ଓଡ଼ିଶାଲାଇଭ୍ ବ୍ୟୁରୋ

ଘୁଞ୍ଚିଲା ପାଟକୁରା ବିଧାନସଭା ନିର୍ବାଚନ। ଏହି ନିର୍ବାଚନକୁ ୬୦ ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି ନିର୍ବାଚନ କମିଶନ। ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସ୍ ରିଲିଜ ଜରିଆରେ ସୂଚନା ଦେଇଛନ୍ତି। ତେବେ କେବେ ନିର୍ବାଚନ ହେବ ତାହା ସ୍ପଷ୍ଟ ହୋଇନାହିଁ।

ନିର୍ବାଚନ ଅଧିକାରୀ ପ୍ରେସ ରିଲିଜ ଜରିଆରେ ଜଣାଇଛନ୍ତି ଯେ କେନ୍ଦ୍ରାପଡ଼ାରେ ବାତ୍ୟା ଫନିର ପ୍ରଭାବ ଜୋରଦାର ପଡ଼ିଛି। ଏଣୁ ସ୍ଥିତି ସୁଧୁରିଲେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ।

ଆସନ୍ତା ୧୯ ତାରିଖରେ ପାଟକୁରାରେ ନିର୍ବାଚନ ହୋଇଥାନ୍ତା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ହେଲେ ବାତ୍ୟା ଫନିକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଥିଲେ।

ଏପଟେ ଗତ ଶୁକ୍ରବାର ଦିନ ଫନି ଉପକୂଳ ଓଡ଼ିଶାରେ ତାଣ୍ଡବ କରିଥିଲା। ପୁରୀ ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ଏହାର ପ୍ରଭାବ ପଡ଼ିଥିଲା। ଫଳରେ ପାଟକୁରା ନିର୍ବାଚନକୁ ଦୁଇ ମାସ ଘୁଞ୍ଚାଇ ଦିଆଯାଇଛି।

ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଏଠାରେ ନିର୍ବାଚନକୁ ସ୍ଥଗିତ କରାଯାଇଥିଲା। ପରେ ପାଟକୁରାରେ ମେ’ ୧୯ରେ ନିର୍ବାଚନ କରିବାକୁ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବିଜେଡି ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଥିଲା। ବିଜେପି ଏଠାରେ ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି।

Comment