ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଳୟଙ୍କରୀ ବାତ୍ୟା ଫନି ଛଡ଼ାଇ ନେଇଛି ଅନେକ ଧନଜୀବନ। ନଷ୍ଟ ହୋଇଯାଇଛି ଅନେକ ଘରଦ୍ୱାର। କ୍ଷତିର ମାତ୍ରା ଏତେ ଅଧିକ ଯେ ଏହାର ପରିକଳ୍ପନା କରିବା ଅସମ୍ଭବ। ତେବେ ସବୁ କ୍ଷତିଗ୍ରସ୍ତଙ୍କ ପାଖରେ ପ୍ରଶାସନ ପହଞ୍ଚି ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବାରେ ସମର୍ଥ ହୋଇନି। ରିଲିଫ୍‌ ସମସ୍ତଙ୍କ ପାଖକୁ ପହଞ୍ଚିପାରିନାହିଁ।

ଏଣୁ  ବାତ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଭୁବନେଶ୍ୱରର କିନ୍ନରମାନେ। ବସ୍ତିରୁ ବସ୍ତିକୁ ଯାଇ ସେମାନେ ରିଲିଫ୍‌ ବାଣ୍ଟୁଛନ୍ତି।

କିନ୍ନରମାନେ ରିଲିଫ ବାଣ୍ଟୁଥିବା ବେଳେ ସେମାନଙ୍କୁ କାର୍ଗିଲ ବସ୍ତିରେ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍। ଏହି ବସ୍ତି ଫନିରେ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ଏମିତିକି ଏଠାକୁ ପହଞ୍ଚିବା ମଧ୍ୟ ଅସମ୍ଭବ ହୋଇପଡ଼ିଥିଲା। ଅନେକ ଗଛ ଏଠାରେ ପଡ଼ି ରହିଥିବାରୁ ବସ୍ତି ଭିତରକୁ ଯିବା ଓ ବସ୍ତିରୁ ବାହାରକୁ ଆସିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିଥିଲା। ହେଲେ ଏହାକୁ ସଜାଡ଼ିବା ପାଇଁ ଆଗେଇ ଆସିଥିଲେ କିନ୍ନର ଗୋଷ୍ଠୀ।

କିନ୍ନର ଆଖଡ଼ାର ମହାମଣ୍ଡେଳେଶ୍ୱର ମୀରା ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏହି ବସ୍ତିରେ ପଡ଼ିରହିଥିବା ଗଛ ସବୁ କଟାଯିବା ସହ ଲୋକମାନଙ୍କୁ ରିଲିଫ୍ ମଧ୍ୟ ବଣ୍ଟନ କରାଯାଇଥିଲା।

ଚୁଡ଼ା, ବିସ୍କୁଟ୍‌, ମହମବତୀ, ପଲିଥିନ୍ ଭଳି ଅତ୍ୟାବଶ୍ୟକୀୟ ଜିନିଷ ସେମାନେ ବାଣ୍ଟିଥିଲେ। ଦୀର୍ଘଦିନ ଧରି ଭୋକ ଉପାସରେ ପଡ଼ି ରହିଥିବା କାର୍ଗିଲ୍ ଲୋକମାନେ ଭୁବନେଶ୍ୱରର କିନ୍ନର ଗୋଷ୍ଠୀକୁ ସାଧୁବାଦ୍‌ ଜଣାଇଛନ୍ତି।

Comment