ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିଲେ କେନ୍ଦ୍ରୀୟ ଟିମ୍।

ବାତ୍ୟା ‘ଫନି’ ଅଧା ଓଡ଼ିଶାକୁ ଛାରଖାର କରିଦେଇଛି। କାହା ଘର ଭାଙ୍ଗି ଯାଇଛି ତ କିଏ ପ୍ରାଣ ହରାଇଛି। କେଉଁଠି ଫସଲ ନଷ୍ଟ ହୋଇଛି ତ କାହାର ବେଉସା ବୁଡ଼ି ଯାଇଛି। ଗତ ତିନି ଦିନ ହେଲା ଏସବୁର ଚିତ୍ର ଗାଁରୁ ଗାଁ ବୁଲି ଦେଖିଥିଲେ କେନ୍ଦ୍ରୀୟ ଟିମ୍।

ଆଜି ଶେଷ ଦିନରେ ସଚିବାଳୟରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ ଏବଂ ବାତ୍ୟା ପାଇଁ ଓଡ଼ିଶାକୁ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ରାଜ୍ୟ ସରକାର ଦେଲେ ସ୍ମାରକପତ୍ର

କେନ୍ଦ୍ର ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ୧୧ ଜଣିଆ ଆନ୍ତଃ ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍। ଏହି ଟିମ୍ ପୁରୀ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବାତ୍ୟା ପୀଡ଼ିତଙ୍କୁ ଭେଟିଥିଲେ। ସେମାନଙ୍କ ସହ କଥା ହୋଇ ଆଜି ସଚିବାଳୟରେ ପରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ସହ ବାତ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ରାଜ୍ୟ ସରକାର ୧୧ ହଜାର ୯୪୨ କୋଟି ୬୮ ଲକ୍ଷ ଟଙ୍କାର ସହାୟତା ପାଇଁ କେନ୍ଦ୍ରୀୟ ଟିମକୁ ସ୍ମାରକପତ୍ର ଦେଇଥିଲେ।

ବିଦ୍ୟୁତ, ଟେଲିକମ୍ ଏବଂ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ସରକାର ସବୁପ୍ରକାର ସହଯୋଗ କରିବେ ବୋଲି ଟିମ୍ ପ୍ରତିଶ୍ରୁତି ଦେଇଥିଲେ।

ବିବେକ ଭରଦ୍ୱାଜ କହିଛନ୍ତି, ‘‘କେନ୍ଦ୍ରୀୟ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଓଡ଼ିଶା ସରକାରଙ୍କୁ ସବୁ ପ୍ରକାରର ସହଯୋଗ ପ୍ରଦାନ କରାଯିବ।’’

‘‘ବିସ୍ତୃତ କ୍ଷୟକ୍ଷତି ରିପୋର୍ଟ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି। ଏନେଇ ଆଉ କିଛିଦିନ ସମୟ ଲାଗିବ। ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ କେନ୍ଦ୍ର ସରକାରଙ୍କୁ ଚୂଡ଼ାନ୍ତ ସ୍ମାରକପତ୍ର ଦିଆଯିବ’’, କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

କେଉଁ ବିଭାଗର କେତେ କ୍ଷତି?

ଜଳସମ୍ପଦ ବିଭାଗର ୩୭୩.୦୧ କୋଟି, ପୂର୍ତ୍ତ ବିଭାଗର ୫୯୭.୩୨ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗର ୪୩୫.୧୭ କୋଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୫୨୪.୩୪ କୋଟି, ପଞ୍ଚାୟତିରାଜ ବିଭାଗର ୫୮୭.୦୩ କୋଟି, କୃଷି ବିଭାଗର ୧୦୨.୩୦ କୋଟି, ଶକ୍ତି ବିଭାଗର ୧୧୫୯.୮୦ କୋଟି, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ୫୫.୪୩ କୋଟି, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ୭୪.୩୧ କୋଟି, ଉଚ୍ଚଶିକ୍ଷା ବିଭାଗର ୨୯୬ କୋଟି, ଜଙ୍ଗଲ ଓ ପରିବେଶ ବିଭାଗର ୫୩୭.୮୦ କୋଟି, ଶ୍ରୀଜଗନ୍ନାଥ ମନ୍ଦିରର ୫.୧୦ କୋଟି ଟଙ୍କାର କ୍ଷତି ହୋଇଛି। ଏସବୁ ରିପୋର୍ଟ କେନ୍ଦ୍ରୀୟ ଟିମକୁ ଦେଇଛନ୍ତି ରାଜ୍ୟ ସରକାର।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment