ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

‘‘୨୦୧୪ରେ ନିର୍ବାଚନ ଜିତିବା ପରେ ମୁଁ ଜଗତସିଂହପୁରବାସୀଙ୍କ ସାଙ୍ଗରେ ରହିଛି। ତାଙ୍କ ସମସ୍ୟା ସହ ଯୋଡ଼ି ହୋଇଛି। ସୁଖ ଦୁଃଖ କଥା ବୁଝିଛି। ଏଣୁ ମୁଁ ନିଶ୍ଚିତ ଯେ ଏଥର ବି ମତେ ଲୋକେ ଭୋଟ ଦେବେ। ମୁଁ ନିଶ୍ଚିତ ଜିତିବି’’, କହିଛନ୍ତି ଚିରଞ୍ଜିବ ବିଶ୍ୱାଳ।

୨୦୧୪ ନିର୍ବାଚନରେ କଂଗ୍ରେସ ଯେଉଁ କିଛି ହାତଗଣତି ଆସନରେ ବିଜୟ ବାନା ଉଡ଼ାଇଥିଲା ତା’ ମଧ୍ୟରୁ ଜଗତସିଂହପୁର ହେଉଛି ଅନ୍ୟତମ। ଏହି ଆସନରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସଙ୍କୁ ପରାଜିତ କରି କଂଗ୍ରେସର ଚିରଞ୍ଜିବ ବିଶ୍ୱାଳ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଏଥର ବି ଚିରଞ୍ଜିବୀଙ୍କ ଉପରେ କଂଗ୍ରେସ ଭରସା କରିଛି। ଜଗତସିଂହପୁର ବିଧାନସଭା ଆସନରୁ ସେ ପ୍ରାର୍ଥୀ ହୋଇଛନ୍ତି। ଏଥର ବି ଲୋକଙ୍କ ସ୍ନେହ ଶ୍ରଦ୍ଧା ପାଇ ବିଧାନସଭାକୁ ନିର୍ବାଚିତ ହେବା ପାଇଁ ଚିରଞ୍ଜିବ ଆଶା କରିଛନ୍ତି।

‘‘ମୋ’ ବିପକ୍ଷରେ ଯିଏ ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କର ସ୍ଥିତି ସୁଦୃଢ଼ ନାହିଁ। ବିଜେଡିର ଯିଏ ପ୍ରାର୍ଥୀ ହୋଇଛନ୍ତି ସେ ୧୦ ବର୍ଷ ହେଲା ବାଲିକୁଦା-ଏରସମାରେ ବିଧାୟକ ଥିଲେ। ନବୀନ ବାବୁ ସେଠି ତାଙ୍କ ଟିକେଟ କାଟି ଏଠି କାହିଁକି ଦେଲେ? ଯଦି ତାଙ୍କ ଟିକେଟ କଟିଥାନ୍ତା ତାହାଲେ ସେ ଆଉ କେଉଁ ଦଳକୁ ଚାଲି ଯାଇଥାନ୍ତେ। ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଗତସିଂହପୁରରେ ଥଇଥାନ କରାଯାଇଛି’’, କହିଛନ୍ତି ଚିରଞ୍ଜିବ ବିଶ୍ୱାଳ।

ଚିରଞ୍ଜିବ ଆହୁରି କହିଛନ୍ତି, ‘‘ଛତିଶଗଡ଼ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଘର ଘର ବୁଲି ପ୍ରଚାର କରିଥିଲେ। ତାଙ୍କ ପାଇଁ ବହୁ ହେବିଓ୍ୱେଟ ନେତା ଆସି ପ୍ରଚାର କରିଥିଲେ। ହେଲେ ଫଳାଫଳା କ’ଣ ହେଲା? ଠିକ୍ ସେମିତି ନବୀନ ପଟ୍ଟନାୟକ ଓଡ଼ିଶାରେ ଜୋରଦାର ପ୍ରଚାର କଲେ ବି କିଛି ଲାଭ ମିଳିବନି। ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ।’’

ଜଗତସିଂହପୁର ବିଧାନସଭା ଆସନରେ ଆସନ୍ତା ୨୯ରେ ହେବ ଭୋଟ। ଏବେ ଏଠାରେ ପ୍ରଚାର ଜମୁଛି। କଂଗ୍ରେସର ଚିରଞ୍ଜିବ ବିଶ୍ୱାଳଙ୍କୁ ଏଥର ଟକ୍କର ଦେଉଛନ୍ତି ବିଜେଡିର ପ୍ରଶାନ୍ତ ମୁଦୁଲି।

Comment