ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ସାରା ଦେଶ ନରେନ୍ଦ୍ର ମୋଦିଙ୍କୁ ଜଣେ କଠୋରପନ୍ଥୀ ରାଜନେତା ଭାବେ ଦେଖୁଥିବା ବେଳେ ଏହି ସାକ୍ଷାତକାରରେ ରହିଛି ଯଥେଷ୍ଟ ଇମୋସନ୍ ଓ ଏଣ୍ଟରଟେନମେଣ୍ଟ ଅର୍ଥାତ ନୋ ପଲିଟିକ୍ସ ଭିତରେ ପଲିଟିକ୍ସ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ’ଣ ଆମ୍ବ ଖାଇବାକୁ ଭଲ ଲାଗେ?

ମୋଦିଙ୍କୁ ରାଗ ମାଡ଼ିଲେ ସେ କ’ଣ କରନ୍ତି?

ନରେନ୍ଦ୍ର ମୋଦି ଦିନେ ଭାରତବର୍ଷର ପ୍ରଧାନମନ୍ତ୍ରୀ ହେବେ ଏକଥା କ’ଣ ସେ ଦିନେ ଆଗରୁ ଭାବିଥିଲେ ନା ହଉ ହଉ ସେ ପ୍ରଧାନମନ୍ତ୍ରୀ ହୋଇଗଲେ?

ନରେନ୍ଦ୍ର ମୋଦି ନିଜ ମା’ଙ୍କୁ ବହୁତ ଭକ୍ତି କରନ୍ତି। କିନ୍ତୁ ତାଙ୍କ ମା’ ମୋଦିଙ୍କ ପାଖରେ ରହନ୍ତି ନାହିଁ କାହିଁକି? ନରେନ୍ଦ୍ର ମୋଦିଙ୍କୁ ତାଙ୍କ ମା’ କ’ଣ ଏବେ ବି ପ୍ରତିମାସରେ ପଇସା ଦିଅନ୍ତି?

ନରେନ୍ଦ୍ର ମୋଦି ରାଜନୀତିକୁ ଆସିନଥିଲେ କ’ଣ ହୋଇଥାନ୍ତେ? ସେନାରେ ଯୋଗ ଦେଇଥାନ୍ତେ? ସନ୍ନ୍ୟାସୀ ହୋଇଥାନ୍ତେ?

ଏଭଳି ପ୍ରଶ୍ନ ଯଦି ଆପଣଙ୍କ ମନରେ ଆସୁଛି ତା’ର ଉତ୍ତର ଆପଣଙ୍କ ହାତ ମୁଠାରେ। ଅର୍ଥାତ୍ ଆପଣ ନିଜ ମୋବାଇଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ଦେଖିଲେ ଏସବୁ ପ୍ରଶ୍ନର ସିଧାସଳଖ ଉତ୍ତର ପାଇପାରିବେ। ଏହି ସାକ୍ଷାତକାରଟି ନେଇଛନ୍ତି ବଲିଉଡ୍‌ର ନାମୀ ଅଭିନେତା ଅକ୍ଷୟ କୁମାର।

ବୁଧବାର ଦିନ ସକାଳୁ ସକାଳୁ ମୋଦିଙ୍କ ଏହି ସାକ୍ଷାତକାର ଟେଲିଭିଜନ୍ ଓ ଡିଜିଟାଲ୍ ମିଡିଆରେ ଛାଇଯାଇଛି। ବିଶେଷକରି ସୋସିଆଲ୍ ମିଡିଆରେ ଆଜି ପାଇଁ ଏହା ଏକ ବଡ ଆକର୍ଷଣ ପାଲଟିଛି।

ନୋ ପଲିଟିକ୍ସ ପ୍ଲିଜ୍!

