ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

modiମୋଦି ବିରୋଧୀଙ୍କୁ ଏକାଠି କରୁଛନ୍ତି ସୋନିଆ। ୨୩ରେ ବୈଠକ।

ନରେନ୍ଦ୍ର ମୋଦି ଏବଂ ଏନଡିଏକୁ ଚେକମେଟ୍ ଦେବା ପାଇଁ ମେଳି ବାନ୍ଧୁଛନ୍ତି ବିରୋଧୀ। ଯେଉଁମାନେ ତଥାକଥିତ ମୋଦି ବିରୋଧୀ ସେମାନେ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବାକୁ ଯାଉଛନ୍ତି। ମୋଦି ବିରୋଧୀଙ୍କୁ ଏକାଠି କରିବାର ନେତୃତ୍ୱ ନେଇଛନ୍ତି ଉପା ଅଧ୍ୟକ୍ଷା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି।

ଏନେଇ ସୋନିଆ ମେ’ ୨୩ରେ ନୂଆଦିଲ୍ଲୀରେ ଏକ ବୈଠକ ଡାକିଛନ୍ତି। ଏହି ବୈଠକକୁ ମୋଦି ବିରୋଧୀ ଦଳମାନଙ୍କୁ ଆମନ୍ତ୍ରିତ କରାଯାଇଛି। ଜଗମୋହନ ରେଡ୍ଡିଙ୍କ ଓ୍ୱାଇଏସ୍ଆର୍ କଂଗ୍ରେସ, ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି, କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ ଏବଂ ନବୀନ ପଟ୍ଟନାୟକଙ୍କ ବିଜେଡିକୁ ଏହି ବୈଠକକୁ ଆମନ୍ତ୍ରିତ କରାଯାଇଛି।

ତେବେ ସୋନିଆ ଡାକିଥିବା ଏହି ବୈଠକରେ କେଉଁ ଦଳ ଯୋଗ ଦେଉଛନ୍ତି ତା’ ଉପରେ ସମସ୍ତଙ୍କର ନଜର ରହିଛି।

କେନ୍ଦ୍ରରେ କିଏ ଗଢ଼ିବ ସରକାର? ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବ ନା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ୟୁପିଏ ସରକାର ଗଠନ କରିବ? ଏହାକୁ ନେଇ ରାଜନୀତିକ ମହଲରେ ଅଙ୍କକଷା ଚାଲିଥିବା ବେଳେ ସମସ୍ତେ ମେ’ ୨୩ର ଫଳାଫଳକୁ ଅପେକ୍ଷା କରିଛନ୍ତି। ତେବେ ଏହାରି ଭିତରେ ମୋଦି ବିରୋଧୀ ଦଳମାନଙ୍କୁ ଏକାଠି କରିବାରେ ସୋନିଆ ଗାନ୍ଧି ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ସୋନିଆ ଡାକିଥିବା ବୈଠକରେ ନବୀନ କେମିତି ସାମିଲ ହେବେ ସେନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଦାୟିତ୍ୱ ଦିଆଯାଇଛି। କମଲନାଥ ଏବଂ ନବୀନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବାରୁ ଏବଂ ଉଭୟ ସ୍କୁଲ ବେଳରୁ ଭଲ ବନ୍ଧୁ ହୋଇଥିବାରୁ କମଲନାଥଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ଚର୍ଚ୍ଚା ହେଉଛି।

ସବୁଠୁ ବଡ଼ କଥା ହେଉଛି ସୋନିଆ ଯେଉଁଦିନ ବୈଠକ ଡାକିଛନ୍ତି ସେହିଦିନ ନିର୍ବାଚନ ଫଳାଫଳ ବାହାରିବ। ଏଣୁ ସୋନିଆଙ୍କ ବୈଠକ ଗୁରୁତ୍ୱ ବହନ କରୁଛି।

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ସରକାର ଗଠନ ହେବା ଦିନରୁ ମହାମେଣ୍ଟକୁ ଚର୍ଚ୍ଚା ହୋଇଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ ମୋଦି ବିରୋଧୀ ନେତା ସଉପସ୍ଥିତ ରହିବା ଘଟଣା ସୂଚାଉଥିଲା ଯେ ମୋଦିଙ୍କ ବିଜୟରେ ବ୍ରେକ ଲଗାଇବା ପାଇଁ ବିରୋଧୀ ମେଳି ବାନ୍ଧୁଛନ୍ତି।

ହେଲେ ନିର୍ବାଚନ ପୂର୍ବରୁ ସେମିତି କିଛି ଘଟିଲା ନାହିଁ। ନିର୍ବାଚନ ଶେଷ ହେବା ପରେ ପୁଣିଥରେ ମୋଦି ବିରୋଧୀଙ୍କୁ ନେଇ ବୈଠକ ଡାକିଛନ୍ତି ସୋନିଆ। ଏହାକୁ ନେଇ ଏବେ ରାଜନୀତି ପାଣିପାଗ ଉଷ୍ମ ରହିଛି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment