ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ପେଣ୍ଠକଟା ନୋଳିଆ ବସ୍ତିରେ ରିଅଲିଟି ଚେକ୍ କଲା ଓଡ଼ିଶାଲାଇଭ୍ ଟିମ୍।

ପୁରୀରେ ବାତ୍ୟା ‘ଫନି’ ତାଣ୍ଡବ ରଚିଛି। ପେଣ୍ଠକଟା ନୋଳିଆ ବସ୍ତିକୁ ବାତ୍ୟା ପୂରା ଛାରଖାର କରିଦେଇଛି। କାହା ଚାଳ ଛପର ଘରକୁ ବାତ୍ୟା କଚାଡ଼ି ଦେଇଛି ତ ପୁଣି କାହା ଆଜବେଷ୍ଟସକୁ ଉଡ଼ାଇ ନେଇଛି। ବାତ୍ୟା ପରେ ଏବେ ଭାଗ୍ୟକୁ ଆଦରି ଭଙ୍ଗା ଘରକୁ ସଜାଡୁଛନ୍ତି ଲୋକେ।

ସମୁଦ୍ର କୂଳରେ ରହିଛି ପେଣ୍ଠକଟା ନୋଳିଆ ବସ୍ତି। ଏଠାକାର ଲୋକେ ସମୁଦ୍ରରୁ ମାଛ ଧରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ବାତ୍ୟା ‘ଫନି’ ଆସିବା ପୂର୍ବରୁ ଏହି ବସ୍ତିରେ ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲା।

ସମୁଦ୍ର ଅଶାନ୍ତ ଥିବାରୁ ମାଛ ଧରିବା ପାଇଁ ନଯିବାକୁ ପ୍ରଶାସନ ସତର୍କ କରିଥିଲା। ପ୍ରଶାସନର କଥା ମାନି ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଇ ନଥିଲେ। ନିଜ ଘରକୁ କେମିତି ବାତ୍ୟା ଦାଉରୁ ରକ୍ଷା କରିବେ ସେନେଇ ସଜାଗ ରହିଥିଲେ।

ହେଲେ ବାତ୍ୟା ଉଗ୍ର ରୂପ ନେଇ ମାଡ଼ି ଆସୁଥିବା ପ୍ରଶାସନ ସୂଚନା ଦେବା ପରେ ପେଣ୍ଠକଟା ନୋଳିଆ ବସ୍ତିର ଲୋକେ ଘର ଛାଡ଼ିଥିଲେ। ବାତ୍ୟା ଆଶ୍ରୟସ୍ଥଳରେ ରହିଥିଲେ। ‘ଫନି’ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଲା ଏବଂ ପ୍ରାୟ ୪ ଘଣ୍ଟା କାଳ ତାଣ୍ଡବ ରଚିଲା। ଫନି ତାଣ୍ଡବରେ ନୋଳିଆ ବସ୍ତି ପୂରା ଉଜୁଡ଼ିଗଲା।

‘‘ଆମ ଚାଳ ଘର ଶୋଇଗଲା। ଆଜବେଷ୍ଟସ୍ ଉଡ଼ିଗଲା। ରାତିରେ ଆମେ ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିଲୁ। ସକାଳେ ଆସି ଦେଖିଲା ବେଳକୁ ଆମର ଆଉ କିଛି ନାହିଁ। ବାତ୍ୟାରେ ସବୁ ଉଡ଼ି ଯାଇଥିଲା’’, କୋହଭରା କଣ୍ଠରେ ଏହା କହିଥିଲେ ନୋଳିଆ ବସ୍ତିର ଜଣେ ମହିଳା।

ବାତ୍ୟା କେବଳ ଘର ଭାଙ୍ଗି ଦେଇନି, ମତ୍ସ୍ୟଜୀବୀଙ୍କ ବେଉସା ମଧ୍ୟ ଉଜାଡ଼ି ଦେଇଛି। ଯେଉଁ ଡଙ୍ଗାରେ ମାଛ ଧରି ନୋଳିଆ ବସ୍ତିର ଲୋକେ ପେଟ ପୋଷୁଥିଲେ ସେହି ଡଙ୍ଗାକୁ ଭାଙ୍ଗି ଦେଇଛି ‘ଫନି’। ସେମାନେ କେମିତି ସମୁଦ୍ରକୁ ଯିବେ ଏବଂ ମାଛ ଧରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

‘‘ବାତ୍ୟା ଯଦି ରାତିରେ ହୋଇଥାନ୍ତା ତାହାଲେ କେତେ ଲୋକଙ୍କ ଜୀବନ ଚାଲି ଯାଇଥାନ୍ତା। ହେଲେ ବାତ୍ୟା ଦିନରେ ହୋଇଥିବାରୁ ଆମେମାନେ ବଞ୍ଚିଗଲୁ’’, କହିଛନ୍ତି ବାତ୍ୟା ସବୁକିଛି ହରାଇଥିବା ନୋଳିଆ ବସ୍ତିର ଲୋକେ।

ଏବେ ବାତ୍ୟା ଚାଲି ଯାଇଛି। ମାଟି ତଳେ ଚାପି ହୋଇ ଯାଇଥିବା ଘରର ଆସବାବପତ୍ରକୁ ଉଠାଉଛନ୍ତି ନୋଳିଆ ବସ୍ତିର ଲୋକେ। ଘର ତିଆରି ପାଇଁ ମନରେ ସାହସ ବାନ୍ଧୁଛନ୍ତି। ତେବେ ଏଥିପାଇଁ ସେମାନେ ପ୍ରଶାସନର ସହାୟତାକୁ ଅପେକ୍ଷା କରିଛନ୍ତି।

Comment