ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ନବୀନଙ୍କୁ କଡ଼ା ଆକ୍ଷେପ କଲେ ବୈଜୟନ୍ତ। ‘ବିଶ୍ୱାସଘାତକ’ର ଜବାବ ‘ବେଇମାନ’ରେ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ‘ବିଶ୍ୱାସଘାତକ’ର ଜବାବ ଦେଇଛନ୍ତି କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ନବୀନଙ୍କୁ ‘ବେଇମାନ’ କହି ବୈଜୟନ୍ତ ସିଧାସଳଖ ଟାର୍ଗେଟ କରିଛନ୍ତି। ନବୀନଙ୍କ ‘ବିଶ୍ୱାସଘାତକ’ ଏବଂ ବୈଜୟନ୍ତଙ୍କ ‘ବେଇମାନ’ ଆକ୍ଷେପକୁ ନେଇ କେନ୍ଦ୍ରାପଡ଼ାର ନିର୍ବାଚନ ଯୁଦ୍ଧ ସରଗରମ ହୋଇଯାଇଛି।

‘‘ବେଇମାନ କିଏ ଏବଂ କାହାସହ କିଏ ବେଇମାନୀ କରିଛି ତାହା ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି। ମୁଁ ବିଗତ ଦିନରେ ବି କହିଛି ଏବଂ ଆଜି ବି କହୁଛି ନବୀନ ହେଉଛନ୍ତି ବେଇମାନ’’, ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ କହିଛନ୍ତି ବୈଜୟନ୍ତ।

‘‘୧୯୭୯ ମସିହାରେ ବିଜୁ ଅଙ୍କଲଙ୍କ କଳିଙ୍ଗ ଟ୍ୟୁବ୍‌ସ ବନ୍ଦ ହୋଇଯାଇଥିଲା। ବିଜୁ ଅଙ୍କଲଙ୍କ ମୁଣ୍ଡରେ ଋଣ ବୋଝ ରହିଥିଲା। ସେତେବେଳେ ବିଜୁ ଅଙ୍କଲ ମୋ’ ବାପାଙ୍କୁ ଅନୁରୋଧ କରିଥିଲେ କି ତାଙ୍କ ମୁଣ୍ଡରେ ଥିବା ଋଣ ଭାର ନିଜ ମୁଣ୍ଡକୁ ନେଇଯିବା ପାଇଁ। ସେତେବେଳେ ଯଦି ମୋ’ ବାପା ବିଜୁ ଅଙ୍କଲଙ୍କ ମୁଣ୍ଡରୁ ଋଣ ଭାର ନିଜ ମୁଣ୍ଡକୁ ନେଇ ନଥାନ୍ତେ ତାହାଲେ ଆଜି ନବୀନ ନିବାସ ନଥାନ୍ତା କି ଦିଲ୍ଲୀ ଔରଙ୍ଗଜେବ ରୋଡର ବାସଭବନ ନଥାନ୍ତା’’, କହିଛନ୍ତି ବୈଜୟନ୍ତ।

‘‘ଗତ କିଛିମାସ ତଳେ, ମୋ’ ବାପାଙ୍କର ଦେହାନ୍ତ ହୋଇଗଲା। ହେଲେ ନବୀନ ବାବୁ ଫୁଲଟିଏ ଦେବାକୁ ଆସିଲେ ନାହିଁ। ତାଙ୍କ ଦଳର ଅନ୍ୟ ନେତାମାନଙ୍କୁ ବି ଛଡ଼ାଗଲା ନାହିଁ। କିଏ କାହା ସହ ‘ବେଇମାନ’ କରିଛି ବିଚାର କରନ୍ତୁ’’, ନବୀନଙ୍କୁ ଏଭଳି କଡ଼ା ଭାଷାରେ ତାତ୍ସଲ୍ୟ କରିଛନ୍ତି ବୈଜୟନ୍ତ।

କେନ୍ଦ୍ରାପଡ଼ାରେ ନିର୍ବାଚନ ମଇଦାନ ସରଗରମ ହୋଇଯାଇଥିଲା। ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ନେଇ ରାଜନୀତି ମଇଦାନ ଉଠିଥିଲା ପଡ଼ିଥିଲା। ବୈଜୟନ୍ତଙ୍କୁ କଥା କଥାରେ ଆକ୍ଷେପ କରୁଥିଲେ ବିଜେଡି ନେତା। ନିଜେ ପ୍ରାର୍ଥୀ ହୋଇଥିବା ଅନୁଭବ ମହାନ୍ତି ବି ବୈଜୟନ୍ତଙ୍କୁ ‘ବେଇମାନ’ କହିବାକୁ ପଛାଇ ନଥିଲେ। କେନ୍ଦ୍ରାପଡ଼ାରେ ‘ବେଇମାନ ବନାମ ସ୍ୱାଭିମାନ’ର ଲଢ଼େଇ ଚାଲିଥିବା ଅନୁଭବ କହିଥିଲେ। ଆଜି ଏହାର ସିଧାସଳଖ ଜବାବ ବୈଜୟନ୍ତ ଦେଇଛନ୍ତି।

ଗତ ୨୬ ତାରିଖରେ ନିଜେ ନବୀନ ଯାଇଥିଲେ କେନ୍ଦ୍ରାପଡ଼ା। ମହାକାଳପଡ଼ା ଏବଂ ପାଟକୁରାରେ ପ୍ରଚାର କରି ରାତିରେ ରହିଥିଲେ। ୨୭ରେ ପୁଣି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ। ଏହି ପ୍ରଚାରରେ ନବୀନ ବୈଜୟନ୍ତଙ୍କୁ ଆକ୍ଷେପ କରି ‘ବିଶ୍ୱାସଘାତକ’ କହିଥିଲେ।

‘‘ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଏବଂ ୪୧ ବିଧାନସଭାରେ ଭୋଟ ହେଉଛି। ହେଲେ ଶାସକ ଦଳ ଏବଂ ତାଙ୍କ ମୁଖିଆ ମୋ’ ଉପରେ କାହିଁକି ଫୋକସ୍ କରିଛନ୍ତି ତାହା ମୁଁ ବୁଝି ପାରୁନି। ନିଜେ ନବୀନ କେନ୍ଦ୍ରାପଡ଼ାରେ ଦୁଇ ଦିନ ରହିଲେ। ୧୦୦ରୁ ଅଧିକ ବିଧାୟକ, ମନ୍ତ୍ରୀ ଏବଂ ଅନ୍ୟ କର୍ମକର୍ତ୍ତା ବି କେନ୍ଦ୍ରାପଡ଼ାରେ ଡେରା ପକାଇଥିଲେ। ତେବେ ସେମାନେ ବୁଝିବା ଦରକାର ଯେ ନିର୍ବାଚନ ହେଉଛି ଲୋକମାନଙ୍କର। ଲୋକଙ୍କ ନିଷ୍ପତ୍ତି ହିଁ ଶ୍ରେଷ୍ଠ ନିଷ୍ପତ୍ତି’’, କହିଛନ୍ତି ବୈଜୟନ୍ତ।

Comment