ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବାତ୍ୟା ଫନି ଉପକୂଳ ଓଡ଼ିଶାକୁ ଛାରଖାର କରିଦେଇଥିବା ବେଳେ ମନ୍ତ୍ରୀମାନଙ୍କର ଦେଖା ମିଳୁନି।

ବାତ୍ୟା ଫନିର କରାଳ ତାଣ୍ଡବରୁ ଏ ପର୍ଯ୍ୟନ୍ତ ଲୋକେ ରକ୍ଷା ପାଇନଥିବା ବେଳେ ଏବଂ ଅନେକ ସ୍ଥାନରେ ଏଯାଏଁ ପିଇବା ପାଣି ଓ ବିଜୁଳି ନଥିବା ବେଳେ ବିଜେଡି ନେତାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାତ୍ୟା ଜନିତ ଉଦ୍ଧାର ଓ ଥଇଥାନ କାର୍ଯ୍ୟରେ ସାମିଲ ହୋଇ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାରେ ସାହାଯ୍ୟ କରିବେ କ’ଣ ଅଧିକାଂଶ ମନ୍ତ୍ରୀଙ୍କର ବାତ୍ୟା ଅଞ୍ଚଳରେ ଦର୍ଶନ ବି ମିଳୁନାହିଁ। ଏହି ବେପରୁଆ ମନୋଭାବ ଯୋଗୁଁ ମନ୍ତ୍ରୀମାନେ ଜନସାଧାରଣଙ୍କ ସମାଲୋଚନାର ଶିକାର ହୋଇଛନ୍ତି।

କେବଳ ମୁଖିଆ ଅଛନ୍ତି!

କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାଡ଼ିଦେଲେ ବିଜେଡିର କୌଣସି ବରିଷ୍ଠ ମନ୍ତ୍ରୀ ବାତ୍ୟା ଅଞ୍ଚଳରେ ପହଁଚିଥିବା ଜଣାପଡୁ ନାହିଁ। ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଶକ୍ତି ଓ ପଞ୍ଚାୟତ ବିଭାଗର ମନ୍ତ୍ରୀଙ୍କର ତ ଆଦୌ ଦେଖାନାହିଁ। ଏହି ଚାରୋଟି ବିଭାଗରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଓ ସେଥିପାଇଁ ବିଭାଗୀୟ ମନ୍ତ୍ରୀମାନେ ରହି ସବୁ ବିଷୟ ନିହାତି ତଦାରଖ କରିବା କଥା।

‘ବାତ୍ୟା ଫନି ଉପକୂଳ ଓଡିଶାର ହଜାର ହଜାର ଗାଁରେ ନାହିଁ ନଥିବା କ୍ଷତି କରିଛି। ବିଶେଷକରି ବିଦ୍ୟୁତ ଖୁଣ୍ଟିଗୁଡ଼ିକ ମାଟିରେ ମିଶିଯାଇଛି। ଯାହା ଫଳରେ କି ଗ୍ରାମାଞ୍ଚଳରେ ଏପର୍ଯ୍ୟନ୍ତ ବିଜୁଳି ପହଞ୍ଚି ପାରିନାହିଁ। ତେବେ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହଙ୍କର କେଉଁଠି ବି ଦେଖା ମିଳୁନାହିଁ। ୧୨ ଦିନର ବ୍ୟବଧାନ ପରେ ବୁଧବାର ରାତିରେ ପୁରୀ ସହରରେ ବିଦ୍ୟୁତ ଯୋଗାଇ ଦିଆଯାଇଛି ସତ ହେଲେ ଏହି ଏଗାର ଦିନ ଭିତରେ ମନ୍ତ୍ରୀ ସିଂହ ଥରେ ବି ବିଦ୍ୟୁତ ଯୋଗାଣ ସମ୍ପର୍କରେ ସମୀକ୍ଷା ବୈଠକ କରି ନାହାନ୍ତି।

ଠିକ୍ ସେହିଭଳି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବି କୁଆଡ଼େ ଉଭାନ ହୋଇ ଯାଇଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବି କୌଣସି କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରି ନଥିବା ଦେଖିବାକୁ ମିଳିଛି।

କୁଆଡ଼େ ଗଲେ ବିଜୁ ଯୁବ ବାହିନୀ?

ମନ୍ତ୍ରୀ ଓ ବିଧାୟକଙ୍କଙ୍କ ବ୍ୟତୀତ ବିଜୁ ଯୁବ ବାହିନୀର ସଦସ୍ୟମାନେ ମଧ୍ୟ ଜାଗା ମୁଣ୍ଡରୁ ଉଭାନ ହୋଇ ଯାଇଛନ୍ତି। ବାତ୍ୟା ଭଳି ସଙ୍କଟ ସମୟରେ ବିଜୁ ଯୁବ ବାହିନୀର ଭୂମିକା ସକାରାତ୍ମକ ହେବା ପରିବର୍ତ୍ତେ ଏହି ବାହିନୀର ଉପସ୍ଥିତି ହିଁ କେଉଁଠି ଦେଖିବାକୁ ମିଳୁନାହିଁ।

ମାର୍ଚ୍ଚ ୧୪, ୨୦୧୮ରେ ଯେତେବେଳେ ବିଜୁ ଯୁବ ବାହିନୀ ଗଠନ ହୋଇଥିଲା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଦୈବୀ ଦୁର୍ବିପାକ ସମୟରେ ବିଜୁ ଯୁବ ବାହିନୀର ସଦସ୍ୟମାନେ ଲୋକଙ୍କ ସାହାଯ୍ୟ କରିବାକୁ ପଛାଇବେ ନାହିଁ। କିନ୍ତୁ ଅସଲ ବେଳରେ ହିଁ ଏମାନେ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି।

ରାଜ୍ୟରେ ବିଜୁ ଯୁବ ବାହିନୀର ମୋଟ ସଦସ୍ୟ ସଂଖ୍ୟା ଅଢ଼େଇ ଲକ୍ଷ ହୋଇଥିବା ବେଳେ ବାତ୍ୟା କ୍ଷତିଗ୍ରସ୍ତ ୫ ଜିଲ୍ଲା ଓ ରାଜଧାନୀ ଭୁବନେଶ୍ୱରରେ ସରକାରୀ ତହବିଲରୁ ଦରମା ପାଉଥିବା  ଏହି ବାହିନୀର ପ୍ରାୟ ଷାଠିଏ ହଜାର ସଦସ୍ୟ ଅଛନ୍ତି।

ବାତ୍ୟା ପରେ କେବଳ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସ୍ଥିତିର ସମୀକ୍ଷା କରିଥିଲେ। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପ୍ରଭାବିତ ଜିଲ୍ଲାର ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ରିଲିଫ ଓ ଥଇଥାନ କାର୍ଯ୍ୟରେ ସାମିଲ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment