ଓଡ଼ିଶାଲାଇଭ୍‌ ବ୍ୟୁରୋ

(କଟକରୁ ପ୍ରଣବ ନନ୍ଦୀ): କଟକର ନୌବାଣିଜ୍ୟ ସଂଗ୍ରହାଳୟ ଏବେ ପର୍ଯ୍ୟଟକ ଏବଂ ଗବେଷକଙ୍କ ପାଇଁ ଆକର୍ଷଣର କେନ୍ଦ୍ରସ୍ଥଳୀ ପାଲଟିଛି। ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ଏହି ସଂଗ୍ରହାଳୟରେ ସାଇତା ହୋଇ ରହିଥିବାରୁ ଏଠାରେ ଲୋକଙ୍କ ଭିଡ଼ ଜମୁଛି।

କଟକର କେଉଁଠି ଏହି ସଂଗ୍ରହାଳୟ?

ଓଡିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ କଟକର ଯୋବ୍ରାଠାରେ ଅବସ୍ଥିତ। ପ୍ରାୟ ୬.୫ ଏକର ପରିମିତ ଜମିରେ ମହାନଦୀର ଦକ୍ଷିଣ କୂଳରେ ପ୍ରତିଷ୍ଠା ହୋଇଥିବା ଏହି ସଂଗ୍ରହାଳୟରେ ଓଡିଆ ଜାତିର ପୂର୍ବ ନୌବାଣିଜ୍ୟ ଐତିହ୍ୟ ସ୍ଥାନିତ ହୋଇଛି। ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟର ଇତିହାସ ସଂପର୍କରେ ପୂର୍ଣ୍ଣ ଅବତାରଣା ଏହି ସଂଗ୍ରହାଳୟ ମାଧ୍ୟମରେ କରାଯାଇଛି।

ଏହି ନୌବାଣିଜ୍ୟ ସଂଗ୍ରହାଳୟକୁ ୨୦୧୩ ଏପ୍ରିଲ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ସଂଗ୍ରହାଳୟ ପରିସରରେ ଆମ୍ପି ଥିଏଟର, ପ୍ରଦର୍ଶନୀ ହଲ୍, ଶିଶୁମାନଙ୍କ ପାଇଁ ମନୋରଞ୍ଜନ ନିମନ୍ତେ ପାଠାଗାର, ସୋଭେନିୟର ସପ୍, ଆକ୍ୱାରିୟମ୍, କାଫେଟେରିଆ, ମଲ୍ଟିମିଡିଆ ପ୍ରକୋଷ୍ଠ ପ୍ରଭୃତି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଏହି ସଂଗ୍ରହାଳୟ ଦେଖିବାକୁ ପ୍ରତିଦିନ ଆସିଥାନ୍ତି।

 

୧୧ ଗ୍ୟାଲେରି : କେଉଁ ଗ୍ୟାଲେରିରେ କ’ଣ ଅଛି?

ସଂଗ୍ରହାଳୟରେ ମୋଟ ୧୧ଟି ଗ୍ୟାଲେରି ରହିଛି। ଏହି ଗ୍ୟାଲେରିଗୁଡ଼ିକରେ ଓଡ଼ିଶାର ଇତିହାସଠାରୁ ଆରମ୍ଭ କରି ସ୍ୱାଧୀନତା ପୂର୍ବର ବିଭିନ୍ନ ନୌବାଣିଜ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ, ତଥ୍ୟ, ପ୍ରମାଣ ଓ ଫଟୋଚିତ୍ରଗୁଡିକ ସ୍ଥାନ ପାଇଛି।

ପ୍ରଥମ ଗ୍ୟାଲେରିରେ ଯୋବ୍ରାର ଇତିହାସ, ୱାର୍କସପ୍‌ଠାରୁ ମ୍ୟୁଜିୟମ୍ ସ୍ଥାପନା ସଂପର୍କରେ ସବିଶେଷ ତଥ୍ୟ ରହିଛି। ସେହିପରି ଦୁଇ ନମ୍ବର ଗ୍ୟାଲେରିରେ ପୂର୍ବରୁ ପ୍ରଚଳିତ ବିଭିନ୍ନ ମୁଦ୍ରା, ବଟକରା, ଜାଭା ଓ ସୁମାତ୍ରା ଦ୍ୱୀପ ସହ ନୌବାଣିଜ୍ୟ ସଂପର୍କିତ ତଥ୍ୟ ଉପସ୍ଥାପିତ ହୋଇଛି। ତୃତୀୟ ଗ୍ୟାଲେରିରେ ବାଣିଜ୍ୟ କାରବାର ସହ କାଠପଟାରେ ନିର୍ମିତ ଧୀବରଙ୍କ ମାଛ ଧରା ବୋଟ ଠାରୁ ବର୍ତ୍ତମାନ ଲୁହା ବୋଟ ସଂପର୍କରେ ସୂଚନା ରହିଛି।

ଚାରି ନମ୍ବର ଗ୍ୟାଲେରିରେ ଅଷ୍ଟାଦଶ ଶତାବ୍ଦୀରୁ ଆରମ୍ଭ କରି ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଇଂଲଣ୍ଡ ଓ ଭାରତର ବିଭିନ୍ନ ଯନ୍ତ୍ରପାତି ଏଠାରେ ସ୍ଥାନ ପାଇଛି। ପାଞ୍ଚ ନମ୍ବର ଗ୍ୟାଲେରିରେ ଓଡିଆ ଜାତିର ବିଭିନ୍ନ ପୂଜା ପ୍ରଥା ଓ ପର୍ବ ପର୍ବାଣୀ ସଂପର୍କରେ ତଥ୍ୟ ରହିଛି। ଛଅ ନମ୍ବର ଗ୍ୟାଲେରିରେ ପୁରାତନ ଜାହାଜର ମଡେଲ, ଯନ୍ତ୍ରପାତି, ପତାକା, ବିଭିନ୍ନ ହାତ ହତିଆର ପ୍ରସ୍ତୁତି ଏଥିରେ ସ୍ଥାନ ପାଇଛି। ସାତ ନମ୍ବର ଗ୍ୟାଲେରିରେ ଓଡିଶାର ପୁରାତନ ଓ ନୂତନ ବନ୍ଦର ସଂପର୍କରେ ତଥ୍ୟ ରହିଛି।

ସେହିପରି ଆଠ ନମ୍ବର ଗ୍ୟାଲେରିରେ ପୁରାତନ ଯୁଗର ବିଭିନ୍ନ ସାମଗ୍ରୀରେ ନିର୍ମିତ ବୋଟ୍ ସଂପର୍କରେ ସୂଚନା ଦିଆଯାଇଛି। ନଅ ନମ୍ବର ଗ୍ୟାଲେରିରେ ଆମ୍ପ ଥିଏଟର ରହିଛି। ଏଠାରେ ୨୫୦ ଜଣ ଦର୍ଶକ ବସିବା ଭଳି ବ୍ୟବସ୍ଥା ରହିଛି। ଦଶ ନମ୍ବର ଗ୍ୟାଲେରିରେ ଚିତ୍ରକଳା ଓ ପେଣ୍ଟିଂ ପ୍ରଦର୍ଶନ ପାଇଁ ସୁବିଧା ରହିଛି। ଏଗାର ନମ୍ବର ଗ୍ୟାଲେରିରେ ଏକ ମଲ୍ଟିମିଡିଆ ହଲ ରହିଛି। ଏଠାରେ ୪୮  ଜଣ ଦର୍ଶ ବସିବା ଭଳିଆ ସୁବିଧା ରହିଛି।

ଗ୍ୟାଲେରିର କାନ୍ଥଗୁଡିକରେ ଜଳପଥ ଦେଇ ବାଣିଜ୍ୟ କରିବାକୁ ଯାଉଥିବା ସାଧବ ପୁଅମାନଙ୍କ ଚିତ୍ର, ପୁରାତନ ଜାହାଜ, ସ୍ୱଧୀନତା ପୂର୍ବର ଓଡ଼ିଶା ମାନଚିତ୍ର, ଇଂରେଜମାନଙ୍କ ଜଳପଥରେ ବାଣିଜ୍ୟ ପାଇଁ ଓଡିଶାକୁ ଆସିଥିବାର ଦୃଶ୍ୟ ଇତ୍ୟାଦି ସ୍ଥାନିତ ହୋଇଛି। ଏହାଛଡ଼ା ଗ୍ୟାଲେରିରେ ଓଡ଼ିଶା ବାଣିଜ୍ୟ ଓ ପ୍ରଗତି ଐତିହ୍ୟକୁ ଅଡିଓ ଭିଡିଓ ମାଧ୍ୟମରେ ଦର୍ଶକଙ୍କୁ ଦେଖାଯିବାର ବ୍ୟବସ୍ଥା ରହିଛି।

ଆକ୍ୱାରିୟମରେ ରହିଛି ବିରଳ ପ୍ରଜାତିର ମାଛ

ନୌବାଣିଜ୍ୟ ସଂଗ୍ରହାଳୟ ପରିସରରେ ଥିବା ଆକ୍ୱାରିୟମ ଦେଖିବାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି। ଏହି ଆକ୍ୱାରିୟମରେ ଚିଲିକା, ବୈତରଣୀ, ଭିତରକନିକା ଓ ମହାନଦୀରେ ମିଳୁଥିବା ବିରଳ ପ୍ରଜାତିର ମାଛ ରହିଛି। ଏଥିସହିତ ଦକ୍ଷିଣ ଆମେରିକାରର ରେଡଟେଲ ଓ କ୍ୟାଟ ଫିସ୍ , ଜାପାନର କୋଇଫିସ୍, ଦକ୍ଷିଣ ଆଫ୍ରିକାର ଫୋଣ୍ଟାସା ମାଛ ସହିତ ଅନେକ ବିରଳ ପ୍ରଜାତିର ମାଛ ଏହି ଆକ୍ୱାରିୟମରେ ରହିଛି ।

କେତେବେଳେ ଖୋଲୁଛି ସଂଗ୍ରହାଳୟ

ସଂଗ୍ରହାଳୟ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲାରହିଥାଏ। ପ୍ରତି ସୋମବାର ଦିନ ସଂଗ୍ରହାଳୟ ବନ୍ଦ ରହିଥାଏ। ଭାରତୀୟ ଦର୍ଶକଙ୍କ ପାଇଁ ପ୍ରବେଶ ଫି ୧୦ଟଙ୍କା ରହିଥିବା ବେଳେ ବିଦେଶୀ ଦର୍ଶକଙ୍କ ପାଇଁ ପ୍ରବେଶ ଫି ୧୦୦ ଟଙ୍କା ରହିଛି। ସେହିପରି ଡିଜିଟାଲ କ୍ୟାମେରା ନେବା ପାଇଁ ଭାରତୀୟ ଦର୍ଶକଙ୍କ ପାଇଁ ୧୦ ଟଙ୍କା ଫି ଓ ବିଦେଶୀ ଦର୍ଶକଙ୍କ ପାଇଁ ୧୦୦ ଟଙ୍କା ଫି ରହିଛି।

ଛୁଟି ଦିନଗୁଡିକରେ କଲେଜ ଛାତ୍ରଛାତ୍ରୀ, ଛୋଟ ଛୋଟ ପିଲାଙ୍କ ସହିତ ସେମାନଙ୍କ ପରିବାର ଏବଂ ବହୁ ଦର୍ଶକ ସଂଗ୍ରହାଳୟ ବୁଲିବାକୁ ଆସିଥାନ୍ତି। ସଂଗ୍ରହାଳୟ ବୁଲି ଦେଖିବା ସହିତ ମହାନଦୀର ଶାନ୍ତ ପ୍ରାକୃତିକ ପରିବେଶର ଦର୍ଶକ ମଧ୍ୟ ମଜା ଉଠାଇଥାନ୍ତି।

“ସଂଗ୍ରହାଳୟରୁ ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ସଂପର୍କରେ ବହୁତ କିଛି ଜାଣିବାକୁ ମିଳିଛି। ଏହି ସଂଗ୍ରହାଳୟ ଆଗାମୀ ପିଢ଼ିକୁ ପ୍ରଚୀନ ଉତ୍କଳ ପରମ୍ପରା ବିଷୟରେ ସନ୍ଦେଶ ଦେବ” ପର୍ଯ୍ୟଟକ ଅଶୋକ ବାନାର୍ଜୀ କହିଛନ୍ତି।

ଅନ୍ୟ ଜଣେ ପର୍ଯ୍ୟଟକ ଅଭିଶେକ ନନ୍ଦ କହିଛନ୍ତି, “ସାଧବ ପୁଅମାନଙ୍କ ଦୁଃସାହସିକ ଜଳଯାତ୍ରା ବିଷୟରେ ବହୁ ତଥ୍ୟ ଏହି ସଂଗ୍ରହାଳୟରୁ ଜାଣିବାକୁ ମିଳିଛି। ଓଡ଼ିଶା ସଂସ୍କୃତିକୁ ସାଇତି ରଖିବାରେ ଏହି ସଂଗ୍ରହାଳୟ ବିଶେଷ ଭୂମିକା ଗ୍ରହଣ କରିଛି।”

Comment