ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ବିଜେଡି କହୁଛି ‘ସରକାର ଗଢ଼ିବୁ ଆମେ। ବିଜେପିର ଦାବି ସଫଳ ହେବ ମିଶନ ୧୨୦।

୧୫ଟି ଲୋକସଭା ଏବଂ ୧୦୫ଟି ବିଧାନସଭା ଆସନରେ ମତଦାନ ଶେଷ ହେବା ପରେ ଓଡ଼ିଶାରେ କିଏ ସରକାର ଗଢ଼ିବ ତାକୁ ନେଇ ରାଜନୀତି କରିଡରରେ ଆରମ୍ଭ ହୋଇଛି କାଉଣ୍ଟ ଡାଉନ। ବିଜେଡି ବହୁମତ ପାଇ ପୁଣି ସରକାର ଗଢ଼ିବ ବୋଲି ଆଶାବାଦୀ ଥିବା ବେଳେ ବିଜେପି ବିଜେଡି ହାତରୁ କ୍ଷମତା ଛାଡ଼ାଇ ଆଣିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି।

ଓଡ଼ିଶାରେ ସରକାର ଗଢ଼ିବାକୁ ନେଇ ବିଜେଡି ଏବଂ ବିଜେପି ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିର ମିଶନ ୧୨୦କୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ବିଜେପି ଉପ-ସଭାପତି ସମୀର ମହାନ୍ତି ଏହାର ଜବାବ ଦେଇଛନ୍ତି।

‘‘ବିଜେପି ଅହଙ୍କାରର ଫସର ଫାଟି ଯାଇଛି। ବିଜେପିର ମିଶନ ୧୨୦ ଦିବା ସ୍ୱପ୍ନ ହୋଇଯାଇଛି। ଯେଉଁ ବିଜେପି ମିଶନ ୧୨୦ କଥା କହୁଥିଲା ସେ ଏବେ ଚୁପ୍ କାହିଁକି?’’, କହିଛନ୍ତି ସସ୍ମିତ ପାତ୍ର।

ସସ୍ମିତ ପାତ୍ର ଆହୁରି କହିଛନ୍ତି ଯେ ଓଡ଼ିଶାରେ ବିଜେଡି ୧୧୭ରୁ ଅଧିକ ସିଟ ଜିତି ସରକାର ଗଢିବ। ତୃତୀୟ ପର୍ଯ୍ୟାୟ ମତଦାନ ସୁଦ୍ଧା ବିଜେଡି ପୂର୍ଣ୍ଣ ବହୁମତ ସହ ଜିତିସାରିଛି।

ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି, ‘‘ଓଡ଼ିଶାରେ ୧୨୦+ ମିଶନ ସଫଳ ହେବ। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଓଡ଼ିଶା ମୋଦିମୟ ହୋଇଯାଇଛି।’’

ଓଡ଼ିଶାରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଆସନ୍ତା ୨୯ ତାରିଖରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଭୋଟ ହେବ। ତେବେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବିଜେଡି ଓ ବିଜେପି ସରକାର ଗଢ଼ିବା ନେଇ ଦୃଢ଼ତା ପ୍ରକାଶ କରିଛନ୍ତି।

ବିଜେଡି ଗତ ୧୯ ବର୍ଷ ହେଲା ସରକାରରେ ରହି ଆସିଛି। ଗତ ୨୦୦୯ରୁ ବିଜେପି ଏବଂ ବିଜେଡି ମେଣ୍ଟ ଭାଙ୍ଗିବା ପରେ ଏହି ଦୁଇ ଦଳ ଭିତରେ ଛକାପଞ୍ଝା ଚାଲିଛି। ୨୦୦୯ରୁ ବିଜେଡି ହାତରୁ କ୍ଷମତା ଛଡ଼ାଇ ଆଣିବା ପାଇଁ ବିଜେପି ଜୋରଦାର ପ୍ରୟାସ ଚଳାଇଛି। ହେଲେ ନବୀନଙ୍କ ଲୋକପ୍ରିୟତା ଆଗରେ ବିଜେପିର ରଣନୀତି ଫିକା ପଡ଼ି ଯାଇଛି।

୨୦୧୯ ନିର୍ବାଚନରେ ନବୀନଙ୍କ ଲୋକପ୍ରିୟତା ଏବଂ ବିକାଶମୂଳକ ଯୋଜନାକୁ ଆଧାର କରି ବିଜେଡି ନିର୍ବାଚନ ଲଢୁଥିବା ବେଳେ ବିଜେପି ମୋଦି ହାଓ୍ୱା ଏବଂ କେନ୍ଦ୍ରର ଉନ୍ନୟନମୂଳକ ଯୋଜନାକୁ ଅସ୍ତ୍ର କରି ଭୋଟରଙ୍କ ପାଖକୁ ଯାଉଛି।

ତେବେ ସରକାର ଗଢ଼ିବା ନେଇ ବିଜେପି ଏବଂ ବିଜେଡି ଯେଉଁ ଦୃଢ଼ତା ଦେଖାଇଛନ୍ତି ତାହା କେତେଦୂର ସଫଳ ହେଉଛି ମେ’୨୩ ପରେ ସ୍ପଷ୍ଟ ଜଣାପଡ଼ିବ।

Comment