ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବାରଣାସୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ନରେନ୍ଦ୍ର ମୋଦି। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ବାରଣାସୀ ନିର୍ବାଚନମଣ୍ଡଳୀର କାଶୀରେ ବିଶାଳ ରୋଡ ସୋ’ କରି ମୋଦି ବିରୋଧୀଙ୍କୁ ଚମକେଇ ଦେଇଛନ୍ତି। କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଗେଟ ବାହାରେ ଥିବା ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମୋଦି ରୋଡ ସୋ’ରେ ବାହାରିଛନ୍ତି। ୭ କିଲୋମିଟର ପର୍ଯ୍ୟନ୍ତ ରୋଡ ସୋ’ ଚାଲିବ।

ଏହି ରୋଡ ସୋ’ରେ ବିଜେପିର ବରିଷ୍ଠ ନେତାଙ୍କ ସମେତ ବିଭିନ୍ନ ସମ୍ପ୍ରଦାୟର ମୁଖିଆମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ରୋଡ ସୋ’ ପରେ ମୋଦି ଗଙ୍ଗା ଆଳତୀ କରିବେ। ଶୁକ୍ରବାର ଦିନ କାଶୀ ବିଶ୍ୱନାଥଙ୍କ ଦର୍ଶନ କରି ମୋଦି ପ୍ରାର୍ଥିପତ୍ର ଦାଖଲ କରିବେ।

ମୋଦିଙ୍କ ରୋଡ ସୋ’ ପାଇଁ କାଶୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ କରାଯାଇଛି। ଏହାସହ ୨୧ ଜଣ ଅତିରିକ୍ତ ଏସପି, ୬୨୦ ଇନ୍ସପେକ୍ଟର, ୩୧୦୦ କନଷ୍ଟେବଳ, ୧୬ ପ୍ଲାଟୁନ ପାରାମିଲିଟାରୀ ଫୋର୍ସ, ୧୫୦ ମହିଳା ପୋଲିସଙ୍କୁ ନିୟୋଜିତ କରାଯାଇଛି।

ମୋଦି ୨୦୧୪ରେ ବାରଣାସୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ମୋଦି ପୁଣି ବାରଣାସୀରୁ ନିର୍ବାଚନ ଲଢୁଛନ୍ତି।

Comment