ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’ ୩ ତାରିଖରେ ଆସିଥିବା ଭୀଷଣ ବାତ୍ୟା ଫନି ଉପକୂଳ ଓଡ଼ିଶାର ସବୁଜ ବନାନୀକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟଭ୍ରଷ୍ଟ କରିଦେଇଛି। ଗୋଟିଏ ତଥ୍ୟ ଅନୁସାରେ ୧୨ଟି ଜିଲ୍ଲାର ପ୍ରାୟ ୧ କୋଟି ଗଛ ଉପୁଡ଼ି ପଡ଼ିଥିବା ବେଳେ ଆଉ ସେତିକି ସଂଖ୍ୟକ ଗଛ ବାତ୍ୟା ଯୋଗୁଁ ନଷ୍ଟ ହୋଇଛି। ଏହି କ୍ଷତି ଏତେ ବ୍ୟାପକ ଯେ ଏହାକୁ ଭରଣା କରିବା ପାଇଁ ଅନ୍ତତଃ ୧୦ ବର୍ଷ ସମୟ ଲାଗିବ ବୋଲି ଅନୁମାନ କରାଯାଇଛି। ତେବେ ଏପର୍ଯ୍ୟନ୍ତ କେତେ ସଂଖ୍ୟକ ଗଛ ପଡ଼ିଛି ତା’ର ପ୍ରକୃତ ଆକଳନ ହୋଇନାହିଁ। ଯେହେତୁ ଯୋଗାଯୋଗର ବ୍ୟବସ୍ଥା ବିଚ୍ଛିନ୍ନ ହୋଇପଡ଼ିଛି ପୁରୀ, ଖୋର୍ଦ୍ଧା ବନବିଭାଗର ଅଧିକାରୀମାନଙ୍କ ସହିତ ସମ୍ପର୍କ ରକ୍ଷା କରିବା ସମ୍ଭବ ହେଉନାହିଁ। ବାତ୍ୟା ଯୋଗୁଁ ପ୍ରକୃତ କ୍ଷୟକ୍ଷତି ଆହୁରି ଅଧିକ ହୋଇପାରେ।

ପ୍ରାଥମିକ ଆକଳନ ବେଳେ କେବଳ ରାଜଧାନୀ ଭୁବନେଶ୍ୱରରେ ବାତ୍ୟା ଯୋଗୁଁ ୨୦ ଲକ୍ଷ  ଗଛ ନଷ୍ଟ ହୋଇଛି। ଚନ୍ଦକା ଫରେଷ୍ଟ ଡିଭିଜନ୍ରେ ଅନେକ ଗଛ ନୂଆ କରି ଲଗାଯାଇଥିଲା ଯାହାକି ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ବନବିଭାଗ ଅଧିକାରୀମାନେ ବିଭିନ୍ନ ଜିଲ୍ଲାରେ କେତେ ସଂଖ୍ୟକ ଗଛ ପଡ଼ିଛି ତା’ର ହିସାବ ଆରମ୍ଭ କରିସାରିଲେଣି। ତେବେ ବର୍ତ୍ତମାନ ଗଛ କଟା ଓ ରାସ୍ତା ସଫା କାମକୁ ଗୁରୁତ୍ୱ ଦିଆଯାଉଥିବାରୁ କ୍ଷତି ଆକଳନ ଆଉ କିଛି ସମୟ ଲାଗିବ ବୋଲି କୁହାଯାଉଛି।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ ବାଲୁଖଣ୍ଡ ଅଞ୍ଚଳରେ ୫୦% ଗଛ ନଷ୍ଟ ହୋଇଛି। ଏହି ଅଞ୍ଚଳରେ ବିଭିନ୍ନ ପ୍ରକାରର ୯୦ ଲକ୍ଷ ଗଛ ଲଗାଯାଇଥିଲା।

ବାତ୍ୟା ଭୁବନେଶ୍ୱର-ପୁରୀ ହାଇୱେରେ ଥିବା ଅନେକ ପୁରୁଣା ଗଛକୁ ଓପାଡ଼ି ଦେଇଥିବା ବେଳେ ସାତପଡ଼ା, କୃଷ୍ଣପ୍ରସାଦ, ଖୋର୍ଦ୍ଧା ଆଦି ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି। ପିସିସିଏଫ ଶ୍ରୀ ତ୍ରିପାଠୀଙ୍କ କହିବା ଅନୁସାରେ  ବାତ୍ୟା ଯୋଗୁଁ ରାଜ୍ୟରେ ଯେଉଁ ପରିମାଣରେ ଜଙ୍ଗଲ କ୍ଷତି ହୋଇଛି ତାହାକୁ ପୁନରୁଦ୍ଧାର କରିବା ପାଇଁ ଢେର ସମୟ ଲାଗିବ। ନୂଆ ସବୁଜ ବଳୟ ସୃଷ୍ଟି କରିବା ପାଇଁ କି ପ୍ରକାରର ଗଛ ଲଗାଯିବା ଦରକାର ସେ ନେଇ ବନବିଭାଗ ଚିନ୍ତା କରିବା ଆରମ୍ଭ କରିଛି। ବନବିଭାଗ ଅଧିକାରୀଙ୍କ କହିବା ଅନୁସାରେ ୧୯୯୯, ୨୦୧୩, ୨୦୧୪, ୨୦୧୮ ଓ ବର୍ତ୍ତମାନ ୨୦୧୯ ଏହିସବୁ ବାତ୍ୟାରେ ରାଜ୍ୟର ଜଙ୍ଗଲ ସମ୍ପଦର ବ୍ୟାପକ କ୍ଷତି ହୋଇଛି। ୨୦୧୩ ଫାଇଲିନରେ କେବଳ ବ୍ରହ୍ମପୁର ବନଖଣ୍ଡର ପ୍ରାୟ ୧୨ ଲକ୍ଷ ଗଛ  ନଷ୍ଟ ହୋଇଯାଇଥିଲା।

Comment