ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଲା ପ୍ରଚାର।

ମେ‘ ୧୨ରେ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇଥିବା ବେଳେ ପୋଲିଂ ପାର୍ଟି ବୁଥ୍ ମୁହାଁ ହୋଇଛନ୍ତି। ୭ଟି ରାଜ୍ୟର ୫୯ଟି ଆସନରେ ଭୋଟିଂ ହେବ।

ଏହି ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କ ଭାଗ୍ୟପରୀକ୍ଷା କରିବେ ଭୋଟର। ସମାବଜାବଦୀ ପାର୍ଟି ନେତା ଅଖିଳେଶ ଯାଦବ, କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସର ନେତା ଦିଗବିଜୟ ସିଂହ, ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ମନୋଜ ତିଓ୍ୱାରୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଲା ଦୀକ୍ଷିତଙ୍କ ଭାଗ୍ୟ ପରୀକ୍ଷା ହେବ।

ଅଖିଳେଶଙ୍କ ଲାଗି ସମ୍ମାନର ପ୍ରଶ୍ନ

ଷଷ୍ଠ ପର୍ଯ୍ୟାୟରେ ଆଜମଗଡ ଆସନରୁ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବଙ୍କ ମୁକାବିଲା ବିଜେପି ପ୍ରାର୍ଥୀ ଦିନେଶ ଲାଲ ଯାଦବଙ୍କ ସହ ହେବ। ଏହି ନିର୍ବାଚନରେ ଜିତିବା ଅଖିଳେଶଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। କାରଣ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଭିତରେ ମେଣ୍ଟ ହୋଇଛି। ବିଜେପି ଏବଂ କଂଗ୍ରେସ ବିରୋଧରେ ଏହି ମେଣ୍ଟ ଲଢ଼େଇ କରୁଛି। ଏଣୁ ଅଖିଳେଶଙ୍କ ପାଇଁ ଚଳିତ ନିର୍ବାଚନ ସମ୍ମାନର ବିଷୟ ହୋଇଛି।

ଭୋପାଳରେ ରୋଚକ ଲଢ଼େଇ

ଏହି ପର୍ଯ୍ୟାୟରେ ମଧ୍ୟପ୍ରଦେଶରେ ଚର୍ଚ୍ଚିତ ନେତାଙ୍କର ଭାଗ୍ୟ ପରୀକ୍ଷା ହେବ। ଭୋପାଳ ଆସନରୁ ବିଜେପି ପ୍ରାର୍ଥୀ ପ୍ରଜ୍ଞା ସିଂହ ଠାକୁରଙ୍କ ମୁକାବିଲା କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହଙ୍କ ସହ ହେବ। ସେହିପରି ଗୁନା ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ବିଜେପି ପ୍ରାର୍ଥୀ କେପି ଯାଦବଙ୍କ ଭିତରେ ଲଢ଼େଇ ହେବ।

ଦିଲ୍ଲୀରେ ଜମିବ ଲଢ଼େଇ

ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ଲାଗି ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବ। ଏଠାରେ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳିବ। ଆମ ଆଦମୀ ପାର୍ଟି, ବିଜେପି, କଂଗ୍ରେସ ମଧ୍ୟରେ ଏଠାରେ କଡ଼ା ଟକ୍କର ହେବ।
ଦିଲ୍ଲୀ ଉତ୍ତର ପୂର୍ବ ଆସନରୁ ବିଜେପି ପ୍ରାର୍ଥୀ ମନୋଜ ତିଓ୍ୱାରୀ, କଂଗ୍ରେସ ପ୍ରାର୍ଥୀ ଶୀଲା ଦୀକ୍ଷିତ, ଆପ୍‌ର ଦିଲ୍ଲୀପ ପାଣ୍ଡେଙ୍କ ଭିତରେ ଲଢ଼େଇ ହେବ। ସେହିପରି ପୂର୍ବ ଦିଲ୍ଲୀରୁ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ଟକ୍କର କଂଗ୍ରେସ ପ୍ରାର୍ଥୀ ଅରବିନ୍ଦର ସିଂହ ଲଭଲୀ ଓ ଆପ୍‌ ପ୍ରାର୍ଥୀ ଅତିସିଙ୍କ ସହ ହେବ।

Comment