ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ପ୍ରଭାବିତ ରାଜଧାନୀ ଭୁବନେଶ୍ୱରରେ ଏବେ ଲୋକଙ୍କ ପ୍ରଥମ ଚିନ୍ତା ବିଜୁଳି। କାରଣ ମେ ମାସର ଉତ୍କଟ ଖରାଦିନରେ ବିନା ବିଜୁଳିରେ ବଞ୍ଚିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ବାତ୍ୟା ପରବର୍ତ୍ତୀ ସ୍ଥିତିରେ ବିଜୁଳି ବ୍ୟବସ୍ଥା ସ୍ୱାଭାବିକ ହେବାକୁ ସମୟ ଲାଗିବ। ତେଣୁ ଏବେ ସମସ୍ତେ ଖୋଜୁଛନ୍ତି ଜେନେରେଟର୍।

ବିନା ବିଜୁଳିରେ ପାଣି ଟୋପାଏ ମିଳିବନି। ଖରାଦିନେ ପଙ୍ଖାଟିଏ ଚାଲିବ ନାହିଁ। ଯେଉଁମାନଙ୍କ ଘରେ ଇନଭର୍ଟର ରହିଛି ବାତ୍ୟାର ଗୋଟିଏ ଦିନ ମଧ୍ୟରେ ତା’ର ବ୍ୟାକ୍ ଅପ୍ ସଫା। ଇନଭର୍ଟରକୁ ଚାର୍ଜ କରିବା ପାଇଁ ଜେନେରେଟର୍ ଦରକାର ପଡ଼ୁଛି। ସେହିପରି ବିନା ବିଜୁଳିରେ ପାଣି ଉଠିବ ନାହିଁ। ତେଣୁ ରାଜଧାନୀରେ ଲୋକେ ଏବେ ଜେନେରେଟର୍ ଖୋଜିବା ବ୍ୟସ୍ତ।

ଇନଭର୍ଟର ଓ ଡିଜି ପାଇଁ ଗ୍ରାହକଙ୍କ ଭିଡ଼

ବାତ୍ୟା ପରେ ପରେ ଦୁଇ ତିନି ଦିନ ପର୍ଯ୍ୟନ୍ତ କଟକ ରୋଡ୍ରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଥିଲା।  କିଏ ଇନଭର୍ଟରର ବ୍ୟାଟେରୀ ଚାର୍ଜ କରିବାକୁ ଚାହୁଁଛି ତ କିଏ ପୁରଣା ବ୍ୟାଟେରୀ ଫୋପାଡ଼ି ନୂଆ ବ୍ୟାଟେରୀ କିଣିବା ପାଇଁ ଆସିଛି। ଯାହା ଘରେ ଇନଭର୍ଟର ନାହିଁ ସେମାନେ ଛୁଟିଛନ୍ତି ନୂଆ ଇନଭର୍ଟରଟିଏ ନେବା ପାଇଁ। ତେଣୁ ଇନଭର୍ଟର ଏବଂ ବ୍ୟାଟେରୀ ଦୋକାନ ଆଗରେ ଲମ୍ବା ଲାଇନ୍ ମଧ୍ୟ ଦେଖିବାକୁ ମିଳିଥିଲା।

ବିଭିନ୍ନ ହାଉସିଂ କଲୋନି ତଥା ଛୋଟବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, ଷ୍ଟାର୍ଟଅପ୍ କମ୍ପାନି ଓ ବିଭିନ୍ନ ହଷ୍ଟେଲ୍ ଯେଉଁଠି ଆଗରୁ ଇନଭର୍ଟରରେ ଆଗରୁ କାମ ଚାଲିଥିଲା ସେମାନେ ବାହାରିଛନ୍ତି ଡିଜି ସେଟ୍ଟିଏ କିଣିବା ପାଇଁ। କାରଣ ପାଣି ଉଠାଇବା, ଘରେ ଘରେ ଥିବା ଇନଭର୍ଟରଗୁଡ଼ିକୁ କାମଚଳା ଭାବେ ଚାର୍ଜ କରିବା ପାଇଁ ଡିଜି ସେଟ୍ ହିଁ ଏକମାତ୍ର ଭରସା। ତେବେ ଲୋକଙ୍କ ଏହି ଚାହିଦା ପୂରଣ କରିବା ବିଭିନ୍ନ ଡିଜି କମ୍ପାନିର ଡିଲରଙ୍କ ଦ୍ୱାରା ସମ୍ଭବପର ହେଉନାହିଁ। ତେଣୁ ଅନେକ ଜାଗାରେ କଳାବଜାରି ମଧ୍ୟ ଉଠିଲାଣି।

