ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗର୍ଭଗୃହରେ ହେଲା ଆଣ୍ଠୁଏ ପାଣି
  • ବର୍ଷାରେ ଭିଜିଲେ ଚତୁର୍ଦ୍ଧା ମୂରତି
  • ବନ୍ଦ ହେଲା ସନ୍ଧ୍ୟାଧୂପ, ଭାଙ୍ଗିଲା ପରମ୍ପରା
  • ଆନନ୍ଦ ବଜାର, କଳ୍ପବଟ, ରୋଷଶାଳା ପ୍ରଭାବିତ
  • ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ଭକ୍ତ ଓ ସେବାୟତ

ମହାବାତ୍ୟା ଫନି ବିଗାଡ଼ିଦେଇଛି ଶ୍ରୀମନ୍ଦିର। ଯଦିଓ ବାତ୍ୟାର ୭୨ ଘଣ୍ଟା ବିତିଯାଇଛି ତେବେ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ଚିତ୍ର ମିଳିପାରୁନାହିଁ। ବିଶେଷକରି ଏଥର ବର୍ଷାରେ ଗର୍ଭଗୃହ ଭିତରେ ଆଣ୍ଠୁଏ ପାଣି ହୋଇଥିବାରୁ ମନ୍ଦିରର ରୀତିନୀତି ବାଧାପ୍ରାପ୍ତ ହୋଇଛି।

ଫନି ପୁରୀରେ ଲ୍ୟାଣ୍ଡଫଲ୍ କରିବାର ଗୋଟିଏ ଦିନ ଆଗରୁ ଉଡ଼ିଯାଇଥିଲା ନୀଳଚକ୍ର ବାନା। ପୁରୀରେ ପ୍ରବଳ ପବନ ବୋହିବା ଫଳରେ ଏହା ଘଟିଥିଲା। କିନ୍ତୁ ବାତ୍ୟା ଦିନ ଶ୍ରୀମନ୍ଦିର ଉପରେ ଏହାର ଅଧିକ ପ୍ରଭାବ ପଡ଼ିଥିଲା।

ମେ ୩ ତାରିଖ ଦିନ ପୁରୀ ଉପରେ ଯେଉଁ ଭୟଙ୍କର ବାତ୍ୟା ମାଡ଼ ହୋଇଥିଲା ସେଥିରୁ ଶ୍ରୀମନ୍ଦିର ବର୍ତ୍ତିପାରିନଥିଲା। ମନ୍ଦିରର ଗର୍ଭଗୃହରେ ପାଣି ଭରି ରହିଥିବା  ଜଣାପଡ଼ିବା ଫଳରେ ଠାକୁରଙ୍କ ନୀତିରେ ବାଧା ସୃଷ୍ଟି ହୋଇଥିଲା। ତେବେ ପାଣି କୋଉଠୁ ଆସିଲା ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ। ମନ୍ଦିରର ଗର୍ଭଗୃହର ଉପରଭାଗରେ  କୌଣସି ଫାଟ ଥିବା କାରଣରୁ କିମ୍ବା ନୀଳଚକ୍ର ଓ ଅଁଳାବେଢ଼ା ଦୁର୍ବଳ ହୋଇଥିବା କାରଣରୁ ବାତ୍ୟା ବେଳେ ପାଣି ପଶିଥାଇପାରେ ବୋଲି ଅନୁମାନ କରାଯାଉଛି।

ଗର୍ଭଗୃହ ଛଡ଼ା ମନ୍ଦିରର ବିଭିନ୍ନ ଭାଗରେ ବାତ୍ୟାଜନିତ କ୍ଷୟକ୍ଷତି ହୋଇଛି। ମନ୍ଦିରର ପରିସରରେ ଥିବା କଳ୍ପବଟର କେତୋଟି ଡାଳ ଭାଙ୍ଗିଯାଇଛି। ସେହିପରି ଆନନ୍ଦ ବଜାରରେ ମଧ୍ୟ ଅନେକ ଗଛ ଡାଳ ବାତ୍ୟାରେ ଭାଙ୍ଗିଯାଇଥିଲା। କୋଇଲି ବୈକୁଣ୍ଠ ପାଖରେ ଥିବା ନୀଳାଚଳ ଉପବନ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବା ଫଳରେ ଜୀଉଙ୍କ ପୂଜା ପାଇଁ ତୁଳସୀ ଓ ଫୁଲ ମିଳିବାରେ ବାଧା ସୃଷ୍ଟି ହୋଇଛି।