ଦେଶରେ ଏବେ ଚାଲିଛି ସାଧାରଣ ନିର୍ବାଚନ। ଓଡ଼ିଶା ସମେତ କେତେକ ରାଜ୍ୟରେ ମଧ୍ୟ ବିଧାନସଭା ପାଇଁ ଭୋଟ୍ ହେଉଛି। ଭୋଟ୍ ରାଜନୀତି ପ୍ରାୟ ଅନ୍ତିମ ଚରଣରେ ପହଞ୍ଚିଛି। ଏହି ସମୟରେ ପ୍ରସାରିତ ହୋଇଛି  ମୋଦିଙ୍କ ଏହି ନିଆରା ସାକ୍ଷାତକାର।

ନିଆରା ଏଇଥିପାଇଁ ଯେ ପ୍ରଥମଥର ଲାଗି ନରେନ୍ଦ୍ର ମୋଦିଙ୍କର ଏଭଳି ଏକ ଦୀର୍ଘ ଓ ମନଖୋଲା ସାକ୍ଷାତକାର କରାଯାଇଛି ଯେଉଁଠି ରାଜନୀତି ଛଡ଼ା ଆଉ ସବୁକଥା ରହିଛି। ବିଶେଷକରି ମୋଦିଙ୍କ ପିଲାବେଳ, କୈଶୋରର ସ୍ଵପ୍ନ ଓ ଆହ୍ଵାନ, ପାରିବାରିକ ଜୀବନ ଏବଂ ଆହୁରି ଅନେକ ବ୍ୟକ୍ତିଗତ କଥା।

ଏହି ସାକ୍ଷାତକାରଟି ମଧ୍ୟ ନିଆରା ଏଇଥିପାଇଁ ଦେଶର କୌଣସି ସମ୍ପାଦକ, ବରିଷ୍ଠ ସାମ୍ବାଦିକ କିମ୍ବା ଟେଲିଭିଜନ୍ ଆଙ୍କର କରିନାହାନ୍ତି। କରିଛନ୍ତି ଖୋଦ୍ ବଲିଉଡ୍‌ର ଚର୍ଚ୍ଚିତ ନାୟକ ଅକ୍ଷୟ କୁମାର। ନୂଆଦିଲ୍ଲୀର ୭, ଲୋକକଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି ଇଣ୍ଟରଭ୍ୟୁ ରେକର୍ଡ କରାଯାଇଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ମାଧ୍ୟମରେ ଏହା ପ୍ରସାରିତ ହୋଇ ଦେଶ ବିଦେଶର ବିଭିନ୍ନ ଟେଲିଭିଜନ୍ ଏବଂ ଡିଜିଟାଲ୍ ମିଡିଆରେ ଛାଇ ଯାଇଛି।

ଯେଉଁ ସମୟରେ ଏହି ସାକ୍ଷାତକାର ରେକର୍ଡିଂ ଓ ପ୍ରସାରଣ କରାଯାଇଛି ତାହା ନିର୍ବାଚନୀ ବେଳ ହୋଇଥିବାରୁ ‘ନୋ ପଲିଟିକ୍ସ’ ଏକ ବଡ଼ ପଲିଟିକ୍ସ ବୋଲି ଚର୍ଚ୍ଚା ହେଉଛି।

ପ୍ରଧାନମନ୍ତ୍ରୀଙ୍କୁ ରାଗ ମାଡ଼େ କି?

ଭାରତୀୟ ରାଜନୀତରେ ନରେନ୍ଦ୍ର ମୋଦି ଜଣେ ଆଗ୍ରେସିଭ୍ ନେତା ଭାବେ ପରିଚିତ। ପ୍ରଧାନମନ୍ତ୍ରୀ ହିସାବରେ ମଧ୍ୟ ସେ ଆଗ୍ରେସିଭ୍। ଅର୍ଥାତ୍ ରାଜନୀତିରେ ନିଜର ବ୍ରାଣ୍ଡିଂକୁ ଜବରଦସ୍ତ କରିବା ସହ ପ୍ରତି ପକ୍ଷକୁ ଜୋର୍‌ଦାର୍ ଆକ୍ରମଣ କରିବାରେ ତାଙ୍କର ହୁଏତ କେହି ସମକକ୍ଷ ହେବେ ନାହିଁ।

ସେହିପରି ପ୍ରଧାନମନ୍ତ୍ରୀ ହିସାବରେ ମନ୍ତ୍ରୀ ନିଜର କ୍ୟାବିନେଟ୍ ସଦସ୍ୟମାନଙ୍କୁ ଦିଗ୍‌ଦର୍ଶନ ଛଡ଼ା ପ୍ରଶାସନକୁ ଟାଣ କରି ଚଳାଇବାରେ ସେ ଏକ ନୂଆ ଧାରା ଦେଖାଇଛନ୍ତି। ତେବେ ପ୍ରଶ୍ନ ହେଉଛି ନରେନ୍ଦ୍ର ମୋଦିଙ୍କୁ ରାଗ ମାଡ଼େ କି? ଏବଂ ରାଗ ମାଡ଼ିଲେ ସେ କ’ଣ କରନ୍ତି?

