ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଓମ ପ୍ରକାଶଙ୍କୁ ନେଇ ବିଜେପିକୁ ଘେରିଲା ବିଜେଡି।

ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଇଭିଏମ୍ ଭଙ୍ଗାରୁଜା ଘଟଣା ଭିନ୍ନ ମୋଡ଼ ନେଇଛି। ଇଭିଏମ ଭଙ୍ଗାରୁଜା ପରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଫେରାର ଥିବାରୁ ବିଜେଡି ବିଜେପିକୁ ଟାର୍ଗେଟ କରିଛି। ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିକୁ ପ୍ରଶ୍ନବାଣରେ ଛନ୍ଦିଛନ୍ତି।

ଓମ ପ୍ରକାଶଙ୍କୁ ଟିକେଟ ଦେଇଥିଲା କିଏ ଏବଂ କାହା ପ୍ରରୋଚନାରେ ସେ ଫେରାର ଅଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି।

ଇଭିଏମ୍ ଭାଙ୍ଗିବା ପରେ ବିଜେପି ପ୍ରାର୍ଥୀ ଫେରାର ହେଲେ କିପରି? ଫେରାର ହେବା ପାଇଁ ତାଙ୍କୁ କିଏ ସାହାଯ୍ୟ କଲା? ଓଡ଼ିଶା ବାହାରକୁ ଯିବା ପାଇଁ କିଏ ଟିକେଟ ବୁକିଂ କଲା? ବିଜେପି ଏସବୁ ପ୍ରଶ୍ନର ଉତ୍ତର ଦେବା ଦରକାର ବୋଲି ଦାବି କରିଛି ବିଜେଡି।

ପରାଜୟ ଭୟରେ ବିଜେପି ପ୍ରାର୍ଥୀମାନେ ଏଭଳି କାଣ୍ଡ ଘଟାଉଥିବା ବିଜେଡି ଅଭିଯୋଗ କରିଛି। ଏହି ଘଟଣା ପାଇଁ ବିଜେଡି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିଛି। ଧର୍ମେନ୍ଦ୍ର ବିହାର ଏବଂ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି। ସେ ସବୁ ରାଜ୍ୟରେ ଏଭଳି ହଂସାକାଣ୍ଡ ଦେଖାଦେଇଥାଏ। ବିହାର ଏବଂ ମଧ୍ୟପ୍ରଦେଶରୁ ଏହି ହିଂସାକାଣ୍ଡ ଓଡ଼ିଶାକୁ ଆମଦାନୀ ହୋଇଥିବା ବିଜେଡି କହିଛି।

ଏପଟେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ପୋଲିସ ଓମ ପ୍ରକାଶ ମିଶ୍ରଙ୍କ ନାଁରେ ଲୁକ୍ ଆଉଟ ସର୍କୁଲାର ଜାରି କରିଛି। ଯଦି ସେ ଆତ୍ମସମର୍ପଣ ନକରନ୍ତି ତାହାଲେ ତାଙ୍କୁ ପଳାତକ ଘୋଷଣା କରାଯିବ ବୋଲି ପୁରୀ ଏସପି ଉମା ଶଙ୍କର ଦାସ କହିଛନ୍ତି।

କଣାସ ବ୍ଲକର ବୀରକିଶୋରପୁର ଗାଁର ୭୮ ନମ୍ବର ବୁଥରେ ଇଭିଏମ୍ ଭଙ୍ଗାରୁଜା ହୋଇଥିଲା। ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ଏବଂ ତାଙ୍କ ସମର୍ଥକ ଏହି ଭଙ୍ଗାରୁଜା କରିଥିବା ସଂପୃକ୍ତ ବୁଥର ପ୍ରିଜାଇଡିଂ ଅଫିସର ଶିବରାମ ମହାପାତ୍ର ଥାନାରେ ଏତଲା ଦେଇଥିଲେ।

ଏତଲାକୁ ଭିତ୍ତି କରି ପୋଲିସ ଜନ ପ୍ରତିନିଧି ଆଇନ ୧୮୬, ୧୮୭ ଏବଂ ଆର୍ମସ୍ ଆକ୍ଟ ଧାରା ୨୫ ଏବଂ ୨୭, ଆଇପିସି ଧାରା ୧୪୭, ୧୪୮ ଏବଂ ୫୦୬ରେ ମାମଲା ରୁଜୁ କରିଛି।

Comment