ବନ୍ଦ ହେଲା ସନ୍ଧ୍ୟା ଧୂପ

ଶୁକ୍ରବାର ଦିନ ମହାବାତ୍ୟା ଫଳରେ ଗର୍ଭଗୃହରେ ପାଣି ଜମା ହୋଇ ରହିବା କାରଣରୁ ଜୀଉଙ୍କ ନୀତି ପରିଚାଳନା ସମ୍ଭବ ହୋଇପାରିନଥିଲା ।  ଏପରିକି ଗର୍ଭଗୃହରେ ପାଣି ପଶିରହିବା ଫଳରେ ବିଗ୍ରହମାନେ ଓଦା  ହୋଇଥିବା ସୂଚନା ମିଳୁଛି।

ଏ ଖବର ଆସିବା ପରେ ମନ୍ଦିର ସେବକ ଓ ପ୍ରଶାସନ ଚିନ୍ତାରେ ପଡିଯାଇଥିଲେ। ପାଳିଆ ସେବକମାନଙ୍କ ଛଡ଼ା କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ା ଯାଇନଥିଲା। ଗର୍ଭଗୃହରୁ ପାଣି ଖାଲି କରିବା ସହ ପୂଜା ନୀତି ପରିଚାଳନା ପାଇଁ କିଛି ସମୟ ଦରକାର ପଡ଼ିଥିଲା।

ତେବେ ବାତ୍ୟା ଏବଂ ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ଏ ସମ୍ପର୍କରେ ସାଧାରଣ ଲୋକେ ଓ ଭକ୍ତମାନେ ବିଶେଷ ସୂଚନା ପାଇପାରିନଥିଲେ। ରବିବାର ଦିନ ଏ ଖବର ଗଣମାଧ୍ୟମକୁ ଆସିଥିଲା।

 

ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ

ବାତ୍ୟା ପ୍ରଭାବରେ ଶ୍ରୀମନ୍ଦିର ପରିସରରେ ଥିବା ବିଦ୍ୟୁତ୍ ଖୁଣ୍ଟ ଓ ଲୁହା ବାରିକେଡ୍ ଭାଙ୍ଗିଯାଇଛି। ମନ୍ଦିରର ସିଂହ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି। ରୋଷଶାଳାର ମଧ୍ୟ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

ମନ୍ଦିର ଗର୍ଭଗୃହରେ ଫାଟ ହୋଇଥିବା ସମ୍ପର୍କରେ ଆଗରୁ ଚର୍ଚ୍ଚା ହୋଇଥିଲା। ଏପରିକି ମନ୍ଦିର ମରାମତି ପାଇଁ ରତ୍ନଭଣ୍ଡାର ପାର୍ଶ୍ୱ ଖୋଲି ଯାଞ୍ଚ କରିବାକୁ ହାଇକୋର୍ଟ ରାଜ୍ୟ ସରକାର ଏବଂ ଏଏସ୍ଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ଭିତର ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ମଧ୍ୟ ଅନେକ ତର୍କବିତର୍କ ଏବଂ ମତ ମତାନ୍ତର ପ୍ରକାଶ ପାଇଥିଲା। ସେବାୟତ ଓ ପ୍ରଶାସନ ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ।

ଫନି ବାତ୍ୟା ପରେ ଗର୍ଭଗୃହରେ ପାଣି ଭରିଯିବା ଫଳରେ ଏବେ ପୁଣିଥରେ ମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ସେବାୟତ ଏବଂ ଅନେକ ଭକ୍ତ ଏବେ ପୁଣିଥରେ ଶ୍ରୀମନ୍ଦିର ପ୍ରଶାସନ, ସରକାର ଏବଂ ଏଏସ୍ଆଇ ଆଡ଼କୁ ଆଙ୍ଗୁଠି ଦେଖାଇଛନ୍ତି।

Comment