ଓଡ଼ିଶାଲାଇଭ୍ ବ୍ୟୁରୋ

  •  ବାତ୍ୟା ଯୋଗୁଁ ବ୍ୟାଙ୍କ ସେବା ଗୁରୁତର ବାଧାପ୍ରାପ୍ତ
  •  ଅଧିକାଂଶ ଏଟିଏମ୍ ବନ୍ଦ ରହିଛି
  •  ବ୍ୟାଙ୍କ କାଉଣ୍ଟର ସେବା ମଧ୍ୟ ସମ୍ଭବ ହେଉନାହିଁ
  •  ଡିଜିଟାଲ୍ କାରବାର ଉପରେ ପ୍ରଭାବ
  •  ଲୋକେ ଖୋଜୁଛନ୍ତି ନଗଦ ଟଙ୍କା

ବାତ୍ୟା ଯୋଗୁଁ ଟେଲିଫୋନ୍ ଓ ଇଣ୍ଟରନେଟ୍ ସେବା ବ୍ୟାହତ ହେବା ଫଳରେ ବ୍ୟାଙ୍କ୍ ସେବା କ୍ଷେତ୍ରରେ ତା’ର ବଡ଼ ପ୍ରଭାବ ପଡ଼ିଛି। ଗତ ୭୨ ଘଣ୍ଟା ଧରି ରାଜ୍ୟର ଫନି ମହାବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ୍ଗୁଡ଼ିକ ଅଚଳ ହୋଇପଡ଼ିଛି। ସେହିପରି ଅଧିକାଂଶ ଏଟିଏମ୍ ବନ୍ଦ ରହିଛି। ଏବେ ପାଖରେ ନଗଦ ଟଙ୍କା ନଥିବାରୁ ଲୋକେ ବଜାରରେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି।

ଶୁକ୍ରବାର ଦିନ ରାଜ୍ୟରେ ଦେଖା ଦେଇଥିଲା ଫନି ତାଣ୍ଡବ। ଏହା ବିଜୁଳି, ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ସେବା ବିଧ୍ୱସ୍ତ କରିଦେବା ଫଳରେ ବ୍ୟାଙ୍କ୍ ସେବାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଗତ ୩ ଦିନ ଧରି ଫନି ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ୍ କାରବାର ଠପ୍ ହୋଇଯାଇଛି। କେତେକ ସ୍ଥାନରେ ସୋମବାର ଦିନ ବ୍ୟାଙ୍କ୍ ଖୋଲା ରହିଥିଲେ ମଧ୍ୟ କୌଣସି ପ୍ରକାରେ କାରବାର ହୋଇପାରୁନାହିଁ। ବିଜୁଳି ଓ ପାଣିନଥିବା କାରଣରୁ ବସ୍ତୁତଃ ବ୍ୟାଙ୍କ୍ଗୁଡ଼ିକ ଏକପ୍ରକାର ଅଚଳ ହୋଇପଡ଼ିଛି। ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଥିବା ଯୋଗୁଁ ବ୍ୟାଙ୍କର ଲିଙ୍କ୍ ଫେଲ୍ ହୋଇଯାଇଛି।

ବାତ୍ୟା ପ୍ରଭାବିତ ପୁରୀ, ଖୋର୍ଦ୍ଧା, କଟକ ଏବଂ ଜଗତ୍ସିଂହପୁର ପରି ଅନେକ ଜିଲ୍ଲାରେ ଏଟିଏମ୍ଗୁଡ଼ିକ ଅଚଳ ହୋଇପଡ଼ିଛି। ଅଳ୍ପ କେତେକ ସ୍ଥାନରେ ଏଟିଏମ୍ ଚାଲୁଥିବା ଦେଖିବାକୁ ମିଳୁଛି। ବ୍ୟାଙ୍କ୍ କାଉଣ୍ଟର ସେବା ସହିତ ଏଟିଏମ୍ର ଏଭଳି ଅବସ୍ଥା ଯୋଗୁଁ ପ୍ରତିଦିନର ଆବଶ୍ୟକତା ପାଇଁ ଲୋକଙ୍କ ପାଖରେ ନଗଦ ଟଙ୍କାର ଅଭାବ ଦେଖାଦେଇଛି।

ସେହିପରି ପେଟ୍ରୋଲ୍ ପମ୍ପ୍, ସପିଂ ମଲ୍, ହୋଟେଲ୍ ଏବଂ ବିଭିନ୍ନ ଛୋଟବଡ଼ ବ୍ୟାବସାୟିକ ସଂସ୍ଥାର ପଏଣ୍ଟ ଅଫ୍ ସେଲ୍ ବା ପିଓଏସ୍ ମେସିନ୍  ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ସେବା ଅଭାବରୁ ଅଚଳ ହୋଇପଡ଼ିଛି। ଫଳରେ ଗ୍ରାହକମାନେ ଡିଜିଟାଲ୍ ପେମେଣ୍ଟ୍ କରିପାରୁନାହାନ୍ତି। ତେଣୁ ‘ଟଙ୍କା ନାହିଁ ତ ସେବା ନାହିଁ’ ଆଜି ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି।

ବର୍ତ୍ତମାନ ବାହାଘର ସମୟ। ଗୋଟିଏ ପଟେ ଡିଜିଟାଲ୍ ପେମେଣ୍ଟ୍ ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ଲୋକଙ୍କ ପକେଟ୍ରେ ନଗଦ ଟଙ୍କା ନାହିଁ। ତେଣୁ ପରିବାରର ଏଭଳି ମାଙ୍ଗଳିକ କାର୍ଯ୍ୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଲୋକମାନେ ଅସୁବିଧାରେ ପଡୁଛନ୍ତି।

ଅନେକ ସ୍ଥାନରେ ରୋଗୀମାନେ ପକେଟ୍ରେ ଟଙ୍କା ନଥିବାରୁ ଚିକିତ୍ସା ସେବା କ୍ଷେତ୍ରରେ ମଧ୍ୟ ଅସୁବିଧା ଭୋଗୁଥିବାର ଦେଖିବାକୁ ମିଳୁଛି।

ଷ୍ଟେଟ୍ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ କେତେକ ଶାଖାରେ ଗ୍ରାହକମାନଙ୍କୁ ସର୍ବନିମ୍ନ  ସେବା ଯୋଗାଇ ଦିଆଯାଉଛି। ତେବେ ଇଣ୍ଟରନେଟ୍ ସେବା ବିଗିଡ଼ିଯାଇଥିବାରୁ ବ୍ୟାଙ୍କର କାର୍ଯ୍ୟ ସ୍ୱାଭାବିକ ହେବା ପାଇଁ ସମୟ ଲାଗୁଛି। ଗୋଟେ ପଟେ ବିଜୁଳି ସଂଯୋଗ ଲାଗି ପ୍ରଶାସନ ଉଦ୍ୟମ କରୁଥିଲା ବେଳେ ଇଣ୍ଟରନେଟ୍ ସେବା ମିଳିପାରିଲେ ବ୍ୟାଙ୍କ କାଉଣ୍ଟର ଏବଂ ଏଟିଏମ୍ ପରିଚାଳନା ସ୍ୱାଭାବିକ ହୋଇପାରିବ।

Comment