ଓଡ଼ିଶାଲାଇଭ୍ ବ୍ୟୁରୋ

ପାଞ୍ଚ ଦିନ ହେଲା ଅନ୍ଧାରରେ ରାଜଧାନୀ ଭୁବନେଶ୍ୱର।

ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଚାଲି ଯାଇଥିଲେ ମଧ୍ୟ ଦୁର୍ଦ୍ଦଶା କମିନି। ୫ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ରାଜଧାନୀ ଭୁବନେଶ୍ୱରରେ ଅନ୍ଧାରରେ ରହିଛି। କେବେ ବିଦ୍ୟୁତ ସଂଯୋଗ ହେବ ତାକୁ ହିଁ ଚାହିଁ ରହିଛନ୍ତି ରାଜଧାନୀବାସୀ।

ରାଜଧାନୀରେ ବିଦ୍ୟୁତ୍ ସରବରାହ କେବେ ସ୍ୱାଭାବିକ ହେବ ସେନେଇ ସେସୁର ସିନିୟର ଜେନେରାଲ୍ ମ୍ୟାନେଜର ସୁବ୍ରତ ମିଶ୍ରଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍‌ ଟିମ୍।

ପାଞ୍ଚ ଦିନ ପରେ ବି ବିଦ୍ୟୁତ୍ନାହିଁ

ସେସୁର ସିନିୟର ଜେନେରାଲ୍ ମ୍ୟାନେଜର ସୁବ୍ରତ ମିଶ୍ର କହିଛନ୍ତି ଯେ କେବଳ ମୁଖ୍ୟ ରାସ୍ତାରୁ ଗଛ ହଟାଯାଇଛି। କିନ୍ତୁ ଗଳିକନ୍ଦି ରାସ୍ତାରେ ଏ ପର୍ଯ୍ୟନ୍ତ ବି ଗଛ ପଡ଼ିରହିଛି। ଯାହାଫଳରେ ଯେତେ ଶୀଘ୍ର କାମ ହେବା କଥା ତାହା ହୋଇପାରୁନାହିଁ। ଗଛ କଟା ହେବା ପରେ ହିଁ କାମ ତ୍ୱରାନ୍ୱିତ ହେବ। ବିଦ୍ୟୁତ୍‌ ସରବରାହକୁ ଠିକ୍ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫୦୦ ଲୋକଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏବେ ସେଥିରେ ଆହୁରି ୨୫୦ ଲୋକଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରରୁ ମଧ୍ୟ ଲୋକମାନେ ଆମ ସହିତ ମିଶି କାମ କରୁଛନ୍ତି।

କେଉଁ ଗ୍ରୀଡ୍ କାମ କରୁଛି?

ଚନ୍ଦକା ଗ୍ରୀଡ଼୍ ଠିକ୍‌ ହେବା ପରେ ହିଁ ସବୁ ଜାଗାକୁ ବିଦ୍ୟୁତ୍ ଯୋଗାଇବା ସମ୍ଭବ ହେବ। କିନ୍ତୁ ଏ ପର୍ଯ୍ୟନ୍ତ ଚନ୍ଦକା ଗ୍ରୀଡ଼୍‌ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନାହିଁ। ଚନ୍ଦକା ଗ୍ରୀଡ୍‌କୁ ସମ୍ପୂର୍ଣ୍ଣ ପାୱାର ଆସିବା ପରେ ଆମେ ଟେଷ୍ଟ୍ ଚାର୍ଜିଂ କରିବୁ ଏବଂ ତାହା ପରେ ହିଁ ଜଣାପଡ଼ିବ କେଉଁଠାରେ ତ୍ରୁଟି ରହିଛି। ତ୍ରୁଟି ଜଣାପଡ଼ିବା ପରେ ଆମେ ତୁରନ୍ତ ସେଗୁଡ଼ିକର ସମାଧାନ କରିବୁ ଓ ଗ୍ରାହକମାନେ ବିଦ୍ୟୁତ୍ ପାଇପାରିବେ ବୋଲି କହିଛନ୍ତି ଶ୍ରୀ ମିଶ୍ର।

କ୍ଷତିର ପରିମାଣ ରହିଛି?

ବିଦ୍ୟୁତ୍ ଯୋଗାଣ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି ଭୁବନେଶ୍ୱରଠାରୁ ପୁରୀ ଅଧିକ କ୍ଷତିଗ୍ରସ୍ତ। ସମ୍ପୂର୍ଣ୍ଣ କ୍ଷୟକ୍ଷତିର ଆକଳନ ଏ ପର୍ଯ୍ୟନ୍ତ ସଠିକ ଭାବେ ହୋଇନାହିଁ। ପୁରୀ ପାଇଁ ୨୫ ଜଣ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ଯେଉଁମାନେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ଏହା ଛଡ଼ା ପୁରୀ ପାଇଁ ଅଧିକ ସଂଖ୍ୟାରେ ବିଦ୍ୟୁତ୍ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି।

ଭୁବନେଶ୍ୱରରେ ବିଦ୍ୟୁତ୍ କେବେ ଆସିବ?

ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ୍ ହସ୍ପିଟାଲ୍‌ ବିଜୁପଟ୍ଟନାୟକ ବିମାନବନ୍ଦର ଆଦି ଜାଗାକୁ ବିଦ୍ୟୁତ୍ ଯୋଗାଇ ଦିଆଯାଇଛି। ଆଶା କରୁଛୁ ଅନ୍ୟ ସବୁ ଅଞ୍ଚଳକୁ ମଧ୍ୟ ଖୁବ୍ ଶୀଘ୍ର ବିଜୁଳି ପହଞ୍ଚିବ।

ବିଦ୍ୟୁତ୍ ଯୋଗାଣରେ ଅସୁବିଧା କେଉଁଠି?

ଟେଲିଫୋନରେ ଯୋଗାଯୋଗ ହୋଇପାରୁନଥିବାରୁ ଲୋକଙ୍କୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇ କୌଣସି ସୂଚନା ଦେବାକୁ ପଡ଼ୁଛି। ଯୋଗାଯୋଗ ବର୍ତ୍ତମାନ ସମୟରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ତେବେ ଟେଲିଫୋନ୍‌ରେ ଯୋଗଯୋଗ ଯଦି ଶୀଘ୍ର ସମ୍ଭବ ହୋଇଯାଏ ତେବେ ସମସ୍ତ ଜାଗାକୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ଲାଗି ପ୍ରାୟତଃ ୧୫ ଦିନ ଲାଗିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ରାଜଧାନୀରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ପ୍ରତ୍ୟେକ ଦିନ ସଚ୍ଚିବାଳୟଠାରୁ ନେଇ ସେସୁ ପର୍ଯ୍ୟନ୍ତ ଶକ୍ତି ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଘନ ଘନ ବୈଠକ ବସୁଛି। ତେବେ ଦେଖିବା ବାକି ରହିଲା ରାଜଧାନୀରେ କେବେ ସ୍ୱାଭାବିକ ହେବ ବିଦ୍ୟୁତ୍‌ ସରବରାହ।

Comment