ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡି ଏନଡିଏ, ୟୁପିଏରେ ରହିବ ନା ପୁଣି ସମଦୂରତା ମନ୍ତ୍ର ଜପିବ?

ମେ’ ୨୩ ନିର୍ବାଚନ ଫଳାଫଳ ପରେ କୁଆଡ଼େ ଯିବ ବିଜେଡି? ଏନଡିଏ କିମ୍ବା ୟୁପିଏରେ ରହିବ ନା ସମଦୂରତା ମନ୍ତ୍ର ପୁଣି ଜପିବ? ଏହି ପ୍ରସଙ୍ଗ ଏବେ ରାଜନୀତି କରିଡରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିଜେଡି କହିଛି ଫଳାଫଳକୁ ଅପେକ୍ଷା କର।

ସୋନିଆଙ୍କ ଚିଠି

ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଚିଠି ଜାତୀୟ ରାଜନୀତିକୁ ହଲଚଲ କରିଛି। ମୋଦି ବିରୋଧୀଙ୍କୁ ଏକାଠି କରିବା ଲାଗି ସୋନିଆ ଚିଠି ଲେଖିବା ପରେ ରାଜନୀତି ସମୀକରଣ ବଦଳୁଥିବା ଚର୍ଚ୍ଚା ହେଉଛି।

ଯେଉଁଦିନ ନିର୍ବାଚନ ଫଳ ବାହାରିବ ସେହିଦିନ ହିଁ ସୋନିଆ ନୂଆଦିଲ୍ଲୀରେ ମୋଦି ବିରୋଧୀଙ୍କ ବୈଠକ ଡାକିଛନ୍ତି। ଏହି ବୈଠକରେ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା ହେବ। ସୋନିଆ ଯେଉଁ ମୋଦି ବିରୋଧୀଙ୍କୁ ଡାକିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଓ୍ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗମୋହନ ରେଡ୍ଡି, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଟିଆର୍‌ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଏବଂ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ।

ଓ୍ୱାଇଏସ୍ଆର୍ କଂଗ୍ରେସ ଏବଂ ଟିଡିପି ନିର୍ବାଚନ ଫଳାଫଳ କ’ଣ ହେଉଛି ଏବଂ କେଉଁ ଦଳର ସ୍ଥିତି କ’ଣ ହେଉଛି ତା’ ଉପରେ ନଜର ରଖିଥିବା ବେଳେ ବିଜେଡି କିନ୍ତୁ କ’ଣ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ସୋନିଆଙ୍କ ନିମନ୍ତ୍ରଣ ରକ୍ଷା କରି ବିଜେଡି ଏହି ବୈଠକରେ ଯୋଗ ଦେବ କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି।

‘‘ନିର୍ବାଚନ ସମୟରେ ଏମିତି ନୂଆ ନୂଆ ସମୀକରଣ ସାମ୍ନାକୁ ଆସିଥାଏ। ବର୍ତ୍ତମାନ ଯେହେତୁ ନିର୍ବାଚନ ଋତୁ ଚାଲିଛି ଏଣୁ ବିଭିନ୍ନ ଚର୍ଚ୍ଚା ହେବା ସ୍ୱାଭାବିକ। ଆମେ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛୁ। ବିଜେଡି କ’ଣ କରିବ ସେ ସମ୍ପର୍କରେ ଆମ ସଭାପତି ନିଷ୍ପତ୍ତି ନେବେ। ନିର୍ବାଚନ ବେଳେ ଆମ ନେତା କହିଥିଲେ ଯେ କେନ୍ଦ୍ରରେ ସରକାର ଗଠନରେ ଆଞ୍ଚଳିକ ଦଳ ହିଁ ନିର୍ଣ୍ଣାୟକ ଭୂମିକା ନେବେ’’, କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ।

ତେବେ ବିଜେଡି ବାସ୍ତବରେ କ’ଣ କରିବ ତାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ଜଣାପଡୁ ନାହିଁ।

ମୋଦି, ଅମିତ ଶାହଙ୍କ ପ୍ରଶଂସା

ନିର୍ବାଚନ ଚାଲିଥିବା ବେଳେ ବିଜେପି ଏବଂ ବିଜେଡି ଭିତରେ କେମିତି କଥା କଟାକଟି ଚାଲିଥିଲା ତାହା କାହାକୁ ଅଛପା ନାହିଁ। ମୋଦି ଏବଂ ଅମିତ ଶାହ ଓଡ଼ିଶା ଆସି ନବୀନଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ନବୀନ ବି ପାଲଟା ଆକ୍ରମଣ କରିବାକୁ ପଛାଇ ନଥିଲେ।

କିନ୍ତୁ ବାତ୍ୟା ଫନି ନିର୍ବାଚନ ବେଳର ବିଜେପି-ବିଜେଡି ସମ୍ପର୍କକୁ ଠିକ୍ କରି ଦେଇଛି। ବାତ୍ୟା ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ମୋଦି ନବୀନଙ୍କୁ ପ୍ରଶଂସା କରିବା ସହ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ମୋଦିଙ୍କ ପ୍ରଶଂସା ପରେ ଅମିତ ଶାହ ମଧ୍ୟ ନବୀନଙ୍କୁ ପ୍ରଶଂସା କରିଛନ୍ତି।

ମୋଦି ଏବଂ ଅମିତ ଶାହଙ୍କ ପ୍ରଶଂସା ପରୋକ୍ଷରେ ସୂଚାଉଛି ଯେ ନବୀନଙ୍କୁ ସାଥୀରେ ନେବାକୁ ବିଜେପି ଚାହୁଁଛି। ନିର୍ବାଚନ ବେଳେ ମୋଦି ଏବଂ ଶାହ ନବୀନଙ୍କ ପ୍ରତି ଯେଉଁ ଗରମ ଆଭିମୁଖ୍ୟ ଦେଖାଇଥିଲେ ତାହା ନିର୍ବାଚନ ପରେ ନରମି ନଥାନ୍ତା ବୋଲି ଆଲୋଚନା ହେଉଛି।

ସୋନିଆଙ୍କ ବୈଠକରେ ଯୋଗ ଦେବ ବିଜେଡି?

୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବିଜେଡି ସମଦୂରତା ମନ୍ତ୍ର ଜପି ଆସୁଥିଲା। ଉଭୟ ଏନଡିଏ ଏବଂ ୟୁପିଏଠାରୁ ବିଜେଡି ସମାନ ଦୂରରେ ରହିଥିବା ନିଜେ ନବୀନ ଏବଂ ତାଙ୍କ ଦଳର ନେତାମାନେ କହି ଆସୁଥିଲେ।

ହେଲେ ରାଷ୍ଟ୍ରପତି ନିର୍ବାଚନ, ଜିଏସଟି ବିଲ୍ ପାସ୍, ଆସ୍ଥା ଭୋଟ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ବିଜେଡି ଏନଡିଏକୁ ସମର୍ଥନ କରି ନୂଆ ସମୀକରଣ ସୃଷ୍ଟି କରିଥିଲା। ବିଜେଡି ଉପର ମନରେ ସମଦୂରତା କହୁଥିଲେ ହେଁ ଭିତରେ ଏନଡିଏକୁ ସମର୍ଥନ କରୁଥିବା ଚର୍ଚ୍ଚା ହୋଇଥିଲା। କଂଗ୍ରେସ ମଧ୍ୟ ଏନେଇ ବିଜେଡିକୁ ସମାଲୋଚନା କରିଥିଲା।

ପୂର୍ବରୁ ମଧ୍ୟ ସୋନିଆ ତାଙ୍କ ବାଭବନରେ ମୋଦି ବିରୋଧୀ ନେତାଙ୍କୁ ଆମନ୍ତ୍ରିତ କରିଥିଲେ। ନିର୍ବାଚନ ପୂର୍ବରୁ ମହାମେଣ୍ଟ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ୧୨ରୁ ଅଧିକ ଦଳ ସୋନିଆଙ୍କ ଡିନର ପାର୍ଟିରେ ଯୋଗ ଦେଇଥିଲେ। କିନ୍ତୁ ସେତେବେଳେ ବିଜେଡି ସାମିଲ ହୋଇ ନଥିଲା।

ସେହିପରି ନିର୍ବାଚନ ପୂର୍ବରୁ କୋଲକାତା ମମତା ବାନାର୍ଜୀ ମଧ୍ୟ ମୋଦି ବିରୋଧୀ ଶକ୍ତିଙ୍କୁ ଏକାଠି କରି ହୁଙ୍କାର ଦେଇଥିଲେ। ଏଥିରେ ବି କଂଗ୍ରେସ ସାମିଲ ହୋଇଥିଲା। ହେଲେ ନବୀନ ଏହି ବିରୋଧୀ ମେଳିକୁ ଆସି ନଥିଲେ। ଏଣୁ ୨୩ ତାରିଖରେ ସୋନିଆ ଯେଉଁ ବୈଠକ ଡାକିଛନ୍ତି ସେଠାକୁ ନବୀନ ଯିବେ କି ନାହିଁ ତାହା ଅପେକ୍ଷା କରି ଦେଖିବାର କଥା।

ନବୀନଙ୍କୁ ମନାଇବେ କମଲନାଥ

ନବୀନ ସବୁବେଳେ ମୋଦି ବିରୋଧୀ ଆଭିମୁଖ୍ୟ ଦେଖାଇ ଆସୁଥିବାରୁ ସୋନିଆ ତାଙ୍କୁ ମେ’ ୨୩ ବୈଠକକୁ ଆସିବା ପାଇଁ ଚିଠି ଦେଇଥିବା କୁହାଯାଉଛି। ହେଲେ ମୋଦି ଏବଂ ଅମିତ ଶାହ ନବୀନଙ୍କୁ ପ୍ରଶଂସା କରିଥିବାରୁ ନବୀନ ଏହି ବୈଠକରେ ଯୋଗ ଦେବା ନଦେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏଣୁ ନବୀନଙ୍କୁ ମନାଇବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଦାୟିତ୍ୱ ଦେଇଛନ୍ତି ସୋନିଆ। କମଲନାଥ ହେଉଛନ୍ତି ନବୀନଙ୍କ ସ୍କୁଲ ବେଳର ସାଙ୍ଗ। ଉଭୟ ଡୁନ୍ ସ୍କୁଲରେ ପାଠ ପଢ଼ୁଥିଲେ। ପିଲାଦିନର ସାଙ୍ଗକୁ ମନାଇବା ପାଇଁ ସୋନିଆ କମଲନାଥଙ୍କୁ ଦାୟିତ୍ୱ ଦେଇଥିବା କୁହାଯାଉଛି।

ବିଜେଡି ଗଠନ ହେବା ଦିନରୁ ସବୁବେଳେ କଂଗ୍ରେସ ବିରୋଧୀ ଆଭିମୁଖ୍ୟ ଦେଖାଇ ଆସିଛି। ଆରମ୍ଭରୁ ବିଜେଡି ଏନଡିଏରେ ରହିଥିଲା। କିନ୍ତୁ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଏକାକୀ ଚାଲିଛି। ତେବେ ଆଗାମୀ ଦିନରେ ବିଜେଡି କାହାକୁ ସମର୍ଥନ କରୁଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment