ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱରରୁ ସୁଶ୍ରୀସ୍ମିତା ଓ ଶୁଭଶ୍ରୀ) : ବାତ୍ୟା ଫନି ପରେ ମୋବାଇଲ୍ ସେବା ଏବଂ ଇଣ୍ଟରନେଟ୍ ସେବା ଏକ ପ୍ରକାର ବ୍ୟାହତ ହୋଇଛି ରାଜଧାନୀ ଭୁବନେଶ୍ୱରରେ।

ନେଟ୍‌ୱର୍କ ଟିକେ ପାଇଁ ଏଣେ ତେଣେ ଘୂରି ବୁଲୁଛନ୍ତି ଲୋକେ। ସନ୍ଧ୍ୟା ଓ ଡହ ଡହ ଖରାବେଳେ ଭୁବନେଶ୍ୱରର କିଛି ସ୍ଥାନରେ ନେଟୱର୍କ ଆସୁଥିଲା ବେଳେ ସେହି ସ୍ଥାନରେ ଲୋକଙ୍କ ଭିଡ଼ ଜମୁଛି। ରସୁଲଗଡ଼ ଓଭରବ୍ରିଜ୍ ଉପରେ ଖରାବେଳେ ବି ଲୋକେ ନେଟୱର୍କ ପାଇଁ ଫୋନ୍ ଧରି ବ୍ରିଜ୍ ଉପରେ ଛିଡ଼ା ହେଉଛନ୍ତି। ରାସ୍ତାରେ ଯାଉଥିବା ଲୋକ ବି ଗାଡ଼ି ଅଟକାଇ ଫୋନ୍ ଦେଖୁଛନ୍ତି।

ରସୁଲଗଡ଼ ଓଭରବ୍ରିଜ ଉପରେ ନେଟଓ୍ୱର୍କକୁ ଅପେକ୍ଷା କରିଥିବା କିଛି ଲୋକଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍। ନେଟଓ୍ୱର୍କ ନଥିବାରୁ ସେମାନେ କିପରି ଅସୁବିଧା ଭୋଗୁଛନ୍ତି ତାହା ସେମାନେ ବର୍ଣ୍ଣନା କରିଥିଲେ।

‘‘ଚାରି ଦିନ ହେଲା ଘର ସହ କଥା ହୋଇନି, କେଉଁଠି ବି ନେଟୱର୍କ ଆସୁନି। ଯେତେବେଳେ ଜାଣିଲି କି ବ୍ରିଜ୍ ଉପରେ ନେଟୱର୍କ ଆସୁଛି, ସେତେବେଳେ ଏଠିକି ଆସୁଛି। ଏତେଦିନ ହେଲା ପରେ ବି ନେଟୱର୍କରେ କୌଣସି ସୁଧାର ଆସିନି। ଘର ସହିତ କୌଣସି ଯୋଗାଯୋଗ ହୋଇପାରୁନି’’, କହିଛନ୍ତି ଛାତ୍ରୀ ସୁସ୍ମିତା ନନ୍ଦ।

‘‘ମୋବାଇଲ ଏବଂ ଇଣ୍ଟରନେଟ ଦୈନନ୍ଦିନ ଜୀବନରେ ଦରକାରୀ ହୋଇପଡ଼ିଛି। ହେଲେ ବାତ୍ୟା ପରେ ମୋବାଇଲ୍ ଅକାମୀ ହୋଇପଡ଼ିଛି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ନିଜ ଲୋକମାନଙ୍କ ସହ ଯୋଗାଯୋଗ ସମ୍ଭବ ହେଉନି’’, କହିଛନ୍ତି ବ୍ରିଜ୍ ଉପରେ ନେଟଓ୍ୱର୍କକୁ ଅପେକ୍ଷା କରିଥିବା ଜଣେ ଯୁବକ ରମେଶ ପତି।

‘‘ପ୍ରତ୍ୟେକ ମଣିଷ ପାଇଁ ମୋବାଇଲ ଏବେ ନିହାତି ଦରକାରୀ ହୋଇପଡ଼ିଛି। ହେଲେ ମୋବାଇଲ କାମ କରୁ ନଥିବାରୁ କାହା ସହ ଯୋଗାଯୋଗ କରିବା ସମ୍ଭବ ହେଉନି। ଇଣ୍ଟରନେଟ ନଥିବାରୁ ଦୁନିଆରେ କୋଉଠି କ’ଣ ଘଟୁଛି ଆମେ ଜାଣିପାରୁନାହୁଁ,’’ କହିଛନ୍ତି ଜଣେ କର୍ମଜୀବୀ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ।

Comment