ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ ଉପକୂଳ ଓଡ଼ିଶାରେ କରିଛି ବ୍ୟାପକ କ୍ଷୟକ୍ଷତି। ବିଶେଷକରି ପୁରୀ ଜିଲ୍ଲାକୁ ଛାରଖାର କରିଦେଇଛି ଫନି। ବାତ୍ୟା ଚାଲିଯିବା ପରେ ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ବାତ୍ୟାର ସ୍ଥିତି ସମୀକ୍ଷା କରିବା ପାଇଁ ଓଡ଼ିଶା ଆସିଛନ୍ତି କେନ୍ଦ୍ରୀୟ ଟିମ୍। ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିବା କେନ୍ଦ୍ରୀୟ ଟିମ୍ ଆଜି ପୁରୀ ଜିଲ୍ଲା ଗସ୍ତରେ ଯାଇଥିଲେ।

ପୁରୀ ଜିଲ୍ଲା ବ୍ରହ୍ମଗିରିର ହସିନାପୁର ଏବଂ କୃଷ୍ଣପ୍ରସାଦ, କଣାସ ଓ ପିପିଲିରେ ପହଞ୍ଚି ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ଲୋକଙ୍କ ସହ କଥା ହୋଇଥିଲେ। ବାତ୍ୟା ତାଙ୍କର କ’ଣ କ୍ଷୟକ୍ଷତି କରିଛି ସେ ସମ୍ପର୍କରେ ପଚାରି ବୁଝିଥିଲେ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ମଧ୍ୟ ଯାଇଥିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍। ପ୍ରଭାବିତ ଚାଷଜମି ବୁଲି ଦେଖିଥିଲେ। ଲୋକଙ୍କ ସହ କଥା ହୋଇଥିଲେ କେନ୍ଦ୍ରୀୟ ଟିମ୍।

୯ ଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ବାତ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି। ଗୋଟିଏ ଟିମ୍ ପୁରୀ ଯାଇଥିବା ବେଳେ ଆଉ ଗୋଟିଏ ଟିମ୍ ଖୋର୍ଦ୍ଧା ଯାଇଛନ୍ତି। ୧୪ ତାରିଖ ଯାଏଁ ଏମାନେ ପୁରୀ ଏବଂ ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ।

୧୫ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର କିଛି ସ୍ଥାନକୁ ଯିବେ ଟିକ୍। ବାତ୍ୟା ବିପନ୍ନଙ୍କ ସହ କଥା ହେବା ସହ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ସହ ଆଲୋଚନା କରିବେ।

ବାତ୍ୟା ଫନି ଉପକୂଳ ଓଡ଼ିଶାରେ ଅଧିକ କ୍ଷତି କରିଛି। ୧୪ଟି ଜିଲ୍ଲା ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଲୋକଙ୍କର ଘରଦ୍ୱାର ଭାଙ୍ଗି ଦେଇଛି ବାତ୍ୟା।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment