ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଯାଞ୍ଚ କରି ନିଲମ୍ବିତ ହୋଇଥିବା ଆଇଏଏସ୍ ଅଧିକାରୀଙ୍କ ଉପରୁ ନିଲମ୍ବନ ହଟିଲା। ନିଲମ୍ବନ ହଟାଇଛି ନିର୍ବାଚନ କମିଶନ।

ଏହା ପୂର୍ବରୁ ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଥିବା ମହମ୍ମଦ ମହସିନଙ୍କ ନିଲମ୍ବନ ଉପରେ ରୋକ ଲଗାଇଥିଲେ କ୍ୟାଟ୍।

ଏପ୍ରିଲ ୧୬ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ସମୟରେ ହେଲିକପ୍ଟର ଯାଞ୍ଚ କରିଥିଲେ ମହମ୍ମଦ ମହସିନ। ନିୟମ ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ ଆଇଏଏସ୍ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ଏସପିଜି ସୁରକ୍ଷା ଥିବା କୌଣସି ବ୍ୟକ୍ତିଙ୍କୁ ଯାଞ୍ଚ କରିବାର ଅଧିକାର ନଥିବା କହିଥିଲେ ନିର୍ବାଚନ କମିଶନ। ଯାଞ୍ଚ ଯୋଗୁଁ ପ୍ରଧାନମନ୍ତ୍ରୀ ଗସ୍ତରେ ୧୫ ମିନିଟ ବିଳମ୍ବ ହୋଇଥିବା ଅଭିଯୋଗ ଥିଲା।

ସମ୍ବଲପୁରରେ ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ନ୍ୟସ୍ତ ଥିଲେ ଏହି ଆଇଏଏସ୍ ଅଧିକାରୀ। ନିଲମ୍ବନକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ଅଧିକାରୀଙ୍କୁ ନିଲମ୍ବିତ କରିବା ଠିକ୍ ନୁହେଁ ବୋଲି କହିଥିଲା କଂଗ୍ରେସ।

ଦୁଇ ଦିନ ପୂର୍ବରୁ ଆଇଏଏସ ଅଫିସର ମହମ୍ମଦ ମହସିନଙ୍କୁ କର୍ଣ୍ଣାଟକ ପଠାଇ ଦିଆଯାଇଛି। କର୍ଣ୍ଣାଟକ କ୍ୟାଡର ୧୯୯୬ ବ୍ୟାଚର ଆଇଏଏସ ଅଫିସର ଅଟନ୍ତି ମହମ୍ମଦ ମହସିନ୍।

Comment