ଓଡ଼ିଶାଲାଇଭ୍ ବ୍ୟୁରୋ

ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ୯ ରାଜ୍ୟର ୭୧ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ ଗିରିରାଜ ସିଂହ, ବାବୁଲ ସୁପ୍ରିୟୋ, ଉପେନ୍ଦ୍ର କୁଶୱାହା, ମିଲିନ୍ଦ ଦେୱଡା, କହ୍ନେୟା କୁମାର, ଅବଦୁଲ ୱାରି ସିଦ୍ଦିକ୍, ଉର୍ମିଳା ମାତୋଣ୍ଡକର ପ୍ରିୟା ଦତ୍ତ ଏବଂ ପୁନମ ମହାଜନଙ୍କ ଭଳି ଭିଆଇପି ପ୍ରାର୍ଥୀଙ୍କ ଭାଗ୍ୟ ବାଜିରେ ଲାଗିଛି।

ବିହାର ଦରଭଙ୍ଗା ଆସନରୁ ମେଣ୍ଟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ବରିଷ୍ଠ ନେତା ଅବଦୁଲ ୱାରି ସିଦ୍ଦିକ୍।  ରାଜ୍ୟରେ ଅବଦୁଲ ୱାରି ସିଦ୍ଦିକ ବଡ଼ ମୁସଲିମ ନେତା ଭାବେ ଜଣାଶୁଣା। ନିର୍ବାଚନୀ ମୈଦାନରେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଗୋପାଳ ଜି ଠାକୁର।

ବେଗୁସରାଇ ଆସନଟି ସବୁଠୁ ହାଇପ୍ରୋଫାଇଲ ଆସନ ବୋଲି କୁହାଯାଇଛି। ଏଠାରୁ ନିର୍ବାଚନ ଲଢ଼ୁଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଗିରିରାଜଙ୍କୁ ଟକ୍କର ଦେବା ପାଇଁ ମେଣ୍ଟ ପ୍ରାର୍ଥୀ ଭାବେ ତନବୀର ହସନ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ସିପିଆଇ ଆସନରୁ କହ୍ନେୟା କୁମାର ନିର୍ବାଚନ ଲଢ଼ୁଥିବାରୁ ତ୍ରିକୋଣୀୟ ମୁକାବିଲା ହେବ ବୋଲି କୁହାଯାଉଛି।

ମଧ୍ୟପଦେଶ ସିଦ୍ଧି ଆସନରେ କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କ ପୁଅ ଅଜୟ ସିଂହ ପ୍ରାର୍ଥୀ ହୋଇଛନ୍ତି। ଅଜୟଙ୍କୁ ଟକ୍କର ଦେବା ପାଇଁ ବିଜେପିରୁ ନିର୍ବାଚନ ଲଢ଼ୁଛନ୍ତି ବର୍ତ୍ତମାନ ସାଂସଦ ଥିବା ରିତି ପାଠକ।

ଛିନ୍ଦୱାଡା ଆସନଟି ହେଉଛି କଂଗ୍ରେସର ଗଡ। ଏକମାତ୍ର ଉପନିର୍ବାଚନରେ କଂଗ୍ରେସ ଏହି ଆସନରେ ପରାଜୟର ମୁହଁ ଦେଖିଥିଲା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଏହି ଆସନରୁ ୯ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଆସନରେ କଂଗ୍ରେସ କମଲନାଥଙ୍କ ପୁଅ ନକୁଳନାଥଙ୍କୁ ଟିକେଟ ଦେଇଛି। ନକୁଳନାଥଙ୍କୁ ଟକ୍କର ଦେବା ପାଇଁ ବିଜେପି ନଥନ ଶାହଙ୍କୁ ଟିକେଟ୍ ଦେଇଛି।

ମୁମ୍ବାଇ ଉତ୍ତର ଆସନରେ କଂଗ୍ରେସ ପକ୍ଷରୁ ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ନିର୍ବାଚନ ଲଢ଼ୁଥିଲାବେଳେ ତାଙ୍କୁ ଟକ୍କର ଦେବାକୁ ବିଜେପି ଗୋପାଲ ସେଟ୍ଟୀଙ୍କୁ ମୈଦାନକୁ ଓହ୍ଲାଇଛି।

ମୁମ୍ବାଇ ନର୍ଥ ସେଣ୍ଟ୍ରାଲରେ କଂଗ୍ରେସ ଅଭିନେତା ସୁନୀଲ ଦତ୍ତଙ୍କ ଝିଅ ପ୍ରିୟା ଦତ୍ତଙ୍କୁ ଟିକେଟ୍ ଦେଇଛି। ସେହିପରି ବିଜେପି ପୁଣି ଥରେ ଦିବଙ୍ଗତ ନେତା ପ୍ରମୋଦ ମହାଜନଙ୍କ ଝିଅ ପୁନମ ମହାଜନଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରିଛି। ୨୦୧୪ରେ ଏହି ଆସନରେ ପୁନମ ମହାଜନ ବିଜୟୀ ହୋଇଥିଲାବେଳେ ୨୦୦୯ରେ ପ୍ରିୟା ଦତ୍ତ ଏହି ଆସନରୁ ଲଢ଼ି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ରାଜସ୍ଥାନ ଯୋଧପୁର ଆସନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଗ୍ୟ ବାଜିରେ ଲାଗିଛି। କାରଣ ଗେହଲଟଙ୍କ ପୁଅ ବୈଭବ ଏହି ଆସନରୁ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ବୈଭଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଗଜେନ୍ଦ୍ର ସିଂହ ଶେଖାୱତ ।

ଉତ୍ତରପ୍ରଦେଶ କନୌଜ ଆସନରୁ ଅଖିଳେଶ ଯାଦବଙ୍କ ପତ୍ନୀ ଏବଂ ଦୁଇଥର ସାଂସଦ ହୋଇଥିବା ଡିମ୍ପଲ ଯାଦବ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

ପଶ୍ଚିମବଙ୍ଗ ଆସୋନସଲ ଆସନରୁ କେନ୍ଦ୍ରମନ୍ତ୍ରୀ ଏବଂ ଗାୟକ ବାବୁଲ ସୁପ୍ରିୟୋ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ବାବୁଲ ସୁପ୍ରିୟୋଙ୍କୁ ଟକ୍କର ଦେବାକୁ ଟିଏମସି ଦେବ ବର୍ମାଙ୍କୁ ପ୍ରାର୍ଥୀ କରିଛି।

Comment