ଓଡ଼ିଶାଲାଇଭ୍‌ ବ୍ୟୁରୋ

Mo Bus

ବାତ୍ୟା ‘ଫନି’ ପ୍ରଭାବରେ ରାଜଧାନୀ ଭୁବନେଶ୍ଵରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ମୋ’ ବସ୍‌ର ଚଳାଚଳକୁ ବନ୍ଦ କରାଯାଇଥିଲା। ତେବେ ମଙ୍ଗଳବାର ସୁଦ୍ଧା ପୁନର୍ବାର ରାଜଧାନୀରେ ୧୯୦ଟି ମୋ’ ବସ୍‌ ଗଡ଼ିବ। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟା ପରେ ରାଜଧାନୀରେ ୧୪୦ଟି ମୋ’ ବସ୍‌ ଚଳାଚଳ ଆରମ୍ଭ ହୋଇଥିଲା। ମଙ୍ଗଳବାରଠାରୁ ଆଉ ୫୦ଟି ସହିତ ମୋଟ ୧୯୦ଟି ବସ୍‌ ଚଳାଚଳ ହେବ।

ହାଇଟେକ୍‌ ମେଡିକାଲ କଲେଜ୍‌ରୁ ଭୁବନେଶ୍ଵର ରେଳ ଷ୍ଟେସନ ରୁଟ୍‌ ନଂ-୩୧ କୁ ବାଦ୍‌ ଦେଲେ ମୋଟ ୨୦ଟି ରୁଟ୍‌ ମଧ୍ୟରୁ ୧୯ ରୁଟ୍‌ ଦେଇ ମୋ’ ବସ୍‌ ଚଳାଚଳ ହେବ। ବାତ୍ୟା ଫନି ଯୋଗୁଁ ରୁଟ୍‌ ନଂ-୩୧ରେ ଏକ ବ୍ରିଜ୍‌ ଭାଙ୍ଗିଯାଇଥିବାରୁ ଏହି ରୁଟ୍‌ରେ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ବାତ୍ୟା ‘ଫନି’ରେ ରାଜଧାନୀ ବିଜୁଳି ଏବଂ ମୋବାଇଲ ନେଟୱାର୍କ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା। ବସ୍‌ ପାଇଁ ବ୍ୟବହୃତ ସିମ୍‌ କାର୍ଡଯୁକ୍ତ ଟିକେଟ୍‌ ମେସିନ୍‌, ଜିପିଏସ୍‌ ବ୍ୟବସ୍ଥା ବନ୍ଦ ହୋଇଯାଇଥିବାରୁ ମୋ’ ବସ୍‌ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ତେବେ ବିଭିନ୍ନ ବାଧା ଭିତରେ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାସ୍‌ପୋର୍ଟ (CRUT) ପକ୍ଷରୁ ପୁଣିଥରେ ମୋ’ ବସ୍‌ ଚଳାଚଳ ଆରମ୍ଭ ହୋଇଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment