ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୋଦିଙ୍କୁ ୫ ଲକ୍ଷ ପକ୍କା ଘର ନବୀନ ମାଗିବା ପରେ ଘେରିଲା ବିଜେପି।

ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲା ପାଇଁ ୫ ଲକ୍ଷ ପକ୍କା ଘର ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ୫ ଲକ୍ଷ ପକ୍କା ଘର ଦାବି କରିଥିବା ନବୀନଙ୍କୁ ବିଜେପି ବାଣ ମାରିଛି।

ଏତେ କଚ୍ଚା ଘର କୁଆଡୁ ଆସିଲା ଏବଂ ବାତ୍ୟାରେ କେମିତି ଭାଙ୍ଗିଲା ବୋଲି ବିଜେପି ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ନବୀନଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି।

କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ‘‘ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ରାଜ୍ୟରେ ପକ୍କା ଘର ନିର୍ମାଣକୁ ନେଇ ଅନେକ ବଡ଼ ବଡ଼ ତଥ୍ୟ ଦେଇଥିଲେ। ବିଜେଡି ସରକାର ଅମଳରେ ୧୦ରୁ ୧୫ ଲକ୍ଷ ପକ୍କା ଘର ନିର୍ମାଣ ହୋଇଥିବା ବିଭିନ୍ନ ହୋର୍ଡିଂ ମାଧ୍ୟମରେ କୁହାଯାଇଥିଲା। ହେଲେ ସରକାର କେଉଁଠି ପକ୍କା ଘର ନିର୍ମାଣ କଲେ?’’

ଶ୍ରୀ ସିଂହଦେଓ ଆହୁରି କହିଛନ୍ତି, ‘‘ବାତ୍ୟା ପରେ ଆମେ ପୁରୀ ଜିଲ୍ଲା ଗସ୍ତରେ ଯାଇଥିଲୁ। ହେଲେ କୌଣସି ସ୍ଥାନରେ ବିଜୁ ପକ୍କା ଘର ଦେଖିବାକୁ ପାଇନଥିଲୁ। ଶାସକ ବିଜେଡି ତାର ଇସ୍ତାହାରରେ ଏବଂ ବିଜ୍ଞାପନରେ ଯେଉଁ ପ୍ରଚାର ପ୍ରସାର କରୁଥିଲା ତାହା ସମ୍ପୂର୍ଣ୍ଣ ମିଛ। ୨୦୧୪ରୁ ୨୦୧୯ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ଯେଉଁ ଅର୍ଥ ଦେଇଥିଲେ ତାହା ଗରିବ ଲୋକମାନଙ୍କୁ ଦେଇଛନ୍ତି କି ନାହିଁ ତାହା ସନ୍ଦେହରେ।’’

ଶ୍ରୀ ସିଂହଦେଓ ଆହୁରି କହିଛନ୍ତି ଯେ ରାଜ୍ୟ ସରକାର କହୁଛନ୍ତି ୧୨ ଲକ୍ଷ ଲୋକଙ୍କୁ ବାତ୍ୟା ପୁର୍ବରୁ ସ୍ଥାନାସ୍ତର କରାଯାଇଥିଲା। ଯଦି ଏହା ସତ୍ୟ ତାହାଲେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କଲେ କେମିତି ?

Comment