ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଅଡୁଆରେ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର।

ସତ୍ୟବାଦୀ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି ପୁରୀ ପୋଲିସ। ଗତ ୨୩ ତାରିଖ ଭୋଟିଂ ଦିନ ସତ୍ୟବାଦୀର ଏକ ବୁଥରେ ଇଭିଏମ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପଛରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ହାତ ଥିବା ଅଭିଯୋଗ ହୋଇଥିଲା।

ଇଭିଏମ ଭଙ୍ଗାରୁଜା ପରେ ଓମ ପ୍ରକାଶ ଫେରାର ହୋଇ ଯାଇଥିଲେ। ପୋଲିସ ତାଙ୍କୁ ଖୋଜୁଥିଲା। ହେଲେ ତାଙ୍କ ପତ୍ତା ନମିଳିବାରୁ ପୋଲିସ ଆଜି ଲୁକ ଆଉଟ ସର୍କୁଲାର ଜାରି କରିଛି।

‘‘ଓମ ପ୍ରକାଶ ମିଶ୍ରଙ୍କୁ ଗିରଫ କରିବା ପାଇଁ ତିନୋଟି ସ୍ପେଶାଲ ସ୍କ୍ୱାଡ୍ ଗଠନ କରାଯାଇଛି। ଏହାସହ ଦେଶର ପ୍ରମୁଖ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟକୁ ଓମପ୍ରକାଶଙ୍କ ଫଟୋ ପଠା ଯାଇଛି। ତାଙ୍କୁ ଦେଖିବା ମାତ୍ରେ ଖବର ଦେବାକୁ ଲୁକ୍ ଆଉଟ ସର୍କୁଲାର ଜାରି କରି କୁହାଯାଇଛି’’, କହିଛନ୍ତି ପୁରୀ ଏସପି ଉମା ଶଙ୍କର ଦାସ।

ଇଭିଏମ ଭଙ୍ଗାରୁଜା ଘଟଣାରେ ଓମ ପ୍ରକାଶ ମିଶ୍ରଙ୍କ ଭୁବନେଶ୍ୱର ହଂସପାଳସ୍ଥିତ ଘରେ ପୋଲିସ ଚଢ଼ାଉ କରିଥିଲା। ହେଲେ ଖାଲି ହାତରେ ଫେରିଥିଲା। ଏପଟେ ଓମ ପ୍ରକାଶ ମିଶ୍ରଙ୍କ ଦୁଇ ଜଣ ସମର୍ଥକଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମାସନ କୁମାର ସାମନ୍ତରାୟ ଏବଂ ଅକ୍ଷୟ କୁମାର ବିଶ୍ୱାଳ।

କଣାସ ବ୍ଲକର ବୀରକିଶୋରପୁର ଗାଁର ୭୮ ନମ୍ବର ବୁଥରେ ଇଭିଏମ୍ ଭଙ୍ଗାରୁଜା ହୋଇଥିଲା। ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ଏବଂ ତାଙ୍କ ସମର୍ଥକ ଏହି ଭଙ୍ଗାରୁଜା କରିଥିବା ସଂପୃକ୍ତ ବୁଥର ପ୍ରିଜାଇଡିଂ ଅଫିସର ଶିବରାମ ମହାପାତ୍ର ଥାନାରେ ଏତଲା ଦେଇଥିଲେ।

ଏତଲାକୁ ଭିତ୍ତି କରି ପୋଲିସ ଜନ ପ୍ରତିନିଧି ଆଇନ ୧୮୬, ୧୮୭ ଏବଂ ଆର୍ମସ୍ ଆକ୍ଟ ଧାରା ୨୫ ଏବଂ ୨୭, ଆଇପିସି ଧାରା ୧୪୭, ୧୪୮ ଏବଂ ୫୦୬ରେ ମାମଲା ରୁଜୁ କରିଛି।

Comment