ଏକଥା ଆମେ ନୁହେଁ ପଚାରିଛନ୍ତି ଅକ୍ଷୟ କୁମାର। ଏବଂ ଅତି ସରଳ ଭାବରେ ହସି ହସି ମୋଦି କହିଛନ୍ତି ଯେ ରାଗ ରୁଷା ମଣିଷ ଜୀବନର ସାଧାରଣ କଥା। ରାଗ ମାଡ଼ିବା ଏକ ସ୍ଵାଭାବିକ ପ୍ରକ୍ରିୟା, କିନ୍ତୁ ରାଜନୀତିକୁ ଆସିବା ପୂର୍ବରୁ ତାଙ୍କର ଯେଉଁ ତାଲିମ୍ ହୋଇଛି ଏବଂ ଦୀର୍ଘ ରାଜନୈତିକ କ୍ୟାରିୟର୍ ଭିତରେ ସେ ଯେଉଁ ଅନୁଭୂତି ହାସଲ କରିଛନ୍ତି ଏହା ତାଙ୍କୁ ରାଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଛି।

“ଚପରାଶିଠାରୁ ପ୍ରଧାନ ସଚିବଙ୍କ ପର୍ଯ୍ୟନ୍ତ କାହା ଉପରେ ମୁଁ କେବେ ରାଗିବା ଭଳି କଥା ଉଠିନାହିଁ’’, କହିଛନ୍ତି ନରେନ୍ଦ୍ର ମୋଦି।

ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ରହିଛି। ସେଠାକୁ ଆପଣଙ୍କୁ ଆହୁରି ଅନେକ ପ୍ରଶ୍ନର ଉତ୍ତର ମିଳିଯିବ। ଏପରିକି “ମୁଁ ଯାହା ଭାବିନଥିଲି ତାହା ବନିଗଲି’’ ବୋଲି କହିଛନ୍ତି ନରେନ୍ଦ୍ର ମୋଦି। ଆପଣ କ’ଣ ପ୍ରଧାନମନ୍ତ୍ରୀ ହେବା କଥା ଆଗରୁ ଭାବିଥିଲେ – ଅକ୍ଷୟ କୁମାରଙ୍କ ପ୍ରଶ୍ନର ଉତ୍ତରରେ ନିଜର ପଲିଟିକାଲ କ୍ୟାରିୟର୍ ପ୍ରସଙ୍ଗ କହୁ କହୁ ଏକଥା କହିଛନ୍ତି ମୋଦି।

ମୋଦିଙ୍କ ଏହି ସାକ୍ଷାତକାର ଗଣମାଧ୍ୟମରେ ଚର୍ଚ୍ଚା ପାଇଁ ଯେଉଁ ବଡ଼ ଖୋରାକ ଯୋଗାଇ ଦେଇଛି ତାହା ନିଶ୍ଚିତ ଭାବରେ ବିଜେପିକୁ ସାହାଯ୍ୟ କରିବ। ବିଶେଷକରି ସାରା ଦେଶ ନରେନ୍ଦ୍ର ମୋଦିଙ୍କୁ ଜଣେ କଠୋରପନ୍ଥୀ ରାଜନେତା ଭାବେ ଦେଖୁଥିବା ବେଳେ ଏହି ସାକ୍ଷାତକାରରେ ରହିଛି ଯଥେଷ୍ଟ ଇମୋସନ୍, ଏଣ୍ଟରଟେନମେଣ୍ଟ ଏବଂ ନୋ ପଲିଟିକ୍ସ ଭିତରେ ପଲିଟିକ୍ସ।

Comment