ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରା ନିର୍ବାଚନକୁ ନେଇ ବଢୁଛି ତାତି।

ପାଟକୁରା ନିର୍ବାଚନ ପାଇଁ ଘୋଷଣା ହୋଇନି ତାରିଖ। କିନ୍ତୁ ନିର୍ବାଚନ ମଇଦାନ ସରଗରମ ରହିଛି। ଗତ ୬ ତାରିଖରେ ବିଜେଡି ନେତାମାନେ ପାଟକୁରାରେ ଡେରା ପକାଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ଗତ ଶନିବାର ଦିନ ବିଜୟ ମହାପାତ୍ରଙ୍କ ସମର୍ଥକ ଦମ୍ ଦେଖାଇଛନ୍ତି।

ପାଟକୁରାର ୧୩ ନମ୍ବର ଜୋନରେ ଜନମତାଧିକାର ଯାତ୍ରା କରି ନିର୍ବାଚନ ମାହୋଲକୁ ଗରମ କରିଥିଲେ ବିଜୟଙ୍କ ସମର୍ଥକ।

ତିନିମୁହାଁଣିର ରାମମନ୍ଦିର ଛକରୁ ବାହାରିଥିଲା ଯାତ୍ରା। ଗୁଆଳସିଂହ ଏବଂ କାସିଆପାଳ ଦେଇ ଏହି ଯାତ୍ରା ଠାକୁରପାଟଣାଠାରେ ଶେଷ ହୋଇଥିଲା।

‘‘ବାତ୍ୟା ଫନିକୁ ଆଳ କରି ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ହେଲେ ଏହା ପଛରେ ଷଡ଼ଯନ୍ତ୍ର ରହିଛି। ପ୍ରଶାସନିକ ଅଧିକାରୀମାନେ ଷଡ଼ଯନ୍ତ୍ର କରି ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦେଇଛନ୍ତି। ଏହା ପ୍ରତିବାଦରେ ଜନମତାଧିକାର ଯାତ୍ରା କରାଯାଉଛି’’, କହିଛନ୍ତି ବିଜୟଙ୍କ ସମର୍ଥକ।

ନିକଟରେ ନିଜେ ବିଜୟ ମହାପାତ୍ର ମଧ୍ୟ ଷଡ଼ଯନ୍ତ୍ରର କଥା କହିଥିଲେ। ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ବିଜେଡି ଷଡ଼ଯନ୍ତ୍ର କରିଥିବା ବିଜୟ କହିଥିଲେ।

ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ପାଟକୁରା ନିର୍ବାଚନ ମେ’ ୧୯କୁ ଘୁଞ୍ଚାଇ ଥିଲେ ନିର୍ବାଚନ କମିଶନ। ହେଲେ ବାତ୍ୟା ଫନି ପାଇଁ ନିର୍ବାଚନ ଘୁଞ୍ଚାଇବାକୁ ବିଜେଡି ଦାବି କରିଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ନୂଆଦିଲ୍ଲୀ ଯାଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ।

ପରେ ବାତ୍ୟା ଫନି ୧୪ଟି ଜିଲ୍ଲାକୁ ପ୍ରଭାବିତ କରିଥିବାରୁ ନିର୍ବାଚନ କମିଶନ ୬୦ ଦିନ ପାଇଁ ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦେଇଥିଲେ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କାରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment