମାତ୍ର ୪୯ ପ୍ରତିଶତ ଲୋକଙ୍କ ଆଙ୍ଗୁଠିରେ କାଳି ଲାଗିଥିଲା। ସବୁଠାରୁ ନିରାଶଜନକ ଖବର ହେଉଛି ତିନୋଟି ଯାକ ଭୁବନେଶ୍ୱର ବିଧାନସଭା ଆସନରେ ଭୋଟରଙ୍କ ଅନାଗ୍ରହ। ମଙ୍ଗଳବାର ସନ୍ଧ୍ୟାରେ ଶେଷ ହୋଇଥିବା ନିର୍ବାଚନରେ ସବୁଠାରୁ କମ ଭୋଟ ପଡ଼ିଥିଲା ଭୁବନେଶ୍ୱର-ମଧ୍ୟ ଆସନରେ। ଏହାର ପରିମାଣ ମାତ୍ର ୩୮ %।

ଭୁବନେଶ୍ୱର ଉପଜିଲ୍ଲାପାଳ ଶୁଭେନ୍ଦୁ ନାୟକଙ୍କ କହିବା ଅନୁଯାୟୀ ଏକାମ୍ର ଓ ଉତ୍ତର ଭୁବନେଶ୍ୱରରେ ମଧ୍ୟ ପାଖାପାଖି ୪୨ ପ୍ରତିଶତ ଭୋଟ ପଡ଼ିଥିଲା। ଏଥର ଭୁବନେଶ୍ୱର ଭୋଟ କେନ୍ଦ୍ରଗୁଡ଼ିକରେ ଆଉ ଏକ କଥା ଲକ୍ଷ୍ୟ କରାଯାଇଛି। ଦିନ ଗୋଟାଏ ପରେ କେହି ଭୋଟର ଆସି ନଥିଲେ ଓ ଭୋଟ କେନ୍ଦ୍ରଗୁଡ଼ିକ ଖାଁ ଖାଁ ଲାଗୁଥିଲା।

ଲୋକେ ଭୋଟ ଦେବାକୁ ନଆସିବା ପଛରେ ଗୋଟିଏ କାରଣ ହୋଇପାରେ ଅତ୍ୟଧିକ ଗରମ। କିନ୍ତୁ ସବୁଠାରୁ ବଡ଼ କାରଣ ହେଉଛି ଭୁବନେଶ୍ୱର ମହାନଗର ନିଗମର ବାସିନ୍ଦା ବା ଭୋଟରମାନଙ୍କ ଅନ୍ୟତ୍ର ସ୍ଥାନାନ୍ତର। ପାଠ ପଢ଼ିବା ପାଇଁ ହେଉକି ଚାକିରି କରିବା ପାଇଁ ହେଉ ଯୁବକମାନେ ପ୍ରାୟ ଅନ୍ୟ ସହରରେ ରହୁଥିବା ଦେଖାଯାଉଛି ଆଉ ଭୋଟ ଦିନ ସେମାନେ ଭୁବନେଶ୍ୱର ଆସି ଭୋଟ ଦେବା ପ୍ରାୟ ସମ୍ଭବ ହୁଏନାହିଁ।

ତା’ ଛଡ଼ା ଅନେକ ସରକାରୀ କର୍ମଚାରୀଙ୍କ ନାମ ନିଜ ନିଜ ଗାଁର ଭୋଟର ତାଲିକାରେ ଥିବାରୁ ସେମାନେ ସେଠି ଯାଇ ଭୋଟ ଦେଇଥାନ୍ତି। ଆଉ କିଛି ଲୋକ ଖାଣ୍ଟି ଆଳସ୍ୟ ଯୋଗୁଁ ଭୋଟ କେନ୍ଦ୍ରକୁ ଯାଇନଥାନ୍ତି।

ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ଯେ, ‘‘କମ୍ ସଂଖ୍ୟକ ଲୋକ ଭୋଟ ଦେବା ପାଇଁ ଆସିବା ପଛରେ ପ୍ରକୃତରେ କ’ଣ କାରଣ ରହିଛି ତାହା କହିବା କଷ୍ଟ। ଆମ ତରଫରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା ଓ ଭୋଟରଙ୍କ ଯେମିତି କୌଣସି ପ୍ରକାର ଅସୁବିଧା ହୁଏ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତା’ ସତ୍ତ୍ୱେ ଭୋଟଦାନ କମ୍ ହୋଇଛି। ଏହାର ଅସଲ କାରଣ ଆମକୁ ଖୋଜି ବାହାର କରିବାକୁ ହେବ।’’

Comment