ଡିଜିବାଲାଙ୍କ ବେପାର ସମୟ

ସହରରୁ ଗାଁ ପର୍ଯ୍ୟନ୍ତ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଏବେ ଡିଜିବାଲାଙ୍କ ଭଲ ବେପାର ସମୟ। ଯେଉଁ ଟେଣ୍ଟ ହାଉସ୍ ପାଖରେ ଏକାଧିକ ଡିଜି ସେଟ୍ ରହିଛି ଆଜିର ଦିନରେ ସେମାନଙ୍କ ଚାହିଦା ବେଶୀ।

ରାଜଧାନୀ ଭୁବନେଶ୍ୱରରେ ଇନଭର୍ଟର ବ୍ୟାଟେରୀ ଚାର୍ଜ କରିବା ପାଇଁ ଏବଂ ପାଣି ଉଠାଇବା ପାଇଁ  କିଛି ଲୋକ ଡିଜି ଯୋଗାଇ ଦେଉଛନ୍ତି। ହେଲେ ସେମାନଙ୍କ ଦର ଶୁଣିଲେ ଆପଣ ମୁଣ୍ଡରେ ହାତଦେବେ। ଗୋଟିଏ ଟାଙ୍କି ପାଣି ଭରିବା ପାଇଁ ୨୦୦୦ଟଙ୍କା ଏବଂ ଗୋଟିଏ ବ୍ୟାଟେରୀ ଚାର୍ଜ କରିବା ପାଇଁ ଅନ୍ତତଃ ୧୦୦୦ଟଙ୍କା। ତେବେ ଖରାପ ସମୟ ପଡ଼ିଥିବାରୁ ଲୋକମାନେ ଏହି ଦରକୁ ଖାତିର୍ ନ କରି ଜଣକ ଘରେ ଚାର୍ଜ ନ ସରୁଣୁ ପଡ଼ୋଶୀମାନେ ଆସି ଡିଜିବାଲା ପାଖରେ ପହଞ୍ଚୁଥିବା ଦେଖାଯାଉଛି।

ବାତ୍ୟା ପରେ ଗତ ୪ ଦିନ ମଧ୍ୟରେ ଭୁବନେଶ୍ୱର ସଡ଼କରେ ଶହ ଶହ ଡିଜି ସେଟ୍ ନବାଆଣିବା କରାଯାଉଛି। ତା’ ଭିତରେ ଘରୋଇ ବ୍ୟବହାରରେ ଲାଗୁଥିବା କମ୍ କ୍ଷମତାସମ୍ପନ୍ନ ଜେନେରେଟରଠାରୁ ୨୪ ଘଣ୍ଟିଆ ଚାଲିପାରିବା ଭଳି କ୍ଷମତା ରଖୁଥିବା ବିରାଟ ଡିଜି ଅନ୍ତର୍ଭୁକ୍ତ। ବିଭିନ୍ନ ସ୍ଥାନରେ ଖରାପ ହୋଇ ପଡ଼ିଥିବା ଡିଜିଗୁଡ଼ିକୁ ନେଇ ମରାମତି କରିବା ପାଇଁ ମଧ୍ୟ ଚେଷ୍ଟା କରିବା ଦେଖିବାକୁ ମିଳୁଛି।

ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ଡିଜି ସେଟର ଜରୁରୀ ଆବଶ୍ୟକତା ବଢ଼ିଯାଇଛି। ତେଣୁ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ସହରରୁ ଡିଜି ସେଟ୍ ଆଣି କାମରେ ଲଗାଯାଉଛି।

Comment