ଓଡ଼ିଶାଲାଇଭ୍ ବ୍ୟୁରୋ

rahulରାଫେଲ ଡିଲକୁ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ଆସୁଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ‘ଚୌକିଦାର ଚୋର୍ ହୈ’ ନାରା ଦେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିଲେ ରାହୁଲ। ଏବେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଛି।

ବିଜେପି ସାଂସଦ ମୀନାକ୍ଷୀ ଲେଖି ରାହୁଲଙ୍କ ବିରୋଧରେ ଅପରାଧିକ ଅଦାଲତ ଅବମାନନା ମାମଲା ସୁପ୍ରିମକୋର୍ଟରେ ରୁଜୁ କରିଥିଲେ। ହେଲେ କୋର୍ଟ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି। ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ କି ନାହିଁ ସେ ବିଷୟରେ ସୁପ୍ରିମକୋର୍ଟ ବିଚାର କରିବେ।

‘ଚୌକିଦାର ଚୋର୍ ହୈ’ ବୟାନ ପାଇଁ ରାହୁଲ ସୁପ୍ରିମକୋର୍ଟଙ୍କ ନିକଟରେ କ୍ଷମା ମାଗି ସାରିଥିଲେ। ହେଲେ ଏହା ବିଜେପିକୁ ସନ୍ତୁଷ୍ଟ କରିପାରି ନାହିଁ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ୍ କେ କୌଲ୍, ଜଷ୍ଟିସ୍ କେଏମ୍ ଯୋଶେଫଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।

ରାହୁଲଙ୍କ ପାଇଁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘବୀ କହିଛନ୍ତି, ‘‘ରାହୁଲ ଗାନ୍ଧି ନିଜ ବୟାନ ପାଇଁ କ୍ଷମା ମାଗି ସାରିଛନ୍ତି। ରାଫେଲ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସେ ଭୁଲଭାବେ ଉପସ୍ଥାପନ କରିଥିଲେ। ଏଣୁ ସେ ସତ୍ୟପାଠ ଜରିଆରେ କ୍ଷମା ମାଗିଛନ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଖାରଜ କରାଯାଉ।‘‘

ବିଜେପି ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ, ‘‘ରାହୁଲ ଯେଉଁଭଳି କ୍ଷମା ମାଗିଛନ୍ତି ତାକୁ ଖାରଜ କରିବା ଦରକାର। ରାହୁଲ ସର୍ବ ସମ୍ମୁଖରେ ସୁପ୍ରିମକୋର୍ଟଙ୍କ ରାୟକୁ ଭୁଲ ଭାବେ ଉପସ୍ଥାପନ କରିଥିଲେ। ଏଣୁ ସେ ସର୍ବ ସମ୍ମୁଖରେ ଭୁଲ ମାଗନ୍ତୁ।‘‘

ରାହୁଲ ଗାନ୍ଧି ନିର୍ବାଚନ ପ୍ରଚାର ବେଳେ ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ କଦର୍ଥ କରିଥିଲେ। ସେ କହିଥିଲେ ଯେ ‘ସୁପ୍ରିମକୋର୍ଟଙ୍କ ଶୁଣାଣିରୁ ସ୍ପଷ୍ଟ ହୋଇଛି ଯେ ରାଫେଲ ଡିଲରେ ଦୁର୍ନୀତି ହୋଇଛି ଏବଂ ଚୌକିଦାର ଚୋର ହୈ’।

Comment