ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶେଷ ହେବାକୁ ଯାଉଛି ଆଇପିଏଲ୍ ଦ୍ୱାଦଶ ସଂସ୍କରଣ। ଏଥିସହିତ ଆଇପିଏଲ୍‌କୁ ନେଇ ବଢ଼ିବାକୁ ଲାଗୁଛି ଉତ୍କଣ୍ଠା। କିଏ ପିନ୍ଧିବ ଆଇପିଏଲ୍‌-୧୨ର ବିଜୟ ମୁକୁଟ? ଆଉ କାହାର ଆଶା ଆଶାରେ ରହିଯିବ? ଏହାକୁ ନେଇ ଖେଳ ପ୍ରେମୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ସସ୍‌ପେନ୍ସ। ଇତି ମଧ୍ୟରେ ଶେଷ ହୋଇସାରିଛି ପ୍ରଥମ କ୍ୱାଲିଫାୟାର ଏବଂ ଏଲିମିନେଟର୍‌। ଶୁକ୍ରବାର ଖେଳାଯାଉଛି କ୍ୱାଲିଫାୟାର-୨।

କ୍ୱାଲିଫାୟାର ମଧ୍ୟରେ ପ୍ରବେଶ କରିଥିବା ୪ଟି ଟିମ୍‌ ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରବାଦ ମଧ୍ୟରୁ ସନ୍‌ରାଇଜର୍ସ ହାଇଦ୍ରବାଦ ଏଲିମିନେଟର୍‌ ମ୍ୟାଚ୍‌ରେ ହାରି ଆଇପିଏଲ୍‌ରୁ ବିଦା ହୋଇସାରିଛି। ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ କ୍ୱାଲିଫାୟାରରେ ଜିତି ଫାଇନାଲରେ ପହଞ୍ଚି ବିଜୟ ଆଡ଼କୁ ଅଗ୍ରସର ହେଉଛି।

ଶୁକ୍ରବାର ଆଇପିଏଲ୍‌ରେ ଦେଖିବାକୁ ମିଳିବ ହାଇଭୋଲ୍ଟେଜ ମ୍ୟାଚ୍‌। ଆଜି ଖେଳାଯାଉଥିବା କ୍ୱାଲିଫାୟାର-୨ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ୟେଲୋ ବାହିନୀ ଚେନ୍ନାଇ ସୁପର କିଙ୍ଗ୍ସ। ପ୍ରଥମ କ୍ୱାଲିଫାୟାରରେ ମୁମ୍ବାଇ ଠାରୁ ହାରିବା ପରେ ଆଜି ହେଉଛି ଚେନ୍ନାଇ ପାଇଁ କର ବା ମର ସ୍ଥିତି। ଆଜି ମ୍ୟାଚ୍‌ରେ ହାରିଲେ ଚେନ୍ନାଇର ଆଇପିଏଲ୍‌ ଟାଇଟଲ୍‌ ଜିତିବା ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ।

ସେହିପରି ଏଲିମିନେଟର୍‌ ମ୍ୟାଚ୍‌ରେ ହାଇଦ୍ରାବାଦକୁ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ଫୁଲ୍‌ ଦମ୍‌ରେ ରହିଛି। ଚେନ୍ନାଇ ସହିତ ଜମାଣିଆ ଲଢ଼େଇ କରିବାକୁ ପ୍ରସ୍ତୁତ ରହିଛି ଦିଲ୍ଲୀ। ତେବେ ମୁମ୍ବାଇ ବିପକ୍ଷରେ କିଏ ଖେଳିବ ଫାଇନାଲ? ଦିଲ୍ଲୀ ନା’ ଚେନ୍ନାଇ! ଏହା ଉପରୁ ପରଦା ଉଠିବ ଆଜିର ମ୍ୟାଚ୍‌ରେ।

ରାତି ୮ଟାରେ ବିଶାଖାପାଟନମ୍‌ର ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିବ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌।

Comment