ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ 

ଇଭିଏମରେ ବନ୍ଦ ହେଲା ବଡ଼ ନେତାଙ୍କ ଭାଗ୍ୟ।

ଆଜି ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ଭୋଟ। ଚତୁର୍ଥ ପର୍ଯ୍ୟାୟରେ ବଡ଼ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ଭୋଟର ଇଭିଏମ ମେସିନରେ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ମେ’ ୨୩ରେ ହିଁ ଜଣାପଡ଼ିବ ପରୀକ୍ଷାରେ କିଏ ପାସ୍ କରିଛି ଆଉ କିଏ ଫେଲ୍ ହୋଇଛି।

ଲୋକସଭାର ବଡ଼ ନେତା

୬ଟି ଲୋକସଭା ଆସନରେ ଆଜି ଥିଲା ଭୋଟ। ଏହି ପର୍ଯ୍ୟାୟରେ ତିନି ପ୍ରମୁଖ ଦଳର ଭାଗ୍ୟ ପରୀକ୍ଷା କରିଛନ୍ତି ଭୋଟର। ଏମାନଙ୍କ ଭିତରେ ଅଛନ୍ତି କେନ୍ଦ୍ରାପଡ଼ା ଲୋକସଭା ଆସନର ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଏବଂ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ।

ବୈଜୟନ୍ତ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ଧରଣୀ ୨୦୧୪ ପରୀକ୍ଷାରେ ଫେଲ୍ ହୋଇଥିଲେ। ଅନୁଭବ ଲୋକସଭା ନିର୍ବାଚନ ମଇଦାନରେ ନୂଆ। ତେବେ ଏହି ତିନି ପ୍ରାର୍ଥୀଙ୍କ ଭିତରୁ କେନ୍ଦ୍ରାପଡ଼ା ଭୋଟର କାହାକୁ ନେତା ଭାବେ ବାଛିବେ ତାହା ଦେଖିବାକୁ ବାକି ରହିଲା।

ବାଲେଶ୍ୱର ଲୋକସଭା ଆସନର ବଡ଼ ନେତା ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ସେହିପରି ନବାଗତ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ବି ଆଜି ପରୀକ୍ଷା ଦେଇଛନ୍ତି। ଦୁଇ ଅଭିଜ୍ଞ ନା ନୂଆ ମୁହଁକୁ ଏଥର ବାଲେଶ୍ୱରବାସୀ ଭରସା କରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

ଜଗତସିଂହପୁର ଲୋକସଭା ଆସନରେ ଭାଗ୍ୟ ପରୀକ୍ଷା କରିଛନ୍ତି ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ, ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ। ଏମାନଙ୍କ ଭିତରୁ ନୂଆ ହେଉଛନ୍ତି ପ୍ରତିମା।

ଭଦ୍ରକରେ ବି ନୂଆ ମୁହଁଙ୍କ ଭିତରେ ଲଢ଼େଇ ହୋଇଛି। କଂଗ୍ରେସ ପ୍ରାର୍ଥୀ ମଧୁମିତା ସେଠୀ, ବିଜେପିର ଅଭିମନ୍ୟୁ ସେଠୀ ଏବଂ ବିଜେଡିର ମଞ୍ଜୁଲତା ମଣ୍ଡଳଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି।

ସେହିପରି ଯାଜପୁର ଏବଂ ମୟୂରଭଞ୍ଜ ଲୋକସଭା ଆସନରେ ଏଥର ନୂଆ ମୁହଁଙ୍କ ଭିତରେ ଟକ୍କର ହୋଇଛି। କେବଳ ବିଜେଡି ମୟୂରଭଞ୍ଜରେ ଅଭିଜ୍ଞ ସରୋଜିନୀ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଥିଲା। ସରୋଜିନୀଙ୍କ ଭାଗ୍ୟ ବି ଆଜି ଇଭିଏମରେ ସିଲ ହୋଇଛି।

ବିଧାନସଭା ସିଟ୍‌ର ବଡ଼ ନେତା

୪୧ ବିଧାନସଭା ଆସନରେ ଆଜି ହୋଇଛି ପରୀକ୍ଷା। ତିନି ପ୍ରମୁଖ ଦଳର ହେବିୱେଟଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ଏମାନଙ୍କ ଭିତରେ ଅଛନ୍ତି କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀ ଶଶୀଭୂଷଣ ବେହେରା, ମହାକାଳପଡ଼ା ବିଜେଡି ପ୍ରାର୍ଥୀ ଅତନୁସବ୍ୟସାଚୀ ନାୟକ, ଆଳିର ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବଙ୍କ ଭାଗ୍ୟ ଇଭିଏମରେ ରହିଛି।

ସେହିପରି ମାହାଙ୍ଗା ବିଜେଡି ପ୍ରାର୍ଥୀ ପ୍ରତା ପଜେନା ଏବଂ ସାଲେପୁର ବିଜେପି ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ଭାଗ୍ୟ ବି ପରୀକ୍ଷା ହୋଇଛି।

ଯାଜପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ବିଞ୍ଝାରପୁରର ପ୍ରମିଳା ମଲ୍ଲକ, ବଡ଼ଚଣାର ଅମର ଶତପଥୀ, ସୁକିନ୍ଦାର ପ୍ରୀତିରଞ୍ଜନ ଘଡ଼ାଇ ଆଜି ପରୀକ୍ଷା ଦେଇଛନ୍ତି। ଏମାନଙ୍କ ଭିତରୁ କିଏ ପାସ୍ ଏବଂ ଫେଲ୍ ହେଉଛନ୍ତି ତାହା ମେ’ ୨୩ରେ ହିଁ ଜଣାପଡ଼ିବ।

ଜଗତସିଂହପୁରରେ ପରୀକ୍ଷା ଦେଇଛନ୍ତି ହେବିୱେଟ ନେତା ଚିରଞ୍ଜିବ ବିଶ୍ୱାଳ, ବିଷ୍ଣୁ ଦାସ, ଡାକ୍ତର ଦାମୋଦର ରାଉତ ଏବଂ ତାଙ୍କ ପୁଅ ସମ୍ବିତ ରାଉତରାୟ। ଏମାନଙ୍କ ଉପରେ ଭୋଟର କେତେ ଆସ୍ଥା ପ୍ରକଟ କରୁଛନ୍ତି ତା’ ଉପରେ ନଜର।

ଭଦ୍ରକ ଜିଲ୍ଲାରେ ପରୀକ୍ଷା ଦେଇଛନ୍ତି ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ବ୍ୟୋମକେଶ ରାୟ, ପ୍ରଫୁଲ୍ଲ ସାମଲ, ନିରଞ୍ଜନ ପଟ୍ଟନାୟକଙ୍କ ଭଳି ନେତା। ଏମାନଙ୍କ ଭାଗ୍ୟ କ’ଣ ହେଉଛି ତାକୁ ହିଁ ଅପେକ୍ଷା।

Comment