ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ ଜନିତ କ୍ଷୟକ୍ଷତିକୁ ସଜାଡ଼ିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିନରାତି ଉଦ୍ୟମ ଚାଲିଥିବା ବେଳେ ପୁରୀ,ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଯେଉଁ ଭିତ୍ତିଭୂମି ନଷ୍ଟ ହୋଇଛି ତାହାକୁ ରାସ୍ତାକୁ ଆଣିବା ପାଇଁ କେନ୍ଦ୍ରର ତୁରନ୍ତ ସାହାଯ୍ୟ ଲୋଡିଛନ୍ତି ଓଡିଶା ସରକାର। ବିଶେଷ କରି ବିଦ୍ୟୁତ ଖୁଣ୍ଟ ଗୁଡ଼ିକୁ ଉଠାଇବା ସହ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ସକାଶେ ସାହାଯ୍ୟ କରିବାକୁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ଲୋକ ଅଭାବ

ପୁରୀ ଓ ଭୁବନେଶ୍ୱର ସହରରେ ବିଦ୍ୟୁତ ସେବାକୁ ପୁନଃକ୍ଷମ କରିବା ସକାଶେ ବାତ୍ୟା ପରଠାରୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ତାହା କିଛି ପରିମାଣରେ ଫଳ ଦେଇଛି। ବୁଧବାର ରାତିରେ ରାଜଧାନୀର ଅନେକ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଦିଆଯାଇଛି। ମିଳିଥିବା ଖବର ଅନୁସାରେ, ପ୍ରାୟ ୩୫୦୦ ଗ୍ୟାଙ୍ଗମ୍ୟାନଙ୍କୁ ଖୁଣ୍ଟଟେକା ଓ ତାରଟଣା କାମରେ ନିୟୋଜିତ କରାଯାଇଛି। ତେବେ ଏତିକି ଲୋକ ଯଥେଷ୍ଟ ନୁହେଁ ବୋଲି ଜଣାପଡିଛି। ସେହିଭଳି ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବା ପାଇଁ ଯେଉଁ ଯନ୍ତ୍ରପାତି ଓ ଉପକରଣ ଦରକାର ତାହା ବି ଅଭାବ ରହିଛି।

ଆଦିତ୍ୟଙ୍କ ଚିଠି

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କେନ୍ଦ୍ର କ୍ୟାବିନେଟ ସଚିବ ପିକେ ସିହ୍ନାଙ୍କୁ ପତ୍ର ଲେଖି କହିଛନ୍ତି ଯେ ଓଡ଼ିଶାକୁ ତୁରନ୍ତ ଖୁଣ୍ଟପୋତା ମେସିନ ଯୋଗାଇଦିଆଯାଉ। କେନ୍ଦ୍ର ଶକ୍ତି ବିଭାଗ ଅଧୀନରେ ଯେଉଁ ସବୁ ସଂସ୍ଥା କାମ କରୁଛନ୍ତି ସେମାନଙ୍କ ସାହାଯ୍ୟ ଆବଶ୍ୟକ ବୋଲି ଶ୍ରୀ ପାଢ଼ୀ ଚିଠି ଲେଖିଛନ୍ତି। ନିହାତି କମରେ ୩୬ଟି ଖୁଣ୍ଟପୋତା ମେସିନ ଯୋଗାଇଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ।

ଦଶ ହଜାର ଦରକାର

ପୁରୀ,ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଯେତିକି ବିଦ୍ୟୁତ ଖୁଣ୍ଟ ତଳେ ପଡ଼ିଛି ସେ ସବୁକୁ ଉଠାଇବାକୁ ହେଲେ ଅନ୍ୟୁନ  ୧୦ ହଜାର ଗ୍ୟାଙ୍ଗମ୍ୟାନ ଦରକାର। ଇତି ମଧ୍ୟରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ପ୍ରାୟ ୩୦୦ ଗ୍ୟାଙ୍ଗମ୍ୟାନଙ୍କୁ କାମରେ ଲଗାଯାଇଛି। କିନ୍ତୁ ଏହା ଯଥେଷ୍ଟ ହେଉନାହିଁ। ମୁଖ୍ୟ ଶାସନ ସଚିବ କର୍ଣ୍ଣାଟକ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ୧୦୦ ଜଣ ଗ୍ୟାଙ୍ଗମ୍ୟାନଙ୍କୁ ଓଡ଼ିଶା ପଠାଇବା ପାଇଁ ଅନୁରୋଧ କରିଛନ୍ତି ଯେଉଁମାନେ କି ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ।

କେତେ ଭାଙ୍ଗିଛି

ମିଳିଥିବା ସୂଚନା ଅନୁସାରେ ଫନି ଯୋଗୁଁ ୫ଟି ୪୦୦ କେଭି ଟାୱାର, ୨୭ଟି ୨୨୦ କେଭି ଟାୱାର, ୨୧ଟି ୧୩୦ କେଭି ଟାୱାର, ୪ଟି ୨୨୦ କେଭି ଗ୍ରୀଡ଼ ଓ ୪ଟି ୧୩୨ ଗ୍ରୀଡ଼ ନଷ୍ଟ ହୋଇଛି। ସେହିଭଳି ୫,୦୩୦ କିମି ୩୩ କେଭି ଲାଇନ, ୩୮,୬୧୩ କିମି ୧୧ କେଭି ଲାଇନ, ୧୧,୦୭୭ଟି ଟ୍ରାନ୍ସଫର୍ମର ଓ ୭୯,୪୮୫ ଏଲଟି ଲାଇନ କ୍ଷତି ହୋଇଛି।

ଟେଲିକମ ଠପ

ଏଣେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଟେଲିକମ ସେବାର କୌଣସି ପ୍ରକାର ଉନ୍ନତି ପରିଲକ୍ଷିତ ହେଉନାହିଁ। ମୁଖ୍ୟ ଶାସନ ସଚିବ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପତ୍ର ଲେଖି  ରେଳବାଇ ଓ ପାୱାର ଗ୍ରୀଡ଼ କର୍ପୋରେସନକୁ ସେମନଙ୍କର ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପାଢ଼ୀ ଅନୁରୋଧ କରିଛନ୍ତି। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦନ କରିବା ପାଇଁ ହେଲେ ମୋବାଇଲ ସେବାର ଆବଶ୍ୟକତା ରହିଛି, ଏଣୁ ବିଏସେନଲ ସେବାକୁ ତୁରନ୍ତ ଯୋଗାଇବାକୁ ପଡିବ ବୋଲି ଏହି ଚିଠିରେ ଲେଖା ଯାଇଛି। ଏଣେ ଭୁବନେଶ୍ୱର ଓ ପୁରୀରେ ବ୍ୟାଙ୍କ ଏଟିଏମ୍ ସେବା ଆଂଶିକ ଭାବରେ ଆରମ୍ଭ କରାଯାଇଛି।

Comment