ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଅମିତ ଶାହ କହିଲେ – ନବୀନଙ୍କ ଶାସନ ଭଲ, ଏଠି ହିଂସାକାଣ୍ଡ ହୁଏନି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ଶାହ କହିଛନ୍ତି ଯେ ନବୀନଙ୍କ ଶାସନ ଅମଳରେ ହିଂସାକାଣ୍ଡ ହୋଇନି। ନବୀନବାବୁଙ୍କ ଶାସନ ଭଲ।

‘‘ପଶ୍ଚିମବଙ୍ଗର ପଡ଼ୋଶୀ ରାଜ୍ୟ ହେଉଛି ଓଡ଼ିଶା। ଏଠାରେ ନବୀନବାବୁ ଳମ୍ବା ସମୟ ଧରି ଶାସନରେ ଅଛନ୍ତି। ହେଲେ ପଶ୍ଚିମବଙ୍ଗ ପରି ଓଡ଼ିଶାରେ ରାଜନୈତିକ ହିଂସାକାଣ୍ଡ ହେଉନାହିଁ। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ର ଦିନକ ପରେ ବିଜେପି କର୍ମୀଙ୍କୁ ହତ୍ୟା କରି ଝୁଲାଇ ଦିଆଯାଉନି। ତେବେ ଟିଏମ୍‌ସି ଶାସିତ ରାଜ୍ୟରେ ହିଂସାକାଣ୍ଡ କାହିଁକି?’’, ଏହା କହିଛନ୍ତି ଅମିତ ଶାହ।

କୋଲକାତାରେ ଅମିତ ଶାହ ମଙ୍ଗଳବାର ସନ୍ଧ୍ୟାରେ ରୋଡ ସୋ’ କରିବା ବେଳେ ହିଂସାକାଣ୍ଡ ହୋଇଥିଲା। ତୃଣମୂଳ କଂଗ୍ରେସ ଏବଂ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ପୋଲିସ ଲାଠି ମାଡ଼ କରିଥିଲା।

ହିଂସାକାଣ୍ଡ ପରେ ଅମିତ ଶାହ ନୂଆଦିଲ୍ଲୀରେ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ। ହିଂସାକାଣ୍ଡକୁ ନେଇ ତୃଣମୂଳ କଂଗ୍ରେସକୁ ସମାଲୋଚନା କରିବା ସହ ନବୀନଙ୍କ ଶାସନକୁ ପ୍ରଶଂସା କରିଥିଲେ।

ଗତ ୬ ତାରିଖରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ପ୍ରଶଂସା କରିଥିଲେ। ବାତ୍ୟା ପରିଚାଳନାରେ ନବୀନ ବାବୁ ଭଲ କାମ କରିଥିବା ମୋଦି କହିଥିଲେ।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment