ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଗଡୁଛି ତାରିଖ ପରେ ତାରିଖ। ହେଲେ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଉପରେ କୌଣସି ଶୁଣାଣି ହୋଇପାରୁ ନାହିଁ। ଫଳରେ ମହାରଥୀଙ୍କ ପାଇଁ ଅଡୁଆ ବଢ଼ୁଥିବା ଚର୍ଚ୍ଚା ହେଉଛି। ଆସନ୍ତା ୨୭ ତାରିଖକୁ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଥିବାରୁ ପୂରା ଘଟଣା ଉପରେ ସମସ୍ତଙ୍କର ନଜର ରହିଛି।

ପ୍ରଦୀପ ମହାରଥୀ ବିଜେଡିର ଜଣେ ସାମାନ୍ୟ ନେତା ନୁହନ୍ତି। ଜନତା ଦଳ ଏବଂ ବିଜୁ ଜନତା ଦଳ ଟିକେଟରୁ ସେ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହାସହ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଦୁଇ ଦୁଇ ଥର ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି ମହାରଥୀ।

ମହାରଥୀ ସବୁବେଳେ ବିବାଦରେ ରହି ଆସିଛନ୍ତି। କିନ୍ତୁ ଚଳିତ ନିର୍ବାଚନରେ ମହାରଥୀ ଯେମିତି ବିବାଦୀୟ ହୋଇପଡ଼ିଛନ୍ତି ତାହା ଅତୀତରେ ଦେଖିବାକୁ ମିଳି ନଥିଲା। ମତଦାନର ଦିନକ ପୂର୍ବରୁ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ କରିବା ଅଭିଯୋଗରେ ମହାରଥୀ ଗିରଫ ହେଇ ଜେଲ୍ ଯାଇଛନ୍ତି। ହେଲେ ଏହି ଘଟଣାରେ ତାଙ୍କ ଜାମିନ ଆବେଦନ ଉପରେ କୌଣସି ଶୁଣାଣି ହୋଇପାରୁ ନାହିଁ।

କ’ଣ ଥିଲା ଘଟଣା?

ଗତ ରବିବାର ବିଳମ୍ବିତ ରାତିରେ ମହାରଥୀଙ୍କ ହୁଙ୍କେଇପୁରସ୍ଥିତ ଫାର୍ମ ହାଉସରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଚଢ଼ାଉ କରିଥିଲା। ହେଲେ ମହାରଥୀଙ୍କ ଉପସ୍ଥିତିରେ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ପିପିଲି ଥାନାରେ ଏତଲା ଦିଆଯିବା ପରେ ପୋଲିସ ମହାରଥୀଙ୍କୁ ଗିରଫ କରିଥିଲା।

ଘୁଞ୍ଚୁଛି ଜାମିନ ଆବେଦନ ଶୁଣାଣି

ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ମହାରଥୀଙ୍କୁ ଜାମିନରେ ନେବା ପାଇଁ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟରେ ସେଦିନ ଜାମିନ ଆବେଦନ ଉପରେ ଶୁଣାଣି ହୋଇପାରି ନଥିଲା। ଜାମିନ ଶୁଣାଣି ୨୪ ତାରିଖକୁ ଘୁଞ୍ଚିଥିଲା। ଫଳରେ ମହାରଥୀଙ୍କୁ ଝାରପଡ଼ା ଜେଲ୍ ପଠାଇ ଦେଇଥିଲେ କୋର୍ଟ।

ଆଜି କିନ୍ତୁ ଜାମିନ ଆବେଦନ ଶୁଣାଣି ହୋଇପାରି ନାହିଁ। କେସ୍ ଷ୍ଟଡି ଏବଂ ଇଞ୍ଜରି ରିପୋର୍ଟ କୋର୍ଟରେ ଦାଖଲ ହୋଇ ନଥିବାରୁ ଜାମିନ ଶୁଣାଣି ୨୭ ତାରିଖକୁ ଘୁଞ୍ଚିଛି। ଏପଟେ ମହାରଥୀ ଅସୁସ୍ଥ ହୋଇଯାଇଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଣୁ ମହାରଥୀ ମଧ୍ୟ ଆଜି କୋର୍ଟରେ ହାଜର ହୋଇପାରି ନଥିଲେ।

ଭୋଟ ଦେଇ ପାରିଲେନି ମହାରଥୀ

ପିପିଲିର ୬ ଥରର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କୁ ଏଥର ଭୋଟ ଦେବାରୁ ବଞ୍ଚିତ ହେବାକୁ ପଡ଼ିଛି। ମତଦାନର ଦିନକ ପୂର୍ବରୁ ମହାରଥୀ ଗିରଫ ହୋଇ ଜେଲ୍ ଯାଇଥିଲେ। ଫଳରେ ସେ ଭୋଟ ଦେବାକୁ ଆସି ପାରି ନଥିଲେ। ମହାରଥୀଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ପ୍ରତିଭା ମହାରଥୀ ବୁଥରୁ ବୁଥକୁ ବୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ଭୋଟ ଦିନ ମହାରଥୀ ପିପିଲିରେ ଅନୁପସ୍ଥିତ ଥିବାରୁ ତାଙ୍କ ଭାଗ୍ୟ ଏଥର କ’ଣ ହେଉଛି ତା’ ଉପରେ ସମସ୍ତଙ୍କର ନଜର ରହିଛି।

