ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କାଳଭୈରବଙ୍କୁ ଦର୍ଶନ କରି ଓ ବିଶାଳ ରୋଡ୍ ସୋ’ କରି ନରେନ୍ଦ୍ର ମୋଦି ବାରଣାସୀ ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ।

ବାରଣାସୀ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ନରେନ୍ଦ୍ର ମୋଦି। ଆଜି କାଳ ଭୈରବଙ୍କୁ ଦର୍ଶନ କରି ମୋଦି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିଶାଳ ଶୋଭାଯାତ୍ରାରେ ସୁସଜ୍ଜିତ ଗାଡ଼ିରେ ରୋଡ୍ ସୋ’ କରି ଆସିଥିଲେ। ଏକ ଖୋଲା ଗାଡ଼ିରେ ହାତ ହଲାଇ ଲୋକଙ୍କୁ ଉତ୍ସାହିତ କରିଥିଲେ ମୋଦି। ଶୋଭାଯାତ୍ରା ସମୟରେ ମୋଦିଙ୍କ ଉପରେ ଫୁଲର ବର୍ଷା ହେବା ସହ ମୋଦି-ମୋଦି ନାରାରେ କାଶୀ ସହର ଉଠୁଥିଲା ଏବଂ ପଡ଼ୁଥିଲା। ଏହାପରେ ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ସେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଜିଲ୍ଲାପାଳ କାର୍ଯ୍ୟାଳୟରେ ଏନଡିଏ ନେତାମାନେ ଉପସ୍ଥିତ ଥିଲେ।

ମୋଦିଙ୍କ ଏହି ଶୋଭାଯାତ୍ରାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ମୋଦି ଦ୍ୱିତୀୟ ଥର ପାଇଁ ବାରଣାସୀରୁ ନିର୍ବାଚନ ଲଢୁଛନ୍ତି। ୨୦୧୪ରେ ମୋଦି ଦୁଇଟି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ଗୁଜରାଟର ଭଦୋଦରା ଏବଂ ଉତ୍ତରପ୍ରଦେଶର ବାରଣାସୀରୁ ମୋଦି ପ୍ରାର୍ଥୀ ହୋଇଥିଲେ। ଦୁଇଟି ଆସନରୁ ଜିତିବା ପରେ ମୋଦି ଭଦୋଦରା ଆସନକୁ ଛାଡ଼ି ବାରଣାସୀ ଆସନରୁ ପ୍ରତିନିଧିତ୍ୱ କରିଥିଲେ। ଏଥର ମୋଦି ପୁଣି ବାରଣାସୀରେ ପରୀକ୍ଷା ଦେବେ।

ମୋଦିଙ୍କ ବିପକ୍ଷରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଅଜୟ ରାୟ। ସେ ଗତ ଥର ବି ବାରଣାସୀରୁ ଲଢ଼ିଥିଲେ।

ଗୁରୁବାର ଦିନ କାଶୀରେ ବିଶାଳ ରୋଡ ସୋ’ କରିଥିଲେ ମୋଦି। ୭ କିଲୋମିଟର ରୋଡ ସୋ’ କରି ମୋଦି ଶକ୍ତି ପ୍ରଦର୍ଶନ କରିଥିଲେ। ଏହାସହ ଗଙ୍ଗା ଆଳତୀ କରି ଗଙ୍ଗା ମାତାଙ୍କ ପୂଜାର୍ଚ୍ଚନା କରିଥିଲେ।

Comment