ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୧୯ ବର୍ଷର ବିଜେଡି ସରକାରକୁ କେବଳ ବିଜେପି ହିଁ ହଟାଇବ।

‘‘ନବୀନ ପଟ୍ଟନାୟକଙ୍କ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଛି। ମୁଁ ଦୁର୍ନୀତି ବିରୋଧରେ କହିବାରୁ ମତେ ବିଜେଡିରୁ ବହିଷ୍କାର କରାଗଲା। ଏବେ ସାରା ଦେଶରେ ମୋଦି ହାୱା ବହୁଛି। ମୋଦି ସମ ବିକାଶ କଥା କହୁଛନ୍ତି। ମୋଦି ହାୱାରେ ବିଜେପି ଏଥର ନବୀନ ସରକାରକୁ ହଟାଇବ’’, ଓଡ଼ିଶାଲାଇଭକୁ କହିଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।

ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ଦାମ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ଏଠାରେ ପ୍ରଚାରକୁ ଜୋରଦାର କରିଛନ୍ତି। ଶୁକ୍ରବାର ଦିନ ଦାମ ବୋରିକିନା ଅଞ୍ଚଳରେ ପ୍ରଚାର କରୁଥିବା ବେଳେ ତାଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍। ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ ଦାମ କହିଛନ୍ତି ଏଥର ନବୀନ ସରକାର ଓଡ଼ିଶାରୁ ହଟିବ।

ଦାମ କହିଛନ୍ତି, ‘‘ମୁଁ ବିଜୁ ବାବୁଙ୍କ ଆଦର୍ଶରେ ବଢ଼ିଛି। ବିଜୁ ବାବୁ ଯେଉଁ ଦଳକୁ ଯାଇଛନ୍ତି ମୁଁ ସେହି ଦଳରେ କାମ କରିଛି। ହେଲେ ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ନୀତି ଆଦର୍ଶକୁ ଭୁଲିଗଲେ। ମୁଁ ଏହା ବିରୋଧରେ କହିବାରୁ ମତେ ବିଦା କରାଗଲା। ବିଜୁ ବାବୁଙ୍କ ନୀତି ଆଦର୍ଶକୁ ମୁଁ ଭୁଲିନି। ବିଜୁ ବାବୁ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଲଢ଼େଇ କରୁଥିଲେ। ମୁଁ ଏବେ ବି ତାହା କରୁଛି।’’

ବାଲିକୁଦା-ଏରସମାରେ ଦାମଙ୍କ ବିପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ରଘୁ ନନ୍ଦନ ଦାସ। ରଘୁ ନନ୍ଦନ ବିଜେପିରେ ଥିଲେ। ହେଲେ ଦାମ ବିଜେପିରୁ ଟିକେଟ ନେବା ପରେ ରଘୁନନ୍ଦନ ବିଜେଡିରେ ଯୋଗ ଦେଇଥିଲେ।

ଏ ସମ୍ପର୍କରେ ଦାମ କହିଛନ୍ତି, ‘‘ବିଜେପିର ବରିଷ୍ଠ ନେତାମାନେ ମତେ ଡାକି ବିଜେପିରେ ଯୋଗ ଦେବା ପାଇଁ କହିଲେ। ମୁଁ ବିଜେପିରେ ଯୋଗ ଦେଲି। ବାଲିକୁଦା-ଏରସମାର ବିଜେପି ନେତା ରଘୁନନ୍ଦନ ଦାସଙ୍କୁ ମଧ୍ୟ ଡାକି  ଆଲୋଚନା କରିଥିଲି। ଏହି ନିର୍ବାଚନ ମୋ’ ପାଇଁ ଶେଷ ନିର୍ବାଚନ ହୋଇଥିବାରୁ ମତେ ସହଯୋଗ କରିବାକୁ କହିଥିଲି। ହେଲେ ସେ ଟଙ୍କା ଲୋଭରେ ବିଜେଡିରେ ମିଶିଗଲେ।’’

‘‘ସମଗ୍ର ପୂର୍ବ ଭାରତକୁ ସମୃଦ୍ଧ କରିବା ପାଇଁ ନରେନ୍ଦ୍ର ମୋଦି ସଙ୍କଳ୍ପ ନେଇ ଅନୁଦାନ ଦେଉଛନ୍ତି। ନୂଆ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ନବୀନ ବାବୁ ତାଙ୍କ ଯୋଜନାକୁ ଗ୍ରହଣ କରୁ ନାହାନ୍ତି।

ନବୀନ ବାବୁ ଫିଟ୍ ନାହାନ୍ତି

ନବୀନ ପଟ୍ଟନାୟକଙ୍କ ଫିଟନେସ୍ ଭିଡିଓକୁ ଦାମ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ନବୀନ ବାବୁ ଫିଟ୍ ନାହାନ୍ତି ବୋଲି କେହି କେବେ କହି ନାହାନ୍ତି। ଯିଏ ଅନଫିଟ ଥିବ ସେ ନିଜକୁ ଫିଟ ବୋଲି କହିବ। ଏଣୁ ନବୀନ ବାବୁ ଅନଫିଟ ଥିବାରୁ ସେ ନିଜକୁ ଫିଟ୍ ବୋଲି ପ୍ରମାଣିତ କରିଥିବା ଦାମ କହିଛନ୍ତି।

Comment