ଓଡ଼ିଶାଲାଇଭ ବ୍ୟୁରୋ

ମେ’୩ରେ ପୁରୀରେ ଲାଣ୍ଡଫଲ କରିଥିଲା ଫନି। ସକଳା ୮ ବେଳକୁ ଆରମ୍ଭ ହୋଇଯାଇଥିଲା ବାତ୍ୟାର ପ୍ରକୋପ। ଯାହା ଆକଳନ କରାଯାଉଥିଲା ତା’ଠୁ ଢ଼େର ଅଧିକ ଥିଲା ପବନର ବେଗ।  ଭାବନାଠାରୁ ଅଧିକ ଥିଲା ବାତ୍ୟାର ପ୍ରଭାବ। ବାତ୍ୟାର ସେହି ଭୟଙ୍କର ମୁହୂର୍ତ୍ତ ଥରାଇ ଦେଇଥିଲା ଲୋକଙ୍କ ଛାତି।

ଦୀର୍ଘ ୨୦ ବର୍ଷ ପରେ ପୁଣି ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ କରିଥିଲେ ଓଡ଼ିଶାବାସୀ। ୧୯୯୯ ମସିହାର ମହାବାତ୍ୟାଠୁ ବଳି ଯାଇଥିଲା ଫନିର ତାଣ୍ଡବ। ଫନିର ତାଣ୍ଡବରେ ଛାରଖାର ହୋଇଛି ରାଜ୍ୟର ପ୍ରାୟ ୧୪ ଜିଲ୍ଲା। ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର।

ଫନିର କରାଳ ରୂପ ଛଡ଼ାଇ ନେଇଥିଲା ଲୋକଙ୍କଠାରୁ ଆଶ୍ରୟ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକ ନାହିଁ ନଥିବା ହଇରାଣର ସାମ୍ନା କରିଥିଲେ। ବାତ୍ୟାର ପ୍ରଭାବ ଏତେ ଥିଲା ତାହା ପରିକଳ୍ପନା କରିବା ଅସମ୍ଭବ।

ବାତ୍ୟାର ସେହି ପବନ କେଉଁଠି ଛଡ଼େଇ ନେଇଛି ଆପଣାର ଲୋକଙ୍କୁ। କିଏ ନିଜ ଲୋକଙ୍କୁ ସବୁଦିନ ପାଇଁ ହରେଇ ଦୁଃଖରେ ଭାଙ୍ଗି ପଡ଼ିଥିଲା ତ ଆଉ କେହି ନିଜ ବେଉସା ହରେଇ ନିରପାୟ ହୋଇ ମୁଣ୍ଡରେ ହାତ ଦେଇ ବସିଥିଲା।

କେବଳ ମଣିଷ ନୁହେଁ ବାତ୍ୟାରେ ଅନେକ ପଶୁ ପକ୍ଷୀ ବି ପ୍ରଭାବିତ ହୋଇଥିଲେ। ପବନରେ ଗଛ ଭାଙ୍ଗି ସବୁଜିମା ହରେଇ ବସିଛି। ସବୁଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।  ଏମିତିକି ଦୁଇ ତିନି ଦିନ ଯାଏଁ ଲୋକ ଭୋକ ଉପାସରେ ଦିନ କାଟିଥିଲେ।

କେବଳ ଏତିକି ନୁହେଁ ବାତ୍ୟାରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା ବୋଲି କହିଲେ ଭୁଲ ହେବ ନାହିଁ।

ବାତ୍ୟା ପରେ ସମସ୍ତଙ୍କ ପେଟରେ ଥିଲା ଭୋକ। ଆଖିରେ ଥିଲା ଲୁହ ଆଉ ପାଟିରେ ଥିଲା ବାତ୍ୟା ସହ କଟିଥିବା ସେହି ଭୟଙ୍କର କିଛି ମୁହୂର୍ତ୍ତ। ବାତ୍ୟାରେ ସମ୍ବଳ ହରାଇଥିବା ଲୋକଙ୍କ ପାଟିରେ ଥିଲା କେମିତି ଉଜୁଡ଼ା ଘରକୁ ସଜାଡ଼ିବୁ?

ବାସହୀନ ହୋଇ ଲୋକେ ମୁଣ୍ଡ ଗୁଞ୍ଜିବାକୁ ଜାଗା ଖୋଜୁଥିଲେ। ପିଲା ପରିବାକୁ ନେଇ ଜୀବନ ବିକଳେ ଯିଏ ଯେୁଁଠି ପରିଥିଲେ ଆଶ୍ରା ନେଇଥିଲେ।

ଏହି ମଧ୍ୟରେ ଫନିକୁ ବିତିଲାଣି ୧୨ ଦିନ। ହେଲେ ଏବେ ସେହି ମୁହୁର୍ତ୍ତ ଲୋକଙ୍କ ମନରେ ଜାଗ୍ରତ ରହିଛି। ଧୀରେ ଧୀରେ ସ୍ଥିତି ସୁଧାରିବାକୁ ଉଦ୍ୟମ ଚାଲିଛି। କିଛି ସ୍ଥାନରେ ପରିସ୍ଥିତି ସାମାନ୍ୟ ତମ ସ୍ୱାଭାବିକ ହେଉଛି। ତଥାପି ଲୋକେ ସେହି ଭୟଙ୍କର ମୁହୂର୍ତ୍ତକୁ ଭୁଲି ପାରିନାହିନ୍ତି।

Comment