ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନିର ୫ ଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟର ଅନେକ ଅଞ୍ଚଳରେ ସରକାରୀ ସାହାଯ୍ୟ ପହଞ୍ଚିନଥିବା ଅଭିଯୋଗ ହୋଇଛି। ସୋମବାର ପରଠାରୁ ବିଭିନ୍ନ ଜିଲ୍ଲାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଖାଦ୍ୟ, ପାନୀୟ ଜଳ ଓ ପଲିଥିନ୍ ବାଣ୍ଟିବା କାମ ଜୋର୍ଦାର୍ ହୋଇଛି। ତେବେ ଅନେକ ଗାଁରେ ଭୀଷଣ ଖାଦ୍ୟ ଅଭାବ ଦେଖାଦେଇଛି। ଚାରିଆଡ଼େ ଏକପ୍ରକାର ହାହାକାର ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଲୋକଙ୍କ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ସରକାରୀ ଅଫିସରମାନେ ସମର୍ଥ ହୋଇପାରୁନାହାନ୍ତି। ଖାଦ୍ୟ ଓ ପାନୀୟଜଳ ବ୍ୟତୀତ ଗାଁ ଗହଳିରେ ପଲିଥିନ୍ର ବ୍ୟାପକ ଆବଶ୍ୟକତା ଦେଖାଦେଇଛି। ଘୂର୍ଣ୍ଣିବାତ୍ୟା ଯୋଗୁଁ ଅଧିକାଂଶ ଚାଳ ଓ ଆଜବେଷ୍ଟସ୍ ଘର ଉଡ଼ିଯାଇଥିବାରୁ ପଲିଥିନର ଆବଶ୍ୟକତାକୁ ଚାହିଁ ଯଦିଓ କିଛି କିଛି ଅଞ୍ଚଳରେ ଏହା ବାଣ୍ଟିବା ଆରମ୍ଭ ହୋଇଛି ତଥାପି ଅନେକ ଗାଁରେ ଖୋଲା ଆକାଶ ତଳେ ଲୋକେ ପଡ଼ି ରହିଛନ୍ତି।

ବିଶେଷକରି ଚିଲିକା ହ୍ରଦର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ଗାଁଗୁଡ଼ିକ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। କୃଷ୍ଣପ୍ରସାଦ ବ୍ଲକ୍ର କିଛି ଗାଁ ଭିତରକୁ ଏପର୍ଯ୍ୟନ୍ତ କୌଣସି ସାହାଯ୍ୟ ପହଞ୍ଚିନଥିବା ଅଭିଯୋଗ ହୋଇଛି। ଯେହେତୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ଏବଂ ଚିଲିକା ଭିତରେ ଥିବା ଗାଁଗୁଡ଼ିକୁ ପହଞ୍ଚିବା ସମ୍ଭବପର ହୋଇପାରୁନାହିଁ ଦିନକୁ ଦିନ ସେଠାକାର ଲୋକଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।

ସେହିଭଳି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅଧିକାଂଶ ବସ୍ତି ଅଞ୍ଚଳ ବାସିନ୍ଦା ପାଣି, ଖାଦ୍ୟ ଓ ପଲିଥିନଜନିତ ଅଭାବର ସମ୍ମୁଖୀନ ହେଉଛନ୍ତି। ଭୁବନେଶ୍ୱରରେ  ଜେନେରେଟର ସେଟ୍ର ଘୋର ଅଭାବ ଦେଖାଦେଇଛି। ଦୈନନ୍ଦିନ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ବସ୍ତିରେ ରନ୍ଧା ଖାଦ୍ୟ ବାଣ୍ଟିବା ଆରମ୍ଭ ହୋଇଥିଲେ ହେଁ ସୁଶୃଙ୍ଖଳିତ ଭାବେ ତାହା ହୋଇପାରୁନାହିଁ। ସୋମବାର ଅପରାହ୍ନ ଘଡ଼ଘଡ଼ି ସହ ଭୀଷଣ ବର୍ଷା ହେବା ଫଳରେ ଲୋକମାନେ ଆଶ୍ରୟ ପାଇଁ ଏପଟସେପଟ ହେଉଥିବା ଦେଖା ଦେଇଥିଲା। ବାତ୍ୟା ପରେ ପରେ ପୁଣି ବର୍ଷା ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିଲା।

ରାଜ୍ୟର ପ୍ରାୟ ଦେଢ଼ କୋଟି ଲୋକ ସିଧାସଳଖ ବାତ୍ୟା ଫନିର ଶିକାର ହୋଇଛନ୍ତି। ୪୬ଟି ସହରାଞ୍ଚଳ ବ୍ୟତୀତ ୧୫ ହଜାର ଗାଁ ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଯଦିଓ ଓଡ଼ିଶା ସରକାରଙ୍କ ତରଫରୁ ବିଦ୍ୟୁତ୍ ଯୋଗାଣ ସେବା ଆରମ୍ଭ ହୋଇଛି ବୋଲି କୁହାଯାଉଛି କିନ୍ତୁ ବାସ୍ତବ କ୍ଷେତ୍ରରେ  ଭୁବନେଶ୍ୱର ସମେତ ଅନେକ ଅଞ୍ଚଳ ଏବେ ବି ଅନ୍ଧାରରେ ରହିଛି। ଯେତେ ସଂଖ୍ୟକ ବିଦ୍ୟୁତ୍ ପୋଲ୍ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି ତାହାକୁ ସଜାଡ଼ିବା ପାଇଁ ଢେର ସମୟ ଲାଗିବ ବୋଲି ବିଦ୍ୟୁତ୍ ବିଭାଗର ଜଣେ ଯନ୍ତ୍ରୀ କହିଛନ୍ତି। ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାର ଅନେକ ଗ୍ରୀଡ୍ ନଷ୍ଟ ହୋଇଯିବା ଫଳରେ ସରକାର ପାଇଁ ଏସବୁକୁ ସଜାଡ଼ିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।

Comment