ଏବେ ଏକୁଟିଆ ମହାରଥୀ

ଗିରଫ ହେବା ପରେ ମହାରଥୀ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଯେଉଁ ଦଳରୁ ସେ ଟିକେଟ ପାଇଥିଲେ ଏବଂ ବାରମ୍ବାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେହି ଦଳ ତାଙ୍କ ସପକ୍ଷରେ ବାହାରି ନଥିବା ଆଲୋଚନା ହେଉଛି। ମାମଲାଟି କୋର୍ଟରେ ବିଚାରାଧିନ ଥିବାରୁ ବୋଧ ହୁଏ ବିଜେଡି ମହାରଥୀଙ୍କ ସମ୍ପର୍କରେ କିଛି ମନ୍ତବ୍ୟ ଦେବାକୁ ଉଚିତ ମଣିନି। କିନ୍ତୁ ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ସିଧାସଳଖ ବିଜେପିକୁ ଟାର୍ଗେଟ କରିଥିଲେ। ପିପିଲିରେ ବିଜେପି ଷଡ଼ଯନ୍ତ୍ର କରିଥିବା ପିନାକୀ କହିଥିଲେ।

ହେଲେ ପିନାକୀଙ୍କ ଏହି ମନ୍ତବ୍ୟ ଦଳର ନା ବ୍ୟକ୍ତିଗତ ତାହା ଜଣାପଡ଼ି ନାହିଁ। ସବୁଠୁ ବଡ଼ କଥା ହେଉଛି ମହାରଥୀ ଗିରଫ ହେବାର ପୂର୍ବଦିନ ଭୁବନେଶ୍ୱର-ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଆହତ ହୋଇଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ୍ୟାପିଟାଲରେ ହସ୍ପିଟାଲ ଯାଇ ଅନନ୍ତଙ୍କୁ ଭେଟିଥିଲେ।

ହେଲେ ମହାରଥୀ ଗିରଫ ହେବା ପରେ ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କୁ ବିଜେଡି ସୁପ୍ରିମୋ କିମ୍ବା ଅନ୍ୟ ନେତା କେହି ଭଟି ନାହାନ୍ତି। ନିର୍ବାଚନ ସମୟରେ ମହାରଥୀଙ୍କ ହାତ ବିଜେଡି ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଛି। ଏବେ ମହାରଥୀ ଏକୁଟିଆ ହୋଇଯାଇଥିବା କୁହାଯାଉଛି।

ବିବାଦରେ ମହାରଥୀ

୨୦୧୧ରେ ପିପିଲି ଗଣଦୁଷ୍କର୍ମକୁ ଉଠିଥିଲା ପଡ଼ିଥିଲା ପିପିଲି। ଏହି ଗଣଦୁଷ୍କର୍ମ ମହାରଥୀଙ୍କ ଫାର୍ମ ହାଉସରେ ଘଟିଥିବା ଏବଂ ଏହା ପଛରେ ମହାରଥୀଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ମହାରଥୀ ସେତେବେଳେ ନବୀନ ସରକାରରେ କୃଷି ମନ୍ତ୍ରୀ ରହିଥିଲେ। ମହାରଥୀଙ୍କ ବହିଷ୍କାର ଦାବି କରି ବିରୋଧୀ ସାରା ରାଜ୍ୟରେ ହଙ୍ଗାମା କରିଥିଲେ। କିନ୍ତୁ ମହାରଥୀଙ୍କ ମନ୍ତ୍ରୀ ପଦ ଯାଇ ନଥିଲା। ହେଲେ ପ୍ରାୟ ୧୦ ମାସ ଧରି ପିପିଲି ପୀଡ଼ିତା କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେବା ପରେ ୨୦୧୨ ଜୁନ ୨୧ରେ ଆଖି ବୁଜି ଦେଇଥିଲେ।

ପିପିଲି ପୀଡ଼ିତା ଆଖି ବୁଜିବା ପରେ ପରିସ୍ଥିତି ଅସମ୍ଭାଳ ହେବାରୁ ମହାରଥୀଙ୍କ ମନ୍ତ୍ରୀ ପଦ ଚାଲି ଯାଇଥିଲା।

୨୦୧୪ରେ ମହାରଥୀ ପୁଣି ବିଜେଡି ଟିକେଟ ପାଇ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ମହାରଥୀ ମନ୍ତ୍ରୀ ପଦ ପାଇବେ କି ନାହିଁ ତାହା ଚର୍ଚ୍ଚାରେ ରହିଥିଲେ। କିନ୍ତୁ ୨୦୧୭ ଶେଷ ଭାଗକୁ ମହାରଥୀ ପୁଣି କୃଷି ମନ୍ତ୍ରୀ ପଦ ପାଇଥିଲେ। ହେଲେ ଗତ କିଛି ମାସ ତଳେ ପିପିଲି ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତ ପ୍ରମାଣ ଅଭାବରୁ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏହାକୁ ମହାରଥୀ ସମର୍ଥନ କରି ବିବାଦୀୟ ହୋଇପଡ଼ିଥିଲେ।

ବିଜେପି ଏବଂ କଂଗ୍ରେସ ମହାରଥୀଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି କରିଥିଲେ। ବିରୋଧୀଙ୍କ ଚାପ ଏତେ ଜୋରଦାର ଥିଲା ଯେ ଶେଷରେ ମହାରଥୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଏବେ ଏସବୁ ବିବାଦଠାରୁ ବଳି ଯାଇଛି ଫ୍ଲାଇଂ ସ୍କ୍ୱାଡ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣା। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ମହାରଥୀଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିବା ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି।

Comment