ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ସହର ସମେତ ସମଗ୍ର ପୁରୀ ଜିଲ୍ଲାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ପୁନରୁଦ୍ଧାର ଓ ରିଲିଫ୍ ପରିଚାଳନା କ୍ଷେତ୍ରରେ ପ୍ରଶାସନର ଉଦ୍ୟମ ଅବସ୍ଥାକୁ ସମ୍ଭାଳିବା ପାଇଁ ସକ୍ଷମ ହେଉନାହିଁ।

ଫନି ପ୍ରଭାବରେ ପୁରୀ ଜିଲ୍ଲା ଛାରଖାର ହୋଇଯାଇଛି। ହଜାର ହଜାର ପରିବାରଙ୍କର ରହିବା ଘର ଭାଙ୍ଗିଯାଇଛି। ଏବେ ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ। ବିଭିନ୍ନ କ୍ୟାମ୍ପରେ ଅନେକ ପରିବାର ମୁଣ୍ଡ ଗୁଞ୍ଜୁଥିଲେ ମଧ୍ୟ ବହୁତ ଲୋକ କ୍ୟାମ୍ପ୍ ଛାଡ଼ି ନିଜ ଭଙ୍ଗା ଘରକୁ ସଜାଡ଼ିବା ପାଇଁ ବାହାରି ଆସିଛନ୍ତି।

ଜିଲ୍ଲାର ବିଭିନ୍ନ ବ୍ଲକରେ ବିଧିବଦ୍ଧ ଭାବେ ରିଲିଫ୍ କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ କରାଯାଇଛି। ତେବେ ଅନେକ ସ୍ଥାନରେ ଶହ ଶହ ପରିବାର ଉପାସ ଅଛନ୍ତି। ଅନେକ ଲୋକଙ୍କ ପାଖରେ କୌଣସି ସରକାରୀ ସହାୟତା ପହଞ୍ଚି ପାରିନାହିଁ।  କିଛି ଲୋକଙ୍କ ପାଖରେ ପ୍ରାଥମିକ ଅବସ୍ଥାରେ ପହଞ୍ଚିଥିବା ଶୁଖିଲା ଖାଦ୍ୟର ପରିମାଣ ଯଥେଷ୍ଟ ହୋଇନଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗିଛନ୍ତି।

ପିଇବା ପାଣି ପାଇଁ ସହରରୁ ଗାଁ ପର୍ଯ୍ୟନ୍ତ ଲୋକେ ଡହଳ ବିକଳ ହେଉଛନ୍ତି। ଚାରିଆଡ଼େ ବିଜୁଳି ସରବରାହ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବାରୁ ପାନୀୟ ଜଳ ପାଇଁ ରହିଥିବା କୌଣସି ବ୍ୟବସ୍ଥା କାମ କରୁନାହିଁ। ଅନ୍ୟ ପକ୍ଷରେ ପାଣି ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଘୋର ଖରାଦିନରେ ଲୋକମାନେ ଅସୁବିଧାରେ ପଡ଼ିଛନ୍ତି।

ସରକାରୀ ସହାୟତା ବାଦ୍ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରିଲିଫ୍ କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏହା ବ୍ୟାପକ ହୋଇନଥିବାରୁ ଫନି ଲୋକଙ୍କ ଉପରେ ଯେଉଁ ଧରଣର ପ୍ରଭାବ ପକାଇଛି ପରିସ୍ଥିତିକୁ ସମ୍ଭାଳିବା ସହଜ ହେଉନାହିଁ।

ଗାଁରୁ ସହର ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ଛଟପଟ ହେଉଛନ୍ତି ଶିଶୁ, ବୟସ୍କ ନାଗରିକ ଏବଂ ଗର୍ଭବତୀ ମହିଳାମାନେ।  ମେ ମାସର ଭୟଙ୍କର ଖରା ଓ ଗରମ ଫନିର ଦୁଃଖକୁ ବଢ଼ାଇ ଦେଉଛି।

ପୁରୀ ଜିଲ୍ଲାର ଏହି ଜଟିଳ ପରିସ୍ଥିତି ବେଳେ ସରକାର ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କୁ ବଦଳି କରିଦେଇଛନ୍ତି। ତାଙ୍କ ଜାଗାରେ ବଲ୍ବନ୍ତ ସିଂହଙ୍କୁ ପୁରୀର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଫନି ମହାବାତ୍ୟା ସମଗ୍ର ପୁରୀ ଜିଲ୍ଲାରେ ଯେଉଁ ଭୟଙ୍କର କ୍ଷୟକ୍ଷତି ଘଟାଇଛି ତା’ର ମୁକାବିଲା କରିବା ସହ ଲୋକଙ୍କ ଜୀବନ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ପ୍ରଶାସନକୁ କଠିନ ପରିଶ୍ରମ କରିବାକୁ ପଡ଼ିଛି।

Comment