ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନରେ ଟିକେଟକୁ ‘ନା’ କହି ଚର୍ଚ୍ଚାରେ ଥିଲେ ତଥାଗତ।

ଘମାଘୋଟ ଲଢ଼େଇ ଭିତରେ ଶେଷ ହୋଇଛି ୨୦୧୯ ନିର୍ବାଚନ। କେବଳ ମେ’ ୨୩କୁ ଅପେକ୍ଷା। ତେବେ ଏହି ନିର୍ବାଚନରେ ଅନେକ ରୋଚକ ଚିତ୍ର ଦେଖିବାକୁ ମିଳିଥିଲା। କିଛି ନେତା ନିର୍ବାଚନ ଲଢ଼ିଥିବା ବେଳେ ଆଉ କିଛି ନେତା ନିର୍ବାଚନ ଲଢ଼େଇରୁ ବାଦ୍ ପଡ଼ିଥିଲେ। ଏମାନଙ୍କ ଭିତରେ ଆଗରେ ଅଛନ୍ତି ଢେଙ୍କାନାଳ ସାଂସଦ ତଥାଗତ ସତପଥୀ।

ତଥାଗତଙ୍କ ପାଇଁ ୨୦୧୯ ନିର୍ବାଚନ କେମିତି ଥିଲା ତାହା ଜାଣନ୍ତୁ ଓଡ଼ିଶାଲାଇଭର ୨୦୧୯ ନିର୍ବାଚନ ଫ୍ଲାସ୍‌ବ୍ୟାକ ରିପୋର୍ଟରେ।

ନିର୍ବାଚନ ମଇଦାନରେ ନଥିଲେ ତଥାଗତ

ତଥାଗତ ସତପଥୀ। ରାଜ୍ୟ ରାଜନୀତିରେ ଜଣାଶୁଣା ଚେହେରା। ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତ ଢେଙ୍କାନାଳ ଲୋକସଭା ଆସନରୁ ଚାରି ଚାରି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଲୋକସଭାରେ ଢେଙ୍କାନାଳ ଏବଂ ଓଡ଼ିଶାର ସ୍ୱରକୁ ଉପସ୍ଥାପିତ କରି ଆସୁଥିଲେ।

କିନ୍ତୁ ତଥାଗତଙ୍କୁ ଏଥର ୨୦୧୯ ନିର୍ବାଚନ ମଇଦାନରେ ଦେଖିବାକୁ ମିଳି ନଥିଲା। ବିଜେଡିର ଟିକେଟ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ତଥାଗତ ନିଜ ଆଡୁ ଓହରି ଯାଇଥିଲେ। ସାମ୍ବାଦିକତାରେ ମନୋନିବେଶ କରିବା କଥା କହି ତଥାଗତ ଟିକେଟ ନେବାକୁ ନା କହିଥିଲେ।

ତଥାଗତଙ୍କ ଏହି ନିଷ୍ପତ୍ତି ବିଜେଡିକୁ ଜୋରଦାର ଜଟକା ଦେଇଥିଲା। ତଥାଗତଙ୍କ ଭଳି ବରିଷ୍ଠ ନେତା ନିଜ ଆଡୁ ଟିକେଟ ନେବାକୁ କାହିଁକି ମନା କଲେ ତାକୁ ନେଇ କାରଣ ଖୋଜା ଚାଲିଲା।

ଗତ ଦୁଇ ବର୍ଷ ହେଲା ତଥାଗତ ଏବଂ ବିଜେଡି ଭିତରେ ଦୂରତା ବଢୁଥିବା ଚର୍ଚ୍ଚା ହୋଇଥିଲା। ବିଭିନ୍ନ ପ୍ରସଙ୍ଗରେ ସେ ନିଜ ସମ୍ପାଦିତ ଖବରକାଗଜରେ ରାଜ୍ୟ ସରକାରଙ୍କୁ ତୀର୍ଯ୍ୟକ ସମାଲୋଚନା କରି ଆସୁଥିଲେ। ଏହି ସମାଲୋଚନାକୁ ନେଇ ବିବାଦ ମଧ୍ୟ ମୁଣ୍ଡ ଟେକିଥିଲା। କିନ୍ତୁ ନିର୍ବାଚନ ଲଢ଼ିବା ନଲଢ଼ିବା ସମ୍ପର୍କରେ କୌଣସି ଆଲୋଚନା ହୋଇ ନଥିଲା।

୨୦୧୯ ନିର୍ବାଚନ ପୂର୍ବରୁ ଏବଂ ଯେତେବେଳେ ଟିକେଟକୁ ନେଇ ଅଙ୍କ କଷା ଚାଲିଥିଲା ସେତେବେଳେ ତଥାଗତ ନିଜ ଆଡୁ ନିର୍ବାଚନ ଲଢ଼ିବାକୁ ନା କହିଥିଲେ। ବିଜେଡି ତାଙ୍କୁ ଟିକେଟ ‘ନା’ କହିବା ପୂର୍ବରୁ ତଥାଗତ ନିଜଆଡୁ ‘ନମସ୍କାର’ କହି ରାଜନୀତି ପାଣିପାଗକୁ ଗରମ କରିଥିଲେ।

ଚର୍ଚ୍ଚା ହେଲା ଯେ ଚାରି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ନିଜ ନିର୍ବାଚନମଣ୍ଡଳୀର ଭୋଟରଙ୍କ ସହ ତଥାଗତଙ୍କର ଭଲ ସମ୍ପର୍କ ନଥିଲା। କିଛି ବଡ଼ ଧରଣର ସଭା ସମିତିରେ ହିଁ କେବଳ ତଥାଗତଙ୍କୁ ଦେଖିବାକୁ ମିଳୁଥିଲା। ଏଣୁ ବିଜେଡି ମ୍ୟାନେଜର ୨୦୧୯ ନିର୍ବାଚନରେ ତଥାଗତଙ୍କୁ ଟିକେଟ ନଦେବା ପାଇଁ ଗଣିତ କଷୁଥିଲେ। ଏଣୁ ଏହା ପୂର୍ବରୁ ତଥାଗତ ନିଜ ଆଡୁ ରାଜନୀତିକୁ ବାଏ ବାଏ କରିଥିଲେ।

ପ୍ରଚାରରେ ବି ସାମିଲ ହେଲେନି

ନିର୍ବାଚନ ଲଢ଼େଇରୁ ଓହରି ଯାଇଥିବା ତଥାଗତ ବିଜେଡିରୁ କିନ୍ତୁ ଇସ୍ତଫା ଦେଇ ନଥିଲେ। ସେ ଏବେ ବି ବିଜେଡିରେ ଅଛନ୍ତି। ଆଶା କରାଯାଉଥିଲା ତଥାଗତଙ୍କ ଭଳି ବରିଷ୍ଠ ନେତାଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିବ। ହେଲେ ତଥାଗତଙ୍କୁ ଢେଙ୍କାନାଳ କିମ୍ବା ଅନ୍ୟ କୌଣସି ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳି ନଥିଲା। ତଥାଗତଙ୍କୁ କେବଳ ମତଦାନ ଦିନ ଢେଙ୍କାନାଳରେ ଦେଖିବାକୁ ମିଳିଥିଲା। ସେ ନିଜ ବୁଥରେ ଭୋଟ ଦେଇଥିଲେ।

କ’ଣ କହିଥିଲେ ତଥାଗତ?

ନିର୍ବାଚନ ଲଢ଼େଇରୁ ଓହରି ଯିବା ଘୋଷଣା କରିବା ବେଳେ ତଥାଗତ ଏମିତି କିଛି ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ଚର୍ଚ୍ଚା ବଢ଼ିଥିଲା।

ସେ କହିଥିଲେ, ‘‘କାହା ଦୟାରେ ମୁଁ ରାଜନୀତି କରେନି। ମୋ ନେତା ନବୀନ ପଟ୍ଟନାୟକଙ୍କୁ ବହୁତ ସମ୍ମାନ କରେ। ଢେଙ୍କାନାଳ ଓ ଅନୁଗୁଳବାସୀଙ୍କ ନିକଟରେ ମୁଁ ଋଣୀ। ସେମାନେ ମତେ ମୋର ଯୋଗ୍ୟତାଠାରୁ ମତେ ଅଧିକ ଭଲ ପାଇବା ଦେଇଛନ୍ତି। ମୋ’ ପରିବାରରେ କେହି ଏବେ ରାଜନୀତିକୁ ଆସିବାର ସମ୍ଭାବନା ନାହିଁ। ମୋର ମୁଖ୍ୟମନ୍ତ୍ରୀ ହେବାର କେବେ ଉଦ୍ଦେଶ୍ୟ ନଥିଲା। ମୁଁ ସାମ୍ବାଦିକତା କ୍ଷେତ୍ରରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛି। ରାଜ୍ୟରେ ଏବେ ବହୁତ ସାମ୍ବାଦିକ ମୁଣ୍ଡ ବିକ୍ରି କରି ଦେଇଛନ୍ତି। କେହି ନିର୍ଭୀକତାର ସହ ଖବର ପରିବେଷଣ କରୁ ନାହାନ୍ତି। ଦେଶରେ ଏବେ ପରିବର୍ତ୍ତନ ଆବଶ୍ୟକ। ପୁରୁଖା ରାଜନେତାମାନେ ସବୁବେଳେ ଯୁବପିଢ଼ିଙ୍କୁ ସୁଯୋଗ ଦେବା କଥା କହୁଛନ୍ତି। କିନ୍ତୁ କେହି ସେମାନଙ୍କୁ ବାଟ ଛାଡୁ ନାହାନ୍ତି। ମୋ’ ଜାଗାରେ ଏବେ ଜଣେ ଯୁବକ ସୁଯୋଗ ପାଇଲେ ମୁଁ ଖୁସି ହେବି। ମୁଁ ଏବେ ବି ବିଜେଡିର ପ୍ରାଥମିକ ସଦସ୍ୟ ଅଛି। ମୁଁ କୌଣସି ଦଳରେ ମଧ୍ୟ ଯୋଗ ଦେବାର ନାହିଁ।’’

ତଥାଗତଙ୍କ ରାଜନୀତି କ୍ୟାରିଅର

୧୯୯୮ରେ ବିଜୁ ଜନତା ଦଳ ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ତଥାଗତ। ହେଲେ ୧୯୯୯ରେ ହୋଇଥିବା ନିର୍ବାଚନରେ ତଥାଗତ କଂଗ୍ରେସର କାମାକ୍ଷା ପ୍ରସାଦ ସିଂହଦେଓଙ୍କଠାରୁ ପରାଜିତ ହୋଇଥିଲେ।

ହେଲେ ୨୦୦୪, ୨୦୦୯ ଏବଂ ୨୦୧୪ରେ ନିର୍ବାଚିତ ହୋଇ ତଥାଗତ ନିଜର ଦବ୍‌ଦବା ଜାହିର କରିଥିଲେ। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ନିର୍ବାଚନକୁ ନା କହି ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ ଏହି ବରିଷ୍ଠ ନେତା।